ବହୁ ଗଭୀରକୁ ଲମ୍ବିଛି ଓଏସ୍‌ଏସ୍‌ସି ନିଯୁକ୍ତି ଦୁର୍ନୀତିର ଚେର: ବିରଞ୍ଚିଙ୍କୁ ଦିନତମାମ୍ ଝାଳବୁହା ଜେରା

ତନାଘନା କଲେ ଭିଜିଲାନ୍ସ ନିର୍ଦ୍ଦେଶକ

ବେଆଇନ ଆର୍ଥିକ କାରବାରର ତଦନ୍ତ କରିବ ଇଡି
୧୦ ବର୍ଷ ତଳର ଫାଇଲ ଖୋଲିଲା ଭିଜିଲାନ୍ସ
ରାକେଟ୍‌ରେ ସଂପୃକ୍ତ ଅଧିକାରୀଙ୍କ ଛାତି ଧଡ଼ଧଡ଼

ଭୁବନେଶ୍ବର : କୋଟିକୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଜାଲରେ ପଡ଼ି ଚାକିରିରୁ ତଡ଼ା ଖାଇଥିବା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ(ଓଏସ୍ଏସ୍‌ସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁଙ୍କୁ ୪ ଦିନିଆ ରିମାଣ୍ଡରେ ଆଣି ବୁଧବାର ଦିନତମାମ ଝାଳବୁହା ଜେରା କରିଛି ଭିଜିଲାନ୍ସ। ବିରଞ୍ଚିଙ୍କ ଏହି ବିପୁଳ ସମ୍ପତ୍ତିର ଉତ୍ସ ସଂପର୍କରେ ଜାଣିବା ଲାଗି ତଦନ୍ତକାରୀ ଟିମ୍ କେବଳ ଚେଷ୍ଟା କରୁନାହାନ୍ତି, ଓଏସ୍‌ଏସ୍‌ସିରେ ନିଯୁକ୍ତି ଦୁର୍ନୀତିରେ ତାଙ୍କର ସଂପୃକ୍ତି ନେଇ ଆସିଥିବା‌ ପୁଳାପୁଳା ଅଭିଯୋଗର ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ବିଶେଷକରି ତାଙ୍କ ଘରୁ ଟଙ୍କା, ସୁନା, ରୁପା, ବୀମା ଓ ବ୍ୟାଙ୍କ ଜମା କାଗଜପତ୍ର ସହିତ ଦେଢ଼ଶହରୁ ଅଧିକ ପ୍ରାର୍ଥୀଙ୍କ ବିଭିନ୍ନ ପରୀକ୍ଷାର ଆ‌ଡମିଟ୍ କାର୍ଡ ମିଳିଥିବାରୁ ଓଏସ୍‌ଏସ୍‌ସିରେ ଚାକିରି ବିକ୍ରିର ଏକ ବଡ଼ ରାକେଟ୍‌ କାମ କରୁଥିବା ସନ୍ଦେହ ଘନୀଭୂତ ହୋଇଛି। ଚାକିରିରୁ ଯୋଗ୍ୟ ପ୍ରାର୍ଥୀ ବାଦ୍ ପଡ଼ିବା ନେଇ ତଥ୍ୟ ପ୍ରମାଣ ସହ ଅନେକ ଅଭିଯୋଗ ଆସିଥିବାରୁ ବିରଞ୍ଚି ଯେ ଏହି ରାକେଟ୍‌ର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲେ, ତାହା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ତେବେ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ ଏକୁଟିଆ ଏଭଳି କାରସାଦି କରି ଚାକିରି ବିକ୍ରି କରିବା ସମ୍ଭବ ହୋଇ ନ ଥିବାରୁ ତଦନ୍ତକାରୀ ଟିମ୍‌ ମଧ୍ୟ ଏକ ବଡ଼ ଦୁର୍ନୀତିର ଗନ୍ଧ ବାରିବା ଆରମ୍ଭ କଲାଣି। ତେଣୁ ଓଏସ୍‌ଏସ୍‌ସିରେ ଚାକିରି ପ୍ରଦାନରେ କେମିତି ଜାଲିଆତି ହେଉଥିଲା, ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ଏସବୁର ଚେର ଖୋଜିବା ଆରମ୍ଭ କରିଛି ଭିଜିଲାନ୍ସ।

ଖାଲି ଭିଜିଲାନ୍ସ ନୁହେଁ; ଏହି ମାମଲାରେ ବୁଧବାର ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ନିଜ ଆଡ଼ୁ ମାମଲା ରୁଜୁ କରିଛି। ବିରଞ୍ଚିଙ୍କ ବେଆଇନ ଅର୍ଥ କାରବାରର ଉତ୍ସ ଖୋଜିବା ସହ ଚାକିରି ଦୁର୍ନୀତି ଅଭିଯୋଗର ମଧ୍ୟ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। ଇଡିର ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବିରଞ୍ଚି କେମିତି, କେଉଁ ଉପାୟରେ ଏତେ ଅର୍ଥ ସଂଗ୍ରହ କଲେ; ବେଆଇନ ଆୟର ଉତ୍ସ କଣ ତାହାର ଟିକିନିଖି ଯାଞ୍ଚ କରାଯିବ। ଫଳରେ ଏହି ରାକେଟ୍‌ରେ ସଂପୃକ୍ତ ଓଏସ୍‌ଏସ୍‌ସିର ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି। କ‌ାଳେ ବିରଞ୍ଚି ଭିଜିଲାନ୍ସ ଓ ଇଡି ଆଗରେ ସବୁ ବଡ଼ମୁଣ୍ଡମାନଙ୍କ ନାଁ ଉଗାଳି ପକାଇବେ, ସେଥିପାଇଁ ସେମାନଙ୍କ ଛାତି ଧଡ଼ଧଡ଼ କଲାଣି ବୋଲି ଚର୍ଚ୍ଚା ହେଉଛି।

ଗତକାଲିଠାରୁ ୪ ଦିନିଆ ରିମାଣ୍ଡରେ ଆସିଥିବା ବିରଞ୍ଚିଙ୍କୁ ନିଜେ ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ଵନ୍ତ ଜେଠୱା ଆଜି ପୂର୍ବାହ୍ନରେ ଭୁବନେଶ୍ବରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଘଣ୍ଟାଏରୁ ଅଧିକ ସମୟ ଧରି ଜେରା କରିଥିବାବେଳେ ତଦନ୍ତକାରୀ ଟିମ୍‌ର ଅନ୍ୟ ଅଧିକାରୀମାନେ ଦିନତମାମ ପଚରାଉଚରା କରିଥିଲେ। ସେ କିପରି ଏତେ ବିପୁଳ ସମ୍ପତ୍ତିର ଅଧିକାରୀ ହେଲେ ତାହା ଜାଣିବାକୁ ଚେଷ୍ଟା କରିଥିଲେ। ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ଜମା, ଘରୁ ନଗଦ ଟଙ୍କା ମିଳିବା ସମ୍ପର୍କରେ ମଧ୍ୟ ପଚରାଉଚରା କରାଯାଇଥିଲା। ତାଙ୍କ ଘରୁ ଜବତ କରାଯାଇଥିବା ବିଭିନ୍ନ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ସମ୍ପର୍କରେ ମଧ୍ୟ ପଚରାଉଚରା କରାଯାଇଥିଲା। ଆଡମିଟ୍ ମିଳିଥିବା କେତେ ପରୀକ୍ଷାର୍ଥୀଙ୍କଠାରୁ ସେ କେତେ ଟଙ୍କା ନେଇଛନ୍ତି, ଟଙ୍କା ନେଇ ଚାକିରି ବିକ୍ରି ପାଇଁ ସେ କେମିତି ଜାଲିଆତି କରୁଥିଲେ ସେ ସଂପର୍କରେ ମଧ୍ୟ ଖୋଳତାଡ଼ ଚାଲିଛି। ଜେରା ବେଳେ ବିରଞ୍ଚିଠାରୁ ବେଶ୍ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଉଛି। ତେବେ ଏ ନେଇ ତଦନ୍ତକାରୀ ଟିମ୍ ଗଣମାଧ୍ୟମକୁ କିଛି ସୂଚନା ଦେଇନାହିଁ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୧୦ ବର୍ଷ ଭିତରେ ହିଁ ବିରଞ୍ଚି କୋଟିକୋଟି ଟଙ୍କାର ମାଲିକ ବନି ଯାଇଥିଲେ। ରାଜଧାନୀରେ ଏକାଧିକ କୋଠା ଓ ୧୪ଟି ପ୍ଲଟ୍‌ ସବୁ ଏହି ସମୟ ଭିତରେ କିଣିଥିଲେ। ତେଣୁ ଏହି ସମୟ ଅବଧି ମଧ୍ୟରେ ବିରଞ୍ଚିଙ୍କ ବିରୋଧରେ ଆସିଥିବା ବିଭିନ୍ନ ଚାକିରି ବିକ୍ରି ଅଭିଯୋଗର ମଧ୍ୟ ତଦନ୍ତ ହେବ ବୋଲି ଜଣାପଡ଼ିଛି। ୧୦ ବର୍ଷ ତଳେ ୨୦୧୧ରେ ଜୁନିଅର ଆସିଷ୍ଟାଣ୍ଟ ପଦ ପରୀକ୍ଷାରେ ଆବଶ୍ୟକ ନମ୍ବର ପାଇ ମଧ୍ୟ ବାଦ୍ ପଡ଼ିଥିଲେ ଯୋଗ୍ୟ ପ୍ରାର୍ଥୀ ଚିନ୍ମୟ ରାଉତ। ଏ ନେଇ ସେ ଗତକାଲି ଏସ୍‌ପିଙ୍କୁ ଭେଟି ତଥ୍ୟ ପ୍ରମାଣ ସହ ଲିଖିତ ଅଭିଯୋଗ କରିଥିଲେ। ଏହାଛଡ଼ା ବିରଞ୍ଚିଙ୍କ କଳା ସାମ୍ରାଜ୍ୟ ତିଆରିରେ ପତ୍ନୀ ଓ ସଢ଼ୁ ମନୋରଞ୍ଜନ ସାହୁଙ୍କ ଭୂମିକାର ମଧ୍ୟ ପ୍ରମାଣ ମିଳିଛି। ପରୀକ୍ଷାର୍ଥୀଙ୍କ ସହ ପତ୍ନୀ ଓ ସଢ଼ୁ ମନୋରଞ୍ଜନ ଯୋଗାଯୋଗରେ ରହୁଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ବେଆଇନ ଅର୍ଥ ଆଦାୟ ପରେ ସିଂହଭାଗ ଅର୍ଥ ମନୋରଞ୍ଜନଙ୍କ ଘରେ ରଖୁଥିଲେ ବିରଞ୍ଚି। ତେଣୁ ସେମାନଙ୍କୁ ଖୁବଶୀଘ୍ର ବିରଞ୍ଚି ସହ ମୁହାଁମୁହିଁ ଜେରା କରାଯିବ ବୋଲି ଜଣାପଡ଼ିଛି।

ରାକେଟ୍‌ରେ ଲୋକସେବା ଭବନର ଡ୍ରାଇଭର!
କେତେ ପୁଲିସ ଚାକିରି ପାଇଛନ୍ତି, ନାଁ କହିଲେ ଗାଁରେ ରହିପାରିବିନି
ଭୁବନେଶ୍ବର : ଚାକିରି ବିକ୍ରି ରାକେଟ୍ ସମ୍ପର୍କରେ ଭିଜିଲାନ୍ସ ନିକଟରେ ଏକାଧିକ ଅଭିଯୋଗ ଆସିବାରେ ଲାଗିଛି। ଆଜି ଆଇନଜୀବୀ ସୁଧୀର ମହାନ୍ତି ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ରାକେଟ୍‌ର ସମ୍ପୃକ୍ତ ଜଣେ ଡ୍ରାଇଭରଙ୍କ ସମ୍ପର୍କରେ ତଥ୍ୟ ଦେଇଛନ୍ତି। ଡ୍ରାଇଭର ଜଣଙ୍କ ବହୁ ବର୍ଷ ହେଲା ଲୋକସେବା ଭବନରେ କାର୍ଯ୍ୟରତ ଅଛନ୍ତି। ସେ କୁଆଡ଼େ ପରୀକ୍ଷାର୍ଥୀଙ୍କଠାରୁ ଟଙ୍କା ଆଦାୟ କରି ବିରଞ୍ଚିଙ୍କ ପାଖରେ ପହଞ୍ଚାନ୍ତି। ଏ ସମ୍ପର୍କରେ ଗତ ୬ ମାସ ତଳୁ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା। ନିମାପଡ଼ାର ଏହି ଡ୍ରାଇଭର ଜଣଙ୍କ ତାଙ୍କ ଗାଁରୁ ଅନେକ ଲୋକଙ୍କୁ ପୁଲିସରେ ଚାକିରି କରାଇ ଦେଇଛନ୍ତି। ଯେଉଁମାନେ ପୁଲିସ ଚାକିରିରେ ପଶିଥିଲେ ସେମାନେ ଏବେ ଇନ୍ସପେକ୍ଟର, ଡିଏସ୍‌ପି ଭାବେ କାର୍ଯ୍ୟ କରୁଛନ୍ତି। ଯଦି ସେମାନଙ୍କ ନାଁ କହିବି ତାହେଲେ ଗାଁରେ ରହିପାରିବିନି ବୋଲି କହିଛନ୍ତି ଶ୍ରୀ ମହାନ୍ତି। ମାତ୍ର ଏବେ ବିରଞ୍ଚି ଧରାପଡ଼ିବା ପରେ ନିଯୁକ୍ତି ଦୁର୍ନୀତି ଗୁମର ଖୋଲିବ ବୋଲି ସେ ଆଶାବାଦୀ ଅଛନ୍ତି। କେବଳ ବିରଞ୍ଚି କି ଡ୍ରାଇଭର ନୁହଁନ୍ତି; ଏହି ରାକେଟ୍‌ରେ ବହୁ ବଡ଼ବଡ଼ ମୁଣ୍ଡ ସମ୍ପୃକ୍ତ ଅଛନ୍ତି। ବିରଞ୍ଚିଙ୍କ ଜରିଆରେ ଏ ସବୁ କାରାବାର ଚାଲିଥିଲା। ଯଦି ନିରପେକ୍ଷ ତଦନ୍ତ କରାଯାଏ ତାହେଲେ ପୂରା ନିଯୁକ୍ତି ଦୁର୍ନୀତି ରାକେଟର ଗୁମର ଖୋଲିବ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ଏ ସମ୍ପର୍କରେ ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର