୪ରୁ ଓୟୁଏଟିରେ ଆନ୍ଥ୍ରାକ୍ସ ନିରୂପଣ କର୍ମଶାଳା, ବିଶ୍ବକୁ ଆନ୍ଥ୍ରାକ୍ସ ବୋମା ଭୟ

ଭୁବନେଶ୍ବର: ପରମାଣୁ ବୋମାଠାରୁ ଜୈବିକ ଆନ୍ଥ୍ରାକ୍ସ ବୋମା କିଛି କମ୍ ଭୟଙ୍କର ନୁହେଁ। ମାତ୍ର ୫୦ କିଲୋ ଓଜନର ଆନ୍ଥ୍ରାକ୍ସ ସ୍ପର୍ କୌଣସି ସ୍ଥାନରେ ବିସ୍ଫୋରଣ ହେଲେ ୧ ଲକ୍ଷ ଲୋଙ୍କ ପ୍ରାଣହାନୀ ଘଟିପାରେ ଓ ୨.୫ ଲକ୍ଷ ଲୋକ ପଙ୍ଗୁ ହୋଇଯିବାର ଆଶଙ୍କା ରହିଛି। ୧୫୦ ବର୍ଷ ପୂର୍ବେ ଏହି ଭୂତାଣୁକୁ ଚିହ୍ନଟ କରାଯାଇଥିଲେ ମଧ୍ୟ ତାହାକୁ ବିଲୋପ କରାଯାଇ ପାରିନାହିଁ। ବରଂ ଏବେ ପୁଣି ବନ୍ୟପ୍ରାଣୀ ସିମ୍ପାଜି ଦେହରେ ଏହି ଭୂତାଣୁର ଭୟଙ୍କର ରୂପ ବାସିଲସ୍‌ ସିରିଅସ୍ ବାଇଓଭାର ଆନ୍ଥ୍ରାସିସ୍‌ ଠାବ କରାଯାଇଛି। ଫଳରେ ଏହି ଭୂତାଣୁକୁ ନେଇ ଜୈବିକ ବୋମା ପ୍ରସ୍ତୁତ ହେଲେ ବିଶ୍ବକୁ ଏକ ନୂତନ ବିପଦର ମୁକାବିଲା କରିବାକୁ ପଡ଼ିବ ବୋଲି ବୈଜ୍ଞାନିକମାନେ ଚିନ୍ତା ବ୍ୟକ୍ତ କଲେଣି। ତେଣୁ ଏଥିପାଇଁ ଆନ୍ଥ୍ରାକ୍ସ ରୋଗ ନିରୂପଣ ଏବେ ବି ଏକ ଚ୍ୟାଲେଞ୍ଜ ହୋଇ ରହିଛି। ଆସନ୍ତା ୪ ତାରିଖରୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ବନ୍ୟଜନ୍ତୁ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ହେଉଥିବା କର୍ମଶାଳାର ଅବ୍ୟବହିତ ପୂର୍ବରୁ ଏହି ସୂଚନା ଦିଆଯାଇଛି। ଆମେରିକାର ସିଡିସି ଓ ଆଇସିଏଆର୍ ମିଳିତ ଭାବେ ଓୟୁଏଟିରେ ଏହି ୪ ଦିନିଆ କର୍ମଶାଳା ଆୟୋଜନ କରୁଛନ୍ତି। ଏଥିରେ ଗୋରୁ ଓ ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କଠାରେ ଆନ୍ଥ୍ରାକ୍ସ ଭୂତାଣୁ ନିରୂପଣ କରିବା ବିଷୟରେ ବିଶେଷଜ୍ଞମାନେ ତାଲିମ ଦେବେ।

ଡାକ୍ତରମାନଙ୍କ ସୂଚନାନୁସାରେ ଦକ୍ଷିଣ ଓ ପୂର୍ବ ଭାରତରେ ବର୍ଷା ଋତୁ ଆରମ୍ଭରେ ଏହି ରୋଗ ଅଧିକ ମାତ୍ରାରେ ବ୍ୟାପିଥାଏ। ଓଡ଼ିଶାରେ କୋରାପୁଟ ହେଉଛି ଏଥିପାଇଁ ସମ୍ବେଦନଶୀଳ ଅଞ୍ଚଳ। ଆନ୍ଥ୍ରାକ୍ସ ରୋଗାକ୍ରାନ୍ତ ବନ୍ୟଜନ୍ତୁଙ୍କୁ ଖାଇବା ଦ୍ବାରା ମଣିଷକୁ ଏହି ରୋଗ ସଂକ୍ରମିତ ହୋଇଥାଏ। ଫଳରେ ମଣିଷର ଦେହରେ ଫୋଟକା ସୃଷ୍ଟି ହେବା ଓ ତରଳ ରକ୍ତ ମିଶ୍ରିତ ଝାଡ଼ା ହେବା ସହ ଶ୍ବାସନଳୀରେ ସଂକ୍ରମଣ ଯୋଗୁଁ ରୋଗୀ ଅସୁସ୍ଥ ଅନୁଭବ କରିଥାଏ। ଉପଯୁକ୍ତ ଆଣ୍ଟିବାୟୋଟିକ୍‌ସ ସେବନ କରିବା ଦ୍ବାରା ଏହି ରୋଗ ଆରୋଗ୍ୟ ହୋଇଥାଏ। ତେବେ ଭୟଙ୍କର କଥାଟି ହେଉଛି ଏହି ରୋଗାକ୍ରାନ୍ତ ଗୋରୁ ବା ବନ୍ୟପ୍ରାଣୀର ମରଶରୀରରୁ ନିର୍ଗତ ଭୂତାଣୁ ବାୟୁମଣ୍ଡଳର ଅମ୍ଳଜାନ ସହ ମିଶି ସ୍ପର୍‌ରେ ପରିଣତ ହୁଏ ଓ ବର୍ଷ ବର୍ଷ ଧରି ମାଟିରେ ରହିଥିବା ଏହି ସ୍ପର୍ ଉପଯୁକ୍ତ ପରିବେଶ ପାଇଲେ, ପଶୁମାନଙ୍କ ଦେଇ ମଣିଷ ଶରୀରକୁ ଆସିଥାଏ। କୁକୁରର ରକ୍ତ ପରୀକ୍ଷାରୁ ଉକ୍ତ ଭୂତାଣୁ ନିରୂପଣ କରାଯାଇପାରୁଥିବାରୁ କର୍ମଶାଳାରେ ଏହା ଉପରେ ଅଧିକ ତାଲିମ ଉପଲବ୍‌ଧ ହେବ।

ସମ୍ବନ୍ଧିତ ଖବର