ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା : ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ପରିଚାଳନା ନିର୍ଦ୍ଦେଶିକା

ପ୍ରେସରିଲିଜ ଜାରି କରି କହିଲେ ଘଟଣାର ନିରପେକ୍ଷ ତଦନ୍ତ ହେଉ

ଭୁବନେଶ୍ବର: ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ  ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର  ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ  ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଥିଲେ । ହାଜର ପରେ ଜାଗିମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି ହୋଇଛି । ଏଥିରେ  ଘଟଣାର ପୁଙ୍ଖାନୁପୁଙ୍ଗ ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ପ୍ରେସ ରିଲିଜରେ କୁହାଯାଇଛି, ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଅଭିଯୋଗ ଅନୁସାରେ, ପୀଡିତାଙ୍କ ମା’ ତାଙ୍କ ନାବାଳିକ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ପରିଚାଳନା ନିର୍ଦ୍ଦେଶିକାକୁ ଜଣାଇଥିଲେ । ସବୁ ଶୁଣିବା ପରେ ବି ସେ କୌଣସି ପଦକ୍ଷେପ ନେଇ ନଥିଲେ ।

ତେଣୁ ପୀଡିତା ନାବାଳିକାଙ୍କ ମା’ଙ୍କ ପକ୍ଷରୁ ହୋଇଥିବା ଲିଖିତ ଅଭିଯୋଗ ଓ ଦାଖଲ କରାଯାଇଥିବା ଅଡିଓ କ୍ଲିପ ଆଧାରରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ଏହି ନୋଟିସ  କରାଯାଇଥିଲା । ଲକଡାଉନ ସମୟରେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ନେଇ ଅଗଷ୍ଟ ୩୦ ତାରିଖରେ ପୀଡିତାଙ୍କ ମା ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଥିଲା । ଓଟିଭିର ଦୁଇଜଣ କର୍ମଚାରୀ, ୨ ଜଣ ସୁରକ୍ଷା କର୍ମୀ ଓ ୩ଜଣ ପୁଲିସ ଏଥିରେ ସଂପୃକ୍ତ ରହିଥିବା ଅଭିଯୋଗ ହୋଇଥିଲା । ପୁଲିସ ମାମଲାର ତଦନ୍ତ କରୁଛି ।  ମାମଲାରେ ଓଟିଭିର କିଛି କର୍ମଚାରୀଙ୍କୁ ବି ଜେରା କରାଯାଇସାରିଛି । ସେପଟେ ମହିଳା କମିଶନ କହିଛନ୍ତି,  ଡିସିପିଙ୍କ ମଧ୍ୟମରେ ଓଟିଭି ପରିଚାଳନା ନିର୍ଦ୍ଦେଶିକାଙ୍କୁ ପୁଣି ନୋଟିସ ଜାରି କରାଯିବ ।  ସେ କୋର୍ଟରେ ଉପସ୍ଥିତ ରହିଲେ ବି  ଶୁଣାଣିବେଳେ ରହିଲେ ନାହିଁ ।  ଅଲଗା କାମ ଅଛି ବୋଲି କହି ଲିଖିତ ଆକାରରେ ଦେଇଛନ୍ତି ।  ତେଣୁ ପୁଣି ନୋଟିସ କରାଯିବ ।
ସମ୍ବନ୍ଧିତ ଖବର