ଓଏସ୍ଏସସି ଚାକିରି ଦୁର୍ନୀତି ଅଭିଯୋଗ ଘଟଣା: ଖସିଯିବେ ବିରଞ୍ଚି, ସହଯୋଗୀ ଓ ବଡ଼ମୁଣ୍ଡ!

କାହା ଚାପରେ ଭିଜିଲାନ୍ସ, ତଦନ୍ତ ସ୍ବଚ୍ଛତାକୁ ନେଇ ପ୍ରଶ୍ନ: ଆଉ କେତେ ପ୍ରମାଣ, ଅଭିଯୋଗକୁ ଅପେକ୍ଷା?

ଭୁବନେଶ୍ବର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିବା ଦିନ ଯେତିକି ତତ୍ପରତା ଦେଖାଇଥିଲା ତାହା ଧୀରେ ଧୀରେ ବନ୍ଦ ହୋଇ ଗଲାଣି। ଆଇଏଫ୍ଏସ ଅଫିସର ଅଭୟକାନ୍ତ ପାଠକଙ୍କ ପରେ ଏହା ସବୁଠୁ ବଡ଼ ରେଡ୍ ଥିଲା। ଖାଲି ସେତିକି ନୁହେଁ ଓଏସଏସସି ପରୀକ୍ଷାର୍ଥୀଙ୍କ ଶତାଧିକ ଆଡମିଟ୍ କାର୍ଡ ଏବଂ ବିରଞ୍ଚିଙ୍କ ପତ୍ନୀଙ୍କ ପାଖରୁ ଚାକିରିଆ ଓ ପରୀକ୍ଷାର୍ଥୀଙ୍କ ବୀମା ପଲିସି ଜବତ ମଧ୍ୟ ହୋଇଥିଲା। ଯୋଗ୍ୟ ପ୍ରାର୍ଥୀ ବାଦ୍ ପଡ଼ିବା ନେଇ ଭିଜିଲାନ୍ସ ନିକଟରେ ତଥ୍ୟ ପ୍ରମାଣ ଦାଖଲ ହୋଇ ସାରିଛି। ଏକାଧିକ ଅଭିଯୋଗ ମଧ୍ୟ ପହଞ୍ଚିଲାଣି। ଏତେ ସବୁ ପରେ ମଧ୍ୟ ଭିଜିଲାନ୍ସର ଅହେତୁକ ନିରବତା ଅନେକ ସନ୍ଦେହ ସୃଷ୍ଟି କଲାଣି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିରଞ୍ଚିଙ୍କ ଚାକିରି ଦୁର୍ନୀତି ସମ୍ପର୍କରେ ଭିଜିଲାନ୍ସ ତଦନ୍ତକାରୀ ଟିମକୁ ତଥ୍ୟ ପ୍ରମାଣ ମିଳିଛି। ବିରଞ୍ଚିଙ୍କର ଜବତ ଲାପଟପ୍, ମୋବାଇଲ ଫୋନରୁ ପ୍ରମାଣ ସଂଗ୍ରହ କରାଯାଇଛି। ସେହିପରି ଜବତ ବୀମା ପଲିସିରେ ଗତ କିଛି ବର୍ଷ ମଧ୍ୟରେ ଚାକିରି କରିଥିବା ବ୍ୟକ୍ତି ରହିଛନ୍ତି। ଯେଉଁ ବୀମା ପଲିସିଧାରୀମାନେ ଚାକିରି କରିଛନ୍ତି ସେମାନଙ୍କର ବିରଞ୍ଚିଙ୍କ ସହ ସମ୍ପର୍କ କ’ଣ? ଚାକିରି କରାଇ ଦେଇ ବିରଞ୍ଚି ବୀମା ପଲିସି କରାଇଛନ୍ତି କି? ବାକି ୭ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଯାଞ୍ଚ ଶେଷ ହେବ କେବେ? ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ କେବେ ଶେଷ ହେବ? ତଦନ୍ତ କରିବାକୁ ଭିଜିଲାନ୍ସ ପାଖରେ ଦକ୍ଷତା ଓ ଜ୍ଞାନ କୌଶଳର ଅଭାବ ରହୁଛି କି? ନା ବଡ଼ମୁଣ୍ଡଙ୍କ ମୁଖା ଖୋଲିଯିବା ଭୟରେ ଭିଜିଲାନ୍ସ ଉପରେ ଚାପ ପଡ଼ୁଛି? ଏଭଳି ଏକାଧିକ ପ୍ରଶ୍ନ ଭିଜିଲାନ୍ସର ଦକ୍ଷତା ଓ ସ୍ବଚ୍ଛତା ଉପରେ ପ୍ରଶ୍ନ ଛିଡ଼ା କରିଛି।

ହେବ କି ଉଚ୍ଚସ୍ତରୀୟ ତଦନ୍ତ
ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମାମଲାରେ ଗଜପତି ଜିଲ୍ଲା ପୁଲିସର ଭୂମିକାକୁ ନେଇ ଆରମ୍ଭରୁ ସନ୍ଦେହ ସୃଷ୍ଟି ହୋଇଥିଲା। ରାଜ୍ୟବ୍ୟାପୀ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ମାମଲାର ମାସେ ପରେ ପୁଲିସ ଡିଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏବେ ଆରମ୍ଭ ହୋଇଛି କ୍ରାଇମବ୍ରାଞ୍ଚ ତଦନ୍ତ। ଓଏସ୍ଏସସି ଚାକିରି ଦୁର୍ନୀତି ଅଭିଯୋଗରେ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଆଶାୟୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଜାଗାରେ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି। କିନ୍ତୁ ଏହି ମାମଲାରେ ଏଯାଏ ସେମିତି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଏ ସଂକ୍ରାନ୍ତରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ପ୍ରମାଣ ନଷ୍ଟ କରିବାକୁ ଦୁଇ ଦିନ ତଦନ୍ତ ବନ୍ଦ କରିଥିଲା ଭିଜିଲାନ୍ସ!
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ଜୁଲାଇ ୩୦ ତାରିଖରେ ବିରଞ୍ଚିଙ୍କୁ ଗିରଫ କରିଥିଲା ଭିଜିଲାନ୍ସ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବିରଞ୍ଚିଙ୍କ ଆଲମିରାରୁ ବିଡ଼ା ବିଡ଼ା ଟଙ୍କା ସହ ମିଳିଥିଲା ଶତାଧିକ ଆଡମିଟ୍ କାର୍ଡ। ତା ସାଙ୍ଗକୁ ପତ୍ନୀ କରିଥିବା ୯ ଶହ ବୀମା ପଲିସି। ଓଏସ୍ଏସ୍‌ସି ନିଯୁକ୍ତି ପରୀକ୍ଷାରେ ଦୁର୍ନୀତି ହୋଇଥିବା ନେଇ ଆରମ୍ଭରୁ ସନ୍ଦେହ ପ୍ରକାଶ ପାଇଥିଲା। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତ ପ୍ରଥମ ଦୁଇ ଦିନ ବନ୍ଦ ହୋଇ ଯାଇଥିଲା। ବିରଞ୍ଚି ଶୁକ୍ରବାର ଗିରଫ ହୋଇଥିଲେ। ଶନିବାର ଓ ରବିବାର ତଦନ୍ତକାରୀ ଟିମ୍ ହାତ ବାନ୍ଧି ବସି ପଡ଼ିଥିଲେ। ପ୍ରମାଣ ନଷ୍ଟ କରିବାକୁ ବିରଞ୍ଚିଙ୍କୁ ଭିଜିଲାନ୍ସ ଏହି ଦୁଇଦିନ ସମୟ ଦେଇଥିଲା କି ବୋଲି ପ୍ରଶ୍ନ ଉଙ୍କି ମାରୁଛି। ଏହି ମାମଲାରେ ଆରମ୍ଭରୁ ଭିଜିଲାନ୍ସର ଭୂମିକା ସନ୍ଦେହଘେରରେ ରହିଛି।

ସମ୍ବନ୍ଧିତ ଖବର