ଓୟୁଏଟିର ୫୯ତମ ପ୍ରତିଷ୍ଠା ଦିବସ: ଖାଦ୍ୟ ଚାହିଦା ପୂରଣ ପାଇଁ ଜ୍ଞାନକୌଶଳ ଆବଶ୍ୟକ

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା ଦିଗରେ କୃଷି କ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷଜମିରୁ ଅଧିକ ଖାଦ୍ୟ ଉତ୍ପାଦନର ଜ୍ଞାନକୌଶଳ ପ୍ରୟୋଗ ଓ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟରେ ପରିବେଶ ଅନୁକୂଳ ଚାଷ କାର୍ଯ୍ୟ ନିମନ୍ତେ ଅଧିକ ଗବେଷଣା ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି)ର ପ୍ରମୁଖ ଭୂମିକା ରହିଛି। ଓୟୁଏଟିର ୫୯ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ ଏହା କହିଛନ୍ତି।

ମନ୍ତ୍ରୀ ଶ୍ରୀ ସାହୁ କହିଲେ, କୋଭିଡ୍‌-୧୯ ପରି ଏକ ଜଟିଳ ପରିସ୍ଥିତିରେ ମଣିଷ ସମାଜ ଗତି କରୁଛି। ଏଭଳି ସମୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଲୋକଙ୍କ ମୌଳିକ ଚାହିଦା ମେଣ୍ଟାଇବା ସହ ସେମାନଙ୍କୁ ରୋଜଗାର ଦେବାରେ ସକ୍ଷମ ହୋଇଥିଲା। ରାଜ୍ୟର ଦ୍ରୁତ ବିକାଶ ନିମନ୍ତେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହିତ ଜଡ଼ିତ ୭୦%ରୁ ଅଧିକ ଲୋକଙ୍କର ଆୟ ବୃଦ୍ଧି କରିବା ଆବଶ୍ୟକ। କୃଷକଙ୍କର ଆୟ ବୃଦ୍ଧି ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଆଧୁନିକ ଜ୍ଞାନକୌଶଳ ଉଦ୍ଭାବନ ଓ ଏହାକୁ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଓୟୁଏଟି ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରୁ। ଏଥିସହ କୃଷିକ୍ଷେତ୍ରରେ କୋଭିଡ୍‌-୧୯ ପୂର୍ବର ଓ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ କୃଷି ବିଶ୍ୱବିଦ୍ୟାଳୟ ଗବେଷଣା କରି ନିର୍ଯାସ ବାହାର କରିପାରିଲେ ଏହା ଭବିଷ୍ୟତ ନୀତି ନିର୍ଦ୍ଧାରଣ ନିମନ୍ତେ ସହାୟକ ହେବ।

ଓୟୁଏଟି କୁଳପତି ପୱନ କୁମାର ଅଗ୍ରୱାଲ ଅଧ୍ୟକ୍ଷତା କରି ବିଶ୍ୱବିଦ୍ୟାଳୟର ବିଭିନ୍ନ ସଫଳତା ଓ ନୂତନ ପ୍ରୟାସ ବିଷୟରେ ଆଲୋକପାତ କରିଥିଲେ। ଗତବର୍ଷ କେତେକ ଛାତ୍ରଛାତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା, ଫିଲିପିନ୍‌ସ, ଥାଇଲାଣ୍ଡ ଆଦି ଦେଶରେ ରହିଥିବା ଅନ୍ତର୍ଜାତୀୟସ୍ତରର ଗବେଷଣାଗାର ପରିଦର୍ଶନ କରି ଶିକ୍ଷା ଅର୍ଜନ କରିବାର ସୁଯୋଗ ପାଇଛନ୍ତି। ଏଥିସହ ରାଜ୍ୟରେ ପ୍ରଥମ କରି ମକାର ଶଙ୍କର କିସମ ଓ କପାର ଅଧିକ ଅମଳକ୍ଷମ କିସମ ବିକାଶ କରାଯାଇଥିବା ସୂଚନା ଦେଇଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ନେବ୍ରାସ୍କା-ଲିଙ୍କନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଚିତ୍ତରଞ୍ଜନ ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃଷି କ୍ଷେତ୍ରରେ ଜଳ ପରିଚାଳନାର ଅତ୍ୟାଧୁନିକ ଜ୍ଞାନକୌଶଳ ଉପରେ ଅନ୍‌ଲାଇନ୍‌ରେ ଆଲୋଚନା କରିଥିଲେ। ନେବ୍ରାସ୍କା-ଲିଙ୍କନ୍ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ପି. ଷ୍ଟିଫେନ୍‌ ବେଞ୍ଜିଗର ପ୍ରତିଷ୍ଠା ଦିବସ ବକ୍ତବ୍ୟ ପ୍ରଦାନ କରି ‘ବିଶ୍ୱ ଖାଦ୍ୟ ସୁରକ୍ଷା ଓ ଏଥିପାଇଁ କୃଷି ଗବେଷଣାର ଅବଦାନ’ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ କେତେକ ପୁସ୍ତକ ଓ ପତ୍ରପତ୍ରିକା ଉନ୍ମୋଚନ ହେବା ସହ ଶ୍ରେଷ୍ଠ କୃଷକ, କୃଷି ଉଦ୍ୟୋଗୀ, କୃଷି ବୈଜ୍ଞାନିକ, ମହିଳା ବୈଜ୍ଞାନିକ, ସଂପ୍ରସାରଣ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର, ଛାତ୍ର ଓ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଲଳିତ ମୋହନ ଗଡ଼ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର