ଓୟୁଏଟି ରୂପ ବଦଳିବ : ୬ ହଷ୍ଟେଲ ନବୀକରଣ ହେବ, ୫ଟି ଭଙ୍ଗା ‌ହେବ

ବିଶ୍ବବିଦ୍ୟାଳୟ ଚାରିକଡ଼େ ପାଚେରି ବୁଲିବ, ୬.୫ଏକର ଜମିରେ ହେବ ଅତ୍ୟାଧୁନିକ ସ୍ପୋର୍ଟସ କମ୍ପ୍ଲେକ୍ସ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ର ରୂପ ବଦଳିବ। ଗତ ଫେବ୍ରୁଆରି ୧୭ତାରିଖରେ ‘୫-ଟି’ ସଚିବ ଭି.କେ ପାଣ୍ଡିଆନ୍ ଅଚାନକ ଓୟୁଏଟି ଗସ୍ତ କରିବା ସମୟରେ ଯେଉଁ ସମସ୍ୟା ଦେଖିଥିଲେ ତା’ର ସମାଧାନ ପାଇଁ ଆଲୋଚନା କରିଛନ୍ତି। ଓୟୁଏଟି କର୍ତ୍ତୃପକ୍ଷ କ୍ୟାମ୍ପସକୁ ‌କିପରି ସଜାଡ଼ିବାକୁ ଚାହୁଁଛନ୍ତି ସେ ନେଇ ମତାମତ ନିଆଯାଇଛି। କୃଷି ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓୟୁଏଟିର ପୁନରୁଦ୍ଧାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

ଓୟୁଏଟି‌ର ପ୍ରମୁଖ ସମସ୍ୟା ପାଲଟିଥିବା ଏହାର ହଷ୍ଟେଲଗୁଡ଼ିକର ପୁନଃ ନିର୍ମାଣ, ନବୀକରଣ ନେଇ ନିଷ୍ପତ୍ତି ହୋଇଛି। ଓୟୁଏଟି କୁଳପତି ପୱନ ଅଗ୍ରୱାଲ ଓୟୁଏଟିର ନବୀକରଣ ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଉପରେ ବିଚାର କରିବା ପରେ ଓୟୁଏଟିର ନବୀକରଣ ପାଇଁ ନିଷ୍ପତ୍ତି ହୋଇଛି।

ଓୟୁଏଟିରେ ଥିବା ୧୯ଟି ହଷ୍ଟେଲ ମଧ୍ୟରୁ ୧୧ଟିର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏହାକୁ ଭଙ୍ଗାଯିବ ନଚେତ୍ ଏହାର ନବୀକରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ୪,୫,୬,୭ ଓ ୯ ନମ୍ବର ଛାତ୍ରାବାସରେ ଏବେ ୫୮୯ଜଣ ଛାତ୍ରଛାତ୍ରୀ ରହୁଛନ୍ତି। ଯାହାକି ପୂରା ଅସୁରକ୍ଷିତ ଅବସ୍ଥାରେ ଅଛି। ତେଣୁ ଏହାକୁ ତୁରନ୍ତ ଭଙ୍ଗାଯାଇ ୨ହଜାର ଛାତ୍ରଛାତ୍ରୀ ରହିବା ଭଳି ହଷ୍ଟେଲ କ‌ମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବାକି ୬ଟି ହଷ୍ଟେଲର ପୁନରୁଦ୍ଧାର ହେବ।

ସେହିପରି ‌ଓୟୁଏଟି ଏବଂ ଏହାର କ୍ୟାମ୍ପସରେ ଥିବା ସ୍ନାତକ ଓ ସ୍ନାତକୋତ୍ତର କଲେଜଗୁଡ଼ିକର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣ ହେବ। ‌ଏଥିପାଇଁ କେତେ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ହେବ, କେତେ ପିଲା ରହିବେ ସେ ନେଇ ଯୋଜନା ପ୍ରସ୍ତୁତ କରି ଦେବାକୁ କୁହାଯାଇଛି। ‌ଏପରିକି ବେସିକ୍ ସାଇନ୍ସ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନ ଥିବା ନେଇ ପୂର୍ବରୁ ଅଭିଯୋଗ ହେଉଥିବାରୁ ହଷ୍ଟେଲ କମ୍ପ୍ଲେକ୍ସ ହେଲେ ଏହାର ସମାଧାନ ହେବ ବୋଲି କୁହାଯାଇଛି।

ବିଶ୍ବବିଦ୍ୟାଳୟରେ ୨୦୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ କମ୍ପ୍ଲେକ୍ସ ନିର୍ମାଣ ସହ ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆଉ ଅତିରିକ୍ତ ଏକ ହଜାର ଶଯ୍ୟା ବିଶିଷ୍ଟ ହଷ୍ଟେଲ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି।

ଏସବୁ ବାଦ୍ ଓୟୁଏଟିରେ ଏକ ଅତ୍ୟାଧୁନିକ ସ୍ପୋର୍ଟସ ‌କମ୍ପ୍ଲେକ୍ସ ନିର୍ମାଣ ହେବ। ଏଥିପାଇଁ ଓୟୁଏଟି କର୍ତ୍ତୃପକ୍ଷ ୬.୫ଏକର ଜମି ଚିହ୍ନଟ କରିଛନ୍ତି। ବିମାନବନ୍ଦର ଏବଂ ସିବିଏସ୍‌ଏଚ୍ ବାଉଣ୍ଡାରୀ ମଧ୍ୟରେ ଥିବା ଏହି ୬.୫ଏକର ଜମିରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବ। ଏଠାରେ ଇନଡୋର୍ ଓ ଆଉଟଡୋର୍ ଖେଳ ଖେଳିବାର ସୁବିଧା ରହିବ।

ସେହିପରି ଓୟୁଏଟି ଚାରିକଡ଼େ ପାଚେରି ବୁଲିବ। ଓୟୁଏଟିରେ ଥିବା ଛାତ୍ରୀନିବାସ ଓ ଛାତ୍ରାବାସ ଚାରିକଡ଼େ ଉଚ୍ଚା ପାଚେରି ସହ ଓୟୁଏଟିର ସମସ୍ତ କଲେଜକୁ ଗୋଟିଏ ପ୍ରବେଶ ଓ ପ୍ରସ୍ଥାନ ପଥ କରି ପାଚେରି ବୁଲାଇବାକୁ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ଓୟୁଏଟି ଜମି ଜବରଦଖଲମୁକ୍ତ ହେବା ସହ କ୍ୟାମ୍ପସରେ ରହୁଥିବା କର୍ମଚାରୀ ଓ ଛାତ୍ରଛାତ୍ରୀ ସୁରକ୍ଷିତ ରହିବେ।

ସମ୍ବନ୍ଧିତ ଖବର