ମହଙ୍ଗା ଭତ୍ତା ବୃଦ୍ଧି ଆନ୍ଦୋଳନରେ ସାମିଲ ହେବ ଓଷ୍ଟା, ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ଭୁବନେଶ୍ୱର: ମହଙ୍ଗା ଭତ୍ତା ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି(ବୁଧବାର) ହେବାକୁ ଥିବା ରାଜ୍ୟବ୍ୟାପୀ ଆନ୍ଦୋଳନରେ ଯୋଗଦେବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)। ମାଟ୍ରିକ୍ ପରୀକ୍ଷା ସରିବା ପରେ ଶିକ୍ଷକ ଓ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହେବେ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ ୭୦ ଦଶକଠାରୁ ରାଜ୍ୟର ଶିକ୍ଷକ ଓ କର୍ମଚାରୀମାନେ କେନ୍ଦ୍ର କର୍ମଚାରୀଙ୍କ ଭଳି ସମାନ ମହଙ୍ଗା ଭତ୍ତା ପାଇ ଆସୁଥିଲେ। ତେବେ ରାଜ୍ୟ ସରକାର ଏହାର ବ୍ୟତିକ୍ରମ କରି ୨୦୧୯ ଜୁଲାଇ ପହିଲା ତାରିଖରୁ ମହଙ୍ଗା ଭତ୍ତା ବୃଦ୍ଧି ନକରି ୨୦୨୦ ଜାନୁଆରି ପହିଲାରୁ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ଏହା ରାଜ୍ୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନଙ୍କୁ ଆଘାତ ଦେଇଛି। ଏହାବ୍ୟତୀତ ସରକାରୀ କର୍ମଚାରୀଙ୍କର ୭ମ ବେତନରୁ ବାକି ଥିବା ୫୦% ବକେୟା କେବେ ମିଳିବ ସେସମ୍ପର୍କରେ ୪ ବର୍ଷ ହେଲା ରାଜ୍ୟ ସରକାର ସ୍ପଷ୍ଟ କରୁନାହାନ୍ତି। ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ସରକାରୀ ଶିକ୍ଷକଙ୍କ ଭଳି ସମାନ ଭାବେ ୭ମ ବେତନ ହାରରେ ଦରମା ପାଇବା କଥା। କିନ୍ତୁ ରାଜ୍ୟ ସରକାରଙ୍କର ବୈମାତୃକ ମନୋଭାବ ପାଇଁ ସେମାନଙ୍କୁ ୨୦୧୬ ଜାନୁଆରି ପହିଲାରୁ ନଦେଇ ୨୦୧୭ ଅକ୍ଟୋବର ୧ରୁ ଲାଗୁ କରିଛନ୍ତି। ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀଙ୍କୁ ଏଯାବତ୍ ୭ମ ବେତନ ହାରରେ ଦରମା ମିଳି ନାହିଁ। ରାଜ୍ୟ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ମଧ୍ୟ ସେମାନଙ୍କୁ ରାଜ୍ୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ଭଳି ସମାନ ଭାବେ ଦରମା ହେଉନାହାନ୍ତି। ଏହି ବର୍ଗର ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ କେନ୍ଦ୍ରୀୟ ନିୟମ ଅନୁସାରେ ୧୦% ମହଙ୍ଗା ଭତ୍ତା ପ୍ରଦାନ କରାଯିବା କଥା। ସରକାର ତାହାର ବିଜ୍ଞପ୍ତି ଏକ ସମୟରେ ପ୍ରକାଶ ନ କରିବା ଆହୁରି ବିଡ଼ମ୍ବନାର ବିଷୟ ବୋଲି ସେ କହିଛନ୍ତି।
ରାଜ୍ୟ ସରକାର ଏଭଳି ଶିକ୍ଷା ଓ ଶିକ୍ଷକ ବିରୋଧୀ ପଦକ୍ଷେପରୁ ଓହରି ରାଜ୍ୟର ଶିକ୍ଷକ, କର୍ମଚାରୀଙ୍କ ପାଇଁ ସମ୍ବେଦନଶୀଳ ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ଓଷ୍ଟା ଅନୁରୋଧ କରିଛି। ଫେବ୍ରୁଆରି ୧୯ ଅପରାହ୍ନ ଗୋଟାଏ ସୁଦ୍ଧା ମାଟ୍ରିକ୍‌ ପରୀକ୍ଷା ସରିବା ପରେ ଅପରାହ୍ନ ୨ଟାରେ ଓଷ୍ଟା ପକ୍ଷରୁ ୩୦ଟି ଯାକ ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଯଦି ଦାବି ପୂରଣ ନ ହୁଏ ଆଗାମୀ ଦିନରେ ଯେଉଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓଷ୍ଟାର ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରୀ ଚରଣ ସାହୁ, ରଞ୍ଜନ କୁମାର ଦାଶ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, କାହ୍ନୁ ଚରଣ ସାମଲ, ମଧୁସୂଦନ ଦେ, ବିନାୟକ ପରିଡ଼ା, ନୀଳମଣୀ ପୁରୋହିତ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର