ଓୟୁଏଟିର ୫୭ ତମ ପ୍ରତିଷ୍ଠା ଦିବସ: ଓୟୁଏଟିରେ ହେବ କୃଷି ଟେକ୍ନୋ ପାର୍କ

ବର୍ଷକ ମଧ୍ୟରେ ବାହାରିଲା ୧୦ ନୂଆ କିସମ ଶସ୍ୟ

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିିଦ୍ୟାଳୟ (ଓୟୁଏଟି)ରେ ପ୍ରତିଷ୍ଠା ହେବ କୃଷି ଟେକ୍ନୋ ପାର୍କ। ଏଠାରେ କୃଷି ସମ୍ପର୍କିତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରାଯିବ। ଛାତ୍ରଛାତ୍ରୀଙ୍କ ସମେତ କୃଷକ ଓ ସାଧାରଣ ଲୋକ ଏହାଦ୍ୱାରା ଉପକୃତ ହୋଇପାରିବେ। ଓୟୁଏଟିର ୫୭ତମ ପ୍ରତିଷ୍ଠା ଦିବସ ଅବସରରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏହି ପାର୍କର ଭିତ୍ତିପ୍ର୍ରସ୍ତର ସ୍ଥାପନ ସହ ବିହନ ରୋପଣ କରି ଟେକ୍ନୋ ପାର୍କର ଶୁଭାରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ସ୍ୱାମୀନାଥନ୍‌ ହଲ୍‌ରେ ଅନୁଷ୍ଠିତ ଉତ୍ସବରେ ମନ୍ତ୍ରୀ ଶ୍ରୀ ମହାରଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର କୃଷକମାନଙ୍କ ଦ୍ୱାରା ବିକଶିତ ଅଭିନବ ଜ୍ଞାନକୌଶଳକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ କୃଷି କ୍ଷେତ୍ରରେ ଆୟବୃଦ୍ଧି ପାଇଁ ଆଖୁ, ପନିପରିବା ଓ କଦଳୀ ଚାଷ ସହ ମାଛ ଚାଷ କରିବା ପାଇଁ କୃଷକଙ୍କୁ ପରାମର୍ଶ ଦେଇଥିଲେ। କୃଷି ବିଭାଗ ପ୍ରମୁଖ ସଚିବ ଡ. ସୌରଭ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, କୃଷିର ବିକାଶ ପାଇଁ ପଦକ୍ଷେପ ନିଆଯାଉଛି। ଆଗାମୀ ଦିନରେ କେଉଁ ଅଞ୍ଚଳରେ କିଭଳି ଚାଷ କଲେ ଚାଷୀମାନେ ଉପକୃତ ହୋଇପାରିବେ, ସେନେଇ ମୋବାଇଲ୍‌ ଆପ୍‌ ମାଧ୍ୟମରେ ସୂଚନା ଦିଆଯିବ।

ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ ଗତ ବର୍ଷକ ମଧ୍ୟରେ ୫ଟି କିସମ ଧାନ ସହ ଗୋଟିଏ କିସମ ଆଖୁ ‘ଚର୍ଚ୍ଚିକା’ କେନ୍ଦ୍ର ସରକାରଙ୍କ ଭାରପ୍ରାପ୍ତ କମିିଟି ଦ୍ୱାରା ମଞ୍ଜୁରପ୍ରାପ୍ତ ହୋଇ ଓଡ଼ିଶାର ଜଳବାୟୁ ପାଇଁ ଅନୁମୋଦିତ କିସମ ହିସାବରେ ବିଜ୍ଞାପିତ ହୋଇଛି। ‘ହସନ୍ତ’ କିିସମ ଧାନର ମାଟିଆଗୁଣ୍ଡି ପୋକ ସହିବା କ୍ଷମତା ରହିଛି। ଅପପୁଷ୍ଟି ଦୂରୀକରଣ ପାଇଁ ଚାଉଳରେ ଦସ୍ତା ଓ ଲୌହ ଥିବା ଧାନ କିସମ ବିକାଶ ପାଇଁ ଗବେଷଣା ଚାଲିଛି। ଶୀତ ଓ ଭୂତାଣୁଜନିତ ରୋଗ ସହନଶୀଳ କ୍ଷମତା ଥିବା ବିରି, ମୁଗ, ମସୁର, ଖେସାରି, ବୁଟ ଆଦି କିସମର ବିକାଶ ପାଇଁ ଉଦ୍ୟମ ହେଉଛି। ‘ତାରା’ କିସମର ଚିନାବାଦାମ ବାହାରିବା ପାଇଁ ପ୍ରସ୍ତୁତ ହୋଇଥିବା ନେଇ ସେ କହିଥିଲେ। ଉତ୍ସବରେ ଅଭିନବ ଜ୍ଞାନକୌଶଳ ବିକାଶ କରିଥିବା କୃଷକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ ବିଶ୍ୱବିଦ୍ୟାଳୟର ସଫଳତା ଉପରେ ଏକ ବୃତ୍ତଚିତ୍ର ଓ ପୁସ୍ତକଗୁଡ଼ିକ ଲୋକାର୍ପିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ସମ୍ପ୍ରସାରଣ ଶିକ୍ଷା ନିର୍ଦେଶାଳୟର ଅଧ୍ୟକ୍ଷ ପ୍ର୍ରଫେସର ପ୍ରଭାତ ରାଉଳ ସ୍ୱାଗତ ଭାଷଣ ଦେଇଥିବା ବେଳେ କୁଳସଚିବ ସୁଷମାରାଣୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର