ଓୟୁଏଟିର ୫୭ତମ ପ୍ରତିଷ୍ଠା ଦିବସ: ପୁଷ୍ଟି ସୁରକ୍ଷା ପାଇଁ ଓୟୁଏଟିର ଉଦ୍ୟମ

ଭୁବନେଶ୍ୱ: ଚାଷୀଙ୍କ ଆର୍ଥିକାବସ୍ଥାର ଉନ୍ନତିରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ଗବେଷଣା ଓ ଜ୍ଞାନକୌଶଳ ସହାୟକ ହୋଇଛି। ବିଗତ ବର୍ଷଗୁଡ଼ିକ ତୁଳନାରେ ରାଜ୍ୟରେ ଦାରିଦ୍ର୍ୟ ଦୂରୀକରଣ ଏବଂ ଅପପୁଷ୍ଟି ହାର କମ୍‌ ହୋଇଥିଲେ ମଧ୍ୟ ଜନଜାତି ବହୁଳ ଜିଲ୍ଲାଗୁଡ଼ିକରେ ଅପପୁଷ୍ଟିର ହାର ଉଦ୍‌ବେଗଜନକ ରହିଛି। ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ଭେ-୪ ଅନୁସାରେ କମ୍‌ ଓଜନ ବିଶିଷ୍ଟ ଶିଶୁ ଜନ୍ମହାର ଓଡ଼ିଶାରେ ଶତକଡ଼ା ୩୪ ଭାଗ ଏବଂ ପରବର୍ତ୍ତୀ ଅପପୁଷ୍ଟି ହାର ୫ ବର୍ଷରୁ କମ୍‌ ଶିଶୁଙ୍କଠାରେ ଅଧିକ ରହିଛି। ସୁଷମ ଖାଦ୍ୟର ଅଭାବ, ବାରମ୍ବାର ରୋଗଗ୍ରସ୍ତ ଓ ଯତ୍ନର ଅଭାବରୁ ଅନେକ କୋମଳମତି ଶିଶୁ ଅପପୁଷ୍ଟିର ଶିକାର ହେଉଛନ୍ତି। ବିଶ୍ୱ ଖାଦ୍ୟ ଓ କୃଷି ସଂଗଠନର ଆହ୍ଵାନ ସ୍ୱରୂପ ୨୦୩୦ ମସିହା ସୁଦ୍ଧା ଦାରିଦ୍ର୍ୟ ଓ କ୍ଷୁଧାମୁକ୍ତ ବିଶ୍ୱ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଦିଗରେ ଓୟୁଏଟି ମଧ୍ୟ କାର୍ଯ୍ୟ କରୁଛି ବୋଲି କମ୍ୟୁନିଟି ବିଜ୍ଞାନ ମହାବିଦ୍ୟାଳୟ ନିର୍ଦେଶକ ଡ. ମାନସୀ ମହାନ୍ତି କହିଛନ୍ତି। ପ୍ରତିଷ୍ଠା ଦିବସ ଅବସରରେ ସେ ଆହୁରି କହିଛନ୍ତି ଯେ ରାଜ୍ୟର ୭୦ ଭାଗ ଲୋକଙ୍କର ମୁଖ୍ୟ ଜୀବିକା ହେଉଛି କୃଷି। କୃଷି ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ପନ୍ଥା କୃଷି ପରିବାରକୁ ରୋଜଗାରକ୍ଷମ କରିପାରିବ ନାହିଁ। କୃଷି ଉତ୍ପାଦନ ବଢ଼ାଇବା ସହ ଏହାର ସୁଷମ ବଣ୍ଟନ ଏବଂ ସଠିକ୍‌ ପ୍ରକ୍ରିୟାକରଣ ଦ୍ୱାରା ଚାଷୀଙ୍କ ଆର୍ଥିକ ଅବସ୍ଥାର ସୁଧାର ଆସିପାରିବ। ଅପପୁଷ୍ଟିକୁ ରୋକା ଯାଇପାରିବ। ଜଳବାୟୁର ପ୍ରତିକୂଳ ପ୍ରଭାବକୁ ନିୟନ୍ତ୍ରଣ କରି ଖାଦ୍ୟଶସ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ମତ୍ସ୍ୟଚାଷ, ଗୋପାଳନ, ପଶୁପାଳନ ଓ ଉପଯୁକ୍ତ ଚିକିତ୍ସା, ଆଧୁନିକ କୃଷି ଯନ୍ତ୍ରପାତିର ବ୍ୟବହାର, ମହିଳାଙ୍କୁ ରୋଜଗାରକ୍ଷମ କରି ସମସ୍ତଙ୍କୁ ଖାଦ୍ୟ ଓ ପୁଷ୍ଟି ସୁରକ୍ଷା ଦେବାରେ ଓୟୁଏଟିର ଅବଦାନ ଅତୁଳନୀୟ। ମହିଳାଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ପଦାର୍ଥର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି। ବ୍ୟବସାୟଭିତ୍ତିକ କୃଷି ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଚାଷୀ, ବେକାର ଯୁବକ ଓ ଯୁବତୀ, ଓୟୁଏଟିରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବିଶେଷ ତାଲିମ୍‌ ଦିଆଯାଉଛି। ଫଳରେ କୃଷି ତଥା ଆନୁସଙ୍ଗିକ କୃଷିକୁ ବ୍ୟବସାୟଭିତ୍ତିକ କରାଯାଇପାରିବ। ୨୦୨୨ ସୁଦ୍ଧା ‘ଦାରିଦ୍ୟ ଦୂରୀକରଣ ଓ କ୍ଷୁଧାମୁକ୍ତ ଓଡ଼ିଶାର ସ୍ୱପ୍ନକୁ ସାକାର ଓ କୃଷକମାନଙ୍କର ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ପ୍ରୟାସ ଜାରି ରହିଛି। ଚାଷୀଙ୍କ ସମସ୍ୟାର କିଭଳି ସମାଧାନ ହେବ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲାର ଚାଷୀଙ୍କୁ ଅବଗତ କରାଯାଉଥିବା ନେଇ ସେ ସୂଚନା ଦେଇଛନ୍ତି।

ବାହାରିଛି ୫ କିମସ ଧାନ

ଚଳିତବର୍ଷ  ଓୟୁଏଟିରୁ ୫ଟି ନୂତନ ଭେରାଇଟ୍‌ର ଧାନ କିସମ ବାହାରିଛି। ଏହି କିସମଗୁଡ଼ିକୁ ଖୁବ୍‌ଶୀଘ୍ର ରିଲିଜ୍‌ ହେବ। ଚାଷୀମାନେ କିଭଳି ଅଧିକ ଅମଳ କରିପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଏଥିସହ ଅଧିକ ଜଳକୁ ସହନ କରିପାରୁଥିବା ‘ଚର୍ଚ୍ଚିକା’ କିସମର ଆଖୁ ବିହନ ମାଧ୍ୟ ବାହାର କରାଯାଇଛି।

ସମ୍ବନ୍ଧିତ ଖବର