ଘରେ ମିଳିବ ଓଟିଡିସି ଖାଦ୍ୟ, ଜମାଟୋ, ସ୍ବିଗି ସହ ବୁଝାମଣାପତ୍ର ସ୍ବାକ୍ଷରିତ

ରଜ ବେଳେ ପିଠା ବି ଉପଲବ୍ଧ ହେବ

ଭୁବନେଶ୍ବର: ଖାଣ୍ଟି ସ୍ବାଦିଷ୍ଟ ଓଡ଼ିଆ ରାନ୍ଧଣା ଖାଦ୍ୟ ଘରେ ପହଞ୍ଚାଇବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। କରୋନା ଲକ୍‌ଡାଉନ୍‌ରେ ହୋଟେଲ୍‌, ରେସ୍ତୋରାଁ, ଜଳଖିଆ ଦୋକାନ ବନ୍ଦ ରହିଥିବା ବେଳେ ଲୋକଙ୍କ ନିକଟରେ ଖାଦ୍ୟ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛି ଓଟିଡିସି। ‘ପସନ୍ଦ ଆପଣଙ୍କର, ରୋଷେଇ ଆମର’ ଟ୍ୟାଗ୍‌ଲାଇନ୍‌ ଜରିଆରେ ଓଟିଡିସି ଏହି ବ୍ୟବସ୍ଥା ଆରମ୍ଭ କରିଛି। ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରାମର୍ଶକ୍ରମେ ଏହି ଯୋଜନାର ଶୁଭାରମ୍ଭ ହୋଇଛି। ଲୋକେ ଘରକୁ ଜିନିଷ ଓ ଖାଦ୍ୟ ମଗାଇବା ପାଇଁ ଏବେ ଅନ୍‌ଲାଇନ୍‌ର ସାହାରା ନେଉଥିବାରୁ ଓଟିଡିସି ଏହି ବ୍ୟବସ୍ଥାରେ ନିଜକୁ ସାମିଲ୍‌ କରିଛି। ଏନେଇ ଦୁଇ ପ୍ରମୁଖ ଅନ୍‌ଲାଇନ୍‌ ଖାଦ୍ୟ ବଣ୍ଟନ ସଂସ୍ଥା ‘ଜମାଟୋ’ ଓ ‘ସ୍ବିଗି’ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏଙ୍କ ବୁଝାମଣାପତ୍ରରେ ସ୍ବାକ୍ଷର କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ନିଗମ ଦ୍ବାରା ପରିଚାଳିତ ୪ଟି ପାନ୍ଥନିବାସ ଭୁବନେଶ୍ବର, କଟକ, ପୁରୀ ଓ ରାଉରକେଲା ସହରବାସୀଙ୍କୁ ଅନ୍‌ଲାଇନ୍‌ରେ ଖାଦ୍ୟ ଉପଲବ୍ଧ ହେବ। ଏହାବ୍ୟତୀତ ଜୁନ୍‌ରେ ହେବାକୁ ଯାଉଥିବା ରଜ ପର୍ବ ଅବସରରେ ଏହି ଅନ୍‌ଲାଇନ୍‌ ଜରିଆରେ ପିଠା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ମନ୍ତ୍ରୀ, ଅଧ୍ୟକ୍ଷା ଓ ପରିଚାଳନା ନିର୍ଦେଶକଙ୍କ ଉପସ୍ଥିତିରେ ଏହାର ଶୁଭାରମ୍ଭ ‌କରାଯାଇଥିବା ବେଳେ ଓଟିଡିସି, ଜମାଟୋ, ସ୍ବିଗିର କର୍ମକର୍ତାମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହାର ପରିସରକୁ ଆହୁରି ବିସ୍ତୃତ କରାଯିବା ସହ ଆଉ କିଛି ପ୍ରମୁଖ ଅନ୍‌ଲାଇନ୍‌ ଖାଦ୍ୟ ବଣ୍ଟନ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି। ପାରମ୍ପରିକ ଓଡ଼ିଆ ଖାଦ୍ୟ ସହ ଆମିଷ, ନିରାମିଷ ଖାଦ୍ୟ ସୁଲଭ ମୂଲ୍ୟରେ ହାଇଜେନିକ୍‌ ଉପାୟ ଆପଣାଇ ଯୋଗାଇ ଦିଆଯିବ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର