ଖଣ୍ଡଗିରି: ସମ୍ପ୍ରତି ଦେଶ ଘୋର ଅର୍ଥନୈତିକ ମାନ୍ଦାବସ୍ଥା ଦେଇ ଗତି କରୁଛି। ଆଗକୁ ଆହୁରି ସଂକଟମୟ ସ୍ଥିତି ଉପୁଜିବା ଆଶଙ୍କା ଦେଖାଗଲାଣି। ଏହାର ନିରାକରଣ ପଛରେ ଥିବା ଅନ୍ୟତମ ବିକଳ୍ପ ବାଟ ହେଉଛି କୃଷକର କ୍ରୟଶକ୍ତି ବୃଦ୍ଧି କରିବା। ଖାଲି ଅମଳ ବୃଦ୍ଧି କରିଦେଲେ ହେବ ନାହିଁ, ଉତ୍ପାଦିତ ଦ୍ରବ୍ୟର ବିପଣନ ବ୍ୟବସ୍ଥାର ପରିଚାଳନା ବଡ଼ କଥା। ଆମ ରାଜ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଓ ବଜାର ସହ କୃଷକକୁ ଯୋଡ଼ିବା କ୍ଷେତ୍ରରେ ବହୁ ପଛରେ। ଫଳରେ ଅମଳ ବୃଦ୍ଧି ସତ୍ତ୍ବେ କୃଷକର ଆୟ ବୃଦ୍ଧି ଆଖିଦୃଶିଆ ହୋଇନାହିଁ। ଶନିବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର ୫୮ତମ ପ୍ରତିଷ୍ଠା ଦିବସ ଉତ୍ସବର ମୁଖ୍ୟ ଅତିଥି କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହା କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଓୟୁଏଟିର କୃଷି ବୈଜ୍ଞାନିକମାନଙ୍କ ଉଦ୍ଦେଶ୍ୟରେ କହିଲେ, ଏଣିକି ସେମାନଙ୍କୁ ଅଧିକ ଗବେଷଣା ଓ ନୂତନ ଜ୍ଞାନ ଆହରଣ ପାଇଁ ସରକାରଙ୍କ ଖର୍ଚ୍ଚରେ ରାଜ୍ୟ ବାହାରକୁ ପଠାଯିବ। ଆଉ ଦୁଇ ବର୍ଷ ପରେ ଓୟୁଏଟି ହୀରକ ଜୟନ୍ତୀ ପାଳନ କରିବ। ଏହି ଦୁଇ ବର୍ଷ ଭିତରେ ଓୟୁଏଟି ରାଜ୍ୟ କୃଷି ଓ କୃଷକର ଉନ୍ନତି ପାଇଁ ଏକ ଲ୍ୟାଣ୍ଡମାର୍କ (ଭୂ ଚିହ୍ନ)ଛାଡ଼ିଯିବାକୁ ସେ କୃଷି ବୈଜ୍ଞାନିକମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ଅବସରରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଡ. ସ୍ବପନ କୁମାର ଦତ୍ତ ବିଶ୍ବରେ ଚାଲିଥିବା କୃଷି ପ୍ରଗତି ଚିନ୍ତାଧାରର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ବିଶେଷକରି ମୃତ୍ତିକାର ଉର୍ବରତା ସଂରକ୍ଷଣ ଓ ବୃଦ୍ଧି ଏବଂ ଲୌହ ଓ ଭିଟାମିନ୍ ଯୁକ୍ତ ଧାନ ଉତ୍ପାଦନ ଦିଗରେ ସେ କହିଥିଲେ। ଗୋଲ୍ଡେନ୍ ଚାଉଳ ଉତ୍ପାଦନ ବା ବ୍ରାଉନ୍ ରିଭୋଲ୍ୟୁସନ୍ ଉପରେ ସେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ରାଜ୍ୟ କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ଓୟୁଏଟିର ଗୁରୁ ଦାୟିତ୍ବ ଉପରେ କହିଥିଲେ। ଦେଶର ଏହି ଦ୍ବିତୀୟ ପୁରାତନ କୃଷି ବିଶ୍ବବିଦ୍ୟାଳୟରୁ ରାଜ୍ୟ ବହୁ ଆଶା ରଖୁଛି ବୋଲି ସେ କହିଥିଲେ। ଏହି ଅବସରରେ ଓୟୁଏଟି ପକ୍ଷରୁ ନୂଆପଡ଼ା ଜିଲ୍ଲାର ମାଛଚାଷୀ ନରସିଂହ ନାୟକ, ପୁରୀ କଣାସର ଚିନାବାଦାମ ଚାଷୀ ରାଧାଶ୍ୟାମ ବିଶ୍ବାଳ, ଅନୁଗୁଳର ଛତୁ ଚାଷୀ ଶାନ୍ତିଲତା ସାହୁଙ୍କୁ ସମ୍ବର୍ଧିତ କରାଯାଇଥିଲା। ସେହିଭଳି ଓୟୁଏଟିର ପ୍ରାକ୍ତନ ଛାତ୍ର ଡ. ନିରଂଜନ ପ୍ରଧାନ, ଡ. ଶିବପ୍ରସାଦ ବିଶ୍ବାଳ ଓ ଡ. କିଶୋର ବେହେରାଙ୍କୁ ଯଥାକ୍ରମେ ଫୁଲ ଚାଷ, କୁକୁଡ଼ା ଚାଷ ଓ କୃଷି ଯନ୍ତ୍ରପାତି ନିର୍ମାଣକାରୀ କୃଷି ଉଦ୍ୟୋଗୀଭାବେ ସମ୍ବର୍ଧନା ଦିଆଯାଇଥିଲା। ପରିବା ଚାଷ ଗବେଷଣା ପାଇଁ କୃଷି ବୈଜ୍ଞାନିକ ଡ. ଅନିତା ମହାନ୍ତିଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ଓୟୁଏଟିର କୁଳପତି ଡ. ପୱନ କୁମାର ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ କୁମ୍ଭକର୍ଣ୍ଣ ରାଉତ ସ୍ବାଗତ ଭାଷଣ ଦେଇଥିଲେ ଓ କୁଳସଚିବ ସୁଷମାରାଣୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ।