ଭୁବନେଶ୍ବର: ରାଜ୍ୟରେ ପର୍ଯ୍ୟଟନର ବିକାଶକୁ ଆ‌ଖି ଆଗରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଜଙ୍ଗଲ ବିଭାଗ ମିଳିତ ଆନୁକୂଲ୍ୟରେ ପ୍ରତି ଶନିବାର ଓ ରବିବାର ସ୍ବତନ୍ତ୍ର ଟୁର୍‌ ପ୍ୟାକେଜ୍‌ ବ୍ୟବସ୍ଥା କରାଯାଇଛି। ଆନୁଷ୍ଠାନିକ ଭାବେ ଆସନ୍ତାକାଲି (ଶନିବାର) ଏକ ବସ୍‌ ପାନ୍ଥନିବାସରୁ ଭିତରକନିକା ଅଭିମୁଖେ ବାହାରିବ। ଭିତରକନିକା ପାଇଁ ଗ‌ାଡ଼ି ସକାଳ ସାଢ଼େ ପାଞ୍ଚଟାରୁ ପାନ୍ଥନିବାସରୁ ବାହାରି ଭୁବନେଶ୍ବର ରେଳ ଷ୍ଟେସନ ଛକରେ ସକାଳ ୫ଟା ୪୫ ଓ ବାଣୀବିହାର ଛକରେ ସକାଳ ୫ଟା ୫୫ରେ ପହଞ୍ଚିବ। ସେଠାରୁ ସମସ୍ତ ପର୍ଯ୍ୟଟକଙ୍କୁ ଧରି ସକାଳ ୬ଟାରେ ଭୁବନେଶ୍ବର ଛାଡ଼ିବ ଏବଂ ରାତି ୯ଟା ସୁଦ୍ଧା ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିବ। ସେହିପରି ସାତକୋଶିଆ ପାଇଁ ଭୁବନେଶ୍ବର ପାନ୍ଥ ନିବାସରୁ ସକାଳ ୭ଟାରେ ଗାଡ଼ି ବାହାରି ଭୁବନେଶ୍ବର ରେଳଷ୍ଟେସନ ଛକରେ ୭ଟା ୧୫ମିନିଟ୍‌, ବାଣୀବିହାର ଛକରେ ସକାଳ ସାଢ଼େ ୭ଟା ଓ ହୋଟେଲ ଟ୍ରାଇଡେଣ୍ଟ୍‌ ଛକରେ ସକାଳ ୭ଟା ୪୫ରେ ପହଞ୍ଚି ସମସ୍ତ ପର୍ଯ୍ୟଟକମାନଙ୍କୁ ନେଇ ଖଣ୍ଡଗିରି ଦେଇ ସାତକୋଶିଆ ଅଭିମୁଖେ ଯାତ୍ରା କରିବ।

Advertisment

ସାତକୋଶିଆ ଭ୍ରମଣ କରିବା ସହ ନୟାଗଡ଼ ଶରଣକୁଳସ୍ଥିତ ଶୈବ ପୀଠ ଲଡୁବାବା ମନ୍ଦିର ଦର୍ଶନ କରି ସଂଧ୍ୟା ୬ଟାରେ ଭୁବନେଶ୍ବରରେ ପହଞ୍ଚିବ। ଏହି ପ୍ୟାକେଜଗୁଡ଼ିକରେ ଶୀତତାପ ନିୟନ୍ତ୍ରିତ ଗାଡ଼ି ସହ ମଧ୍ୟାହ୍ନ ଭୋଜନ ଓ ନୌବିହାର ଆଦି ସମ୍ମିଳିତ ରହିଛି। ଭୁବନେଶ୍ବର-ଭିତରକନିକା ପ୍ୟାକେଜର ମୂଲ୍ୟ ୧୭୦୦ ଟଙ୍କା ଥିବା ବେଳେ ଭୁବନେଶ୍ବର-ସାତକୋଶିଆ ଟୁର୍‌ ପ୍ୟାକେଜ୍‌ର ମୂଲ୍ୟ ୧୪୯୦ଟଙ୍କା ରହିଛି। ସବିଶେଷ ବିବରଣୀ ଓ ବୁକିଂ ପାଇଁ ପରିଚାଳକ ପରିବହନ (୦୬୭୪୨୪୩୧୫୧୫ ଓ ୯୪୩୭୨୦୬୧୦୦), ସେଣ୍ଟ୍ରାଲ ରିଜର୍ଭେସନ୍‌ କାଉଣ୍ଟର (୦୬୭୪- ୨୪୩୦୭୬୪), ମାର୍କେଟିଂ ଡିଭିଜନ୍‌, ଓଟିଡିସି (୦୬୭୪-୨୪୩୫୬୧୮)କୁ ଯୋଗାଯୋଗ କରିବା ସହ www.panthanivas.comରେ ସମ୍ପର୍କ କରିପାରିବେ।