ଓଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତି: ଗୁମର ଫିଟିବ ନା ଚାପି ହୋଇଯିବ?

ଆଜି ସରୁଛି ରିମାଣ୍ଡ, ବିରଞ୍ଚି ଆଗକୁ ଯାଇପାରୁନି ଭିଜିଲାନ୍ସ

ଜବତ ମୋବାଇଲ୍‌ରେ ପରୀକ୍ଷାର୍ଥୀଙ୍କ ନମ୍ବର, ଲାପ୍‌ଟପ୍‌ରେ ଠିକଣା

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି)ରେ ନିଯୁକ୍ତି ଦୁର୍ନୀତି ନେଇ ପୁଳାପୁଳା ଅଭିଯୋଗ ପହଞ୍ଚିବାରେ ଲାଗିଛି। କଟ୍‌ଅଫ୍ ମାର୍କଠାରୁ ଅଧିକ ନମ୍ବର ଥାଇ ମଧ୍ୟ ଯୋଗ୍ୟ ପ୍ରାର୍ଥୀ ବାଦ୍ ପଡ଼ିବା ନେଇ ଆର୍‌ଟିଆଇ ଦ୍ବାରା ମିଳିଥିବା ତଥ୍ୟ ପ୍ରମାଣ ସହ ଗୋଟିଏ ପରେ ଗୋଟିଏ ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଦାଖଲ ହେଉଛି। ଖାଲି ସେତିକି ନୁହେଁ; ବିରଞ୍ଚିଙ୍କ ଘରୁ ଟଙ୍କା ବିଡ଼ା ନିକଟରୁ ଓଏସ୍ଏସସି ପରୀକ୍ଷାର୍ଥୀଙ୍କ ବିପୁଳ ଆଡମିଟ୍ କାର୍ଡ ମିଳିବା ଘଟଣାରୁ ନିଯୁକ୍ତି ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି। ଏହାକୁ ନେଇ ସାରା ରାଜ୍ୟରେ ଲକ୍ଷ ଲକ୍ଷ ଚାକିରି ଆଶାୟୀଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ମାତ୍ର ବିରଞ୍ଚିଙ୍କ ପାଖରୁ ତଦନ୍ତ ଇଞ୍ଚେ ବି ଆଗକୁ ଯାଇପାରୁ ନାହିଁ। ଚା‌ରି ଦିନ ହେଲା ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରୁଥିବା ଭିଜିଲାନ୍ସର ବଡ଼ ଅଧିକାରୀମାନେ ବି ବିରଞ୍ଚିଙ୍କ ଲିଙ୍କ୍‌ରେ ଓଏସ୍‌ଏସ୍‌ସିର ଆଉ କାହାକୁ ଏ ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରିନାହାନ୍ତି। ଏମିତି କି ଏହି ରାକେଟ୍‌ରେ ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ସେମାନଙ୍କୁ ବିରଞ୍ଚିଙ୍କ ସହ ମୁହାଁମୁହିଁ ବସାଇ ଜେରା କରାଯାଉ ନାହିଁ। ଫଳରେ ଏତେବଡ଼ ଦୁର୍ନୀତି ମାମଲାର ତଦନ୍ତରେ ଭିଜିଲାନ୍ସ ଭୂମିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହେଲାଣି। ନିରପେକ୍ଷ ତଦନ୍ତ ହୋଇ ରାକେଟ୍‌ର ମୁଖା ଖୋଲିଗଲେ ବଡ଼ମୁଣ୍ଡ ଜାଲରେ ପଡ଼ିବା ଆଶଙ୍କା ଥିବାରୁ ସରକାରଙ୍କୁ ଅଡ଼ୁଆରେ ନ ପକାଇବା ପ‌ାଇଁ ତଦନ୍ତକୁ ଜାଣିଶୁଣି ଚପାଇ ଦିଆଯାଉଥିବା ଅଭିଯୋଗ ମଧ୍ୟ ଉଠିଲାଣି। ତେଣୁ ଭିଜିଲାନ୍ସ ଓଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତି ରାକେଟ୍‌ର ଗୁମର ଖୋଲିବ ନା କେବଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବିରଞ୍ଚିଙ୍କୁ ଅଭିଯୁକ୍ତ ଦର୍ଶାଇ ମାମଲାକୁ ସବୁଦିନ ପାଇଁ କବର ଦେଇଦେବ; ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଭିଜିଲାନ୍ସ ଚଢ଼ଉ ବେଳେ ବିରଞ୍ଚିଙ୍କ ଅମାପ ସମ୍ପତ୍ତିର ସନ୍ଧାନ ମିଳିବା ପରଠୁ ରାଜ୍ୟବ୍ୟାପୀ ଏହାକୁ ନେଇ ଉତ୍ସୁକତା ପ୍ରକାଶ ପାଇଥିଲା। ସାଧାରଣରେ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଓଏସ୍‌ଏସ୍‌ସିରେ ବହୁ ବର୍ଷ ଧରି ବିରଞ୍ଚି ଚଳାଇଥିବା ରାକେଟ୍‌ର ବଡ଼ମୁଣ୍ଡମାନେ କିଏ? ବିରଞ୍ଚିଙ୍କ ଜରିଆରେ ଆଉ କାହା କାହା ପାଖକୁ ବିପୁଳ ଟଙ୍କା ଯାଇଛି? ଅଭିଯୋଗ ଆଣିଥିବା ଯୋଗ୍ୟ ପ୍ରାର୍ଥୀ କେମିତି ପରୀକ୍ଷାରୁ ବାଦ୍ ପଡ଼ୁଛନ୍ତି? କଟ୍‌ଅଫ୍ ମାର୍କଠାରୁ ଅଧିକ ନମ୍ବର ଥାଇ ମଧ୍ୟ କେମିତି ପରୀକ୍ଷାର୍ଥୀଙ୍କ ନାଁ କଟି ଯାଉଛି? ଏହି କାରସାଦି ପଛରେ କାହାର ହାତ ରହିଛି? ବିରଞ୍ଚିଙ୍କ ରାକେଟ୍‌ରେ ଏବେ ସୁଦ୍ଧା ଲୋକସେବା ଭବନର ଜଣେ ଡ୍ରାଇଭରଙ୍କୁ ମିଶାଇ ୭ ଜଣରୁ ଅଧିକ ରହିଥିବା ଭିଜିଲାନ୍ସ ନିକଟରେ ଅଭିଯୋଗ ମଧ୍ୟ ପହଞ୍ଚିଲାଣି। ତେଣୁ ଭିଜିଲାନ୍ସ ବିରଞ୍ଚିଙ୍କୁ ମାରାଥନ୍ ଜେରା କରି ପୂରା ରାକେଟ୍‌ର ଗୁମର ଖୋଲିବା ସହ ନିଯୁକ୍ତି ଜାଲିଆତିର ରହସ୍ୟ ଖୋଲିବ ବୋଲି ଲକ୍ଷଲକ୍ଷ ଚାକିରି ଆଶାୟୀ ଓ ପୂର୍ବରୁ ବାଦ୍ ପଡ଼ିଥିବା ଯୋଗ୍ୟ ପ୍ରାର୍ଥୀ ଆଶା ବାନ୍ଧିଥିଲେ। ମାତ୍ର ବିରଞ୍ଚି ରିମାଣ୍ଡରେ ଆସିବା ତିନି ଦିନି ବିତିଗଲାଣି। ଭିଜିଲାନ୍ସ ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି ଏସ୍‌ପି ଓ ତଦନ୍ତକାରୀ ଅଧିକାରୀ ବିରଞ୍ଚିଙ୍କୁ ତୁହାକୁ ତୁହା ଜେରା କରିସାରିଲେଣି। ଆଉ ମାତ୍ର ଅଳ୍ପ କେଇ ଘଣ୍ଟା ଜେରା ପରେ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଇ ଦିଆଯିବ। କିନ୍ତୁ ଏଯାଏ ତଦନ୍ତ ବିରଞ୍ଚିଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମାମଲା ବ୍ୟତୀତ ଆଗକୁ ଯାଇପାରିଲା ନାହିଁ। ଏମିତିକି ମୋବାଇଲ ଫୋନରେ ପରୀକ୍ଷାର୍ଥୀଙ୍କ ସହ କଥାବାର୍ତ୍ତା, ହ୍ବାଟ୍‌ସଆପ୍ ଚାଟିଂର ତଥ୍ୟ ପ୍ରମାଣ, ସିଡିଆର୍‌(କଲ୍ ଡିଟେଲ୍ସ ରେକର୍ଡ), ଲାପ୍‌ଟପ୍‌ରୁ ମିଳିଥିବା ତଥ୍ୟକୁ ନେଇ ମଧ୍ୟ ବିଶେଷ କିଛି ଖୋଳତାଡ଼ କରାଗଲା ନାହିଁ।

ଗତ ୩ ତାରିଖରୁ ୪ ଦିନିଆ ରିମାଣ୍ଡରେ ଆସିଥିବା ବିରଞ୍ଚିଙ୍କର ଆସନ୍ତାକାଲି ରିମାଣ୍ଡ ଅବଧି ଶେଷ ହେଉଛି। ଅପରାହ୍ନ ୨ଟା ସୁଦ୍ଧା କୋର୍ଟରେ ହାଜର ହୋଇ ସେ ଜେଲକୁ ଫେରିବେ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ; ବିରଞ୍ଚି କୁଆଡ଼େ ଜେରା ବେଳେ କେତେକ ବଡ଼ବଡ଼ିଆଙ୍କ ନାଁ ନେଇଛନ୍ତି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଦୂରେ ଥାଉ; ଯେଉଁ ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍ କାର୍ଡ ଜବତ ହୋଇଛି ସେମାନଙ୍କ ବୟାନ ମଧ୍ୟ ରେକର୍ଡ କରାଯାଉନି। ଏପରିକି ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁଙ୍କୁ ମଧ୍ୟ ସାମ୍ନାସାମ୍ନି ବସାଇ ଜେରା କରାଯାଇନି। ଭିଜିଲାନ୍ସର ଏଭଳି ତଦନ୍ତ ତଥ୍ୟଭିଜ୍ଞ ମହଲକୁ ବିସ୍ମିତ କରିଛି। ମିଳିଥିବା ଅଭିଯୋଗ, ସୁରାକ୍ ଓ ତଥ୍ୟପ୍ରମାଣରୁ ଓଏସ୍‌ଏସ୍‌ସିରେ ଚାକିରି ଦୁର୍ନୀତି ଜଳଜଳ ଦିଶୁଥିଲେ ହେଁ ଏଯାଏ ତଦନ୍ତ ଆଉ ଆଗେଇ ନ ପାରିବା ଭିଜିଲାନ୍ସର ଭୂମିକାକୁ ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଭିଜିଲାନ୍ସ ଏସ୍‌ପି, ନିର୍ଦ୍ଦେଶକ ମଧ୍ୟ ଗଣମାଧ୍ୟମ ଆଗରେ ମୁହଁ ଖୋଲୁ ନାହାନ୍ତି। ତେଣୁ ଇଏ କେବଳ ଗୋଟିଏ ଘଟଣା ନୁହେଁ; ପୂର୍ବରୁ ଏମିତି ଅନେକ ଘଟଣାରେ ଭିଜିଲାନ୍ସ ତଦନ୍ତ ବାଟବଣା ହୋଇଥିବା ନଜିର୍ ଥିବାରୁ ଏଥର ବି ‌ସେମିତି ଦୁର୍ନୀତିକୁ ଚପାଇ ଦିଆଯାଉଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର