ଖଣ୍ଡଗିରି: ବିଭିନ୍ନ ପ୍ରକାର ପୋକ ଓ କୀଟ ଦାଉରୁ ଶସ୍ୟକୁ ସୁରକ୍ଷିତ ଭାବେ ସାଇତି ରଖିବା ପାଇଁ ଉପଯୁକ୍ତ ଜ୍ଞାନକୌଶଳର ଆବଶ୍ୟକତା ରହିଛି। ପୁରୁଣା ପଦ୍ଧତିରେ ଶସ୍ୟ ସାାଇତିବା ଦ୍ୱାରା ବ୍ୟାପକ ଶସ୍ୟ ନଷ୍ଟ ହେଉଛି। ଫଳରେ ଦେଶରେ ଖାଦ୍ୟାଭାବ ସୃଷ୍ଟି ହେଉଛି। ଏହା ଏକ ଜାତୀୟ ସମସ୍ୟା କହିଲେ ଭୁଲ୍ ହେବ ନାହିଁ। ତେଣୁ ନୂତନ ଜ୍ଞାନକୌଶଳକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ବର୍ତ୍ତମାନର ଆହ୍ଵାନ। ଆଜି ଓୟୁଏଟିରେ ଶସ୍ୟ ସାଇତିବା ଉପରେ ଆୟୋଜିତ ଏକ କର୍ମଶାଳାରେ ଅତିଥିମାନେ ଏହା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀମାନେ ଉତ୍ପାଦନ କରୁଥିବା ଶସ୍ୟର ୨୦ରୁ ୩୦ ଶତକଡ଼ା ସାଇତା ହୋଇ ରହେ। କିନ୍ତୁ ତାହା ବିଭିନ୍ନ ପୋକ ଓ କୀଟମାନଙ୍କ ଦ୍ୱାରା ନଷ୍ଟ ହୁଏ। ମୂଷାଠାରୁ ଆରମ୍ଭ କରି ପୋକ, ଅଷ୍ଟପଦୀ, ସୂତ୍ରକୃମି, ବୀଜାଣୁ, କବକ ଓ ଭୂତାଣୁ ସାଇତା ଶସ୍ୟକୁ ନଷ୍ଟ କରନ୍ତି। ପୁରୁଣା ପଦ୍ଧତିରେ ଶସ୍ୟ ସାଇତିବା ଯୋଗୁଁ ଏଭଳି ହୋଇଥାଏ। ଧାନକୁ ଭୂମା ପୋକ, ଚାଉଳକୁ ଶୁଣ୍ଢା ବା ଉକୁଣିଆ ପୋକ, ସୁଜି, ଅଟା, ମଇଦା ଓ ଡାଲି ଜାତୀୟ ଶସ୍ୟକୁ ଭୃଙ୍ଗ ବା ନୋଳିପୋକ ନଷ୍ଟ କରନ୍ତି। ତେଣୁ ଅତ୍ୟାଧୁନିକ ପ୍ରଣାଳୀରେ ଫସ୍ଫିନ୍ ଦାନାଦାରରୁ ନିର୍ଗତ ଗ୍ୟାସ୍ ପ୍ରୟୋଗ କରିବା ଜରୁରି। କିନ୍ତୁ ଏଥିପାଇଁ ଉପଯୁକ୍ତ ଜ୍ଞାନକୌଶଳ ଶିଖିବା ନିହାତି ଆବଶ୍ୟକ। ଚାଷୀମାନଙ୍କଠାରୁ ଆରମ୍ଭ କରି ସମ୍ପ୍ରସାରଣ ଅଧିକାରୀ ଆଦି ସମସ୍ତେ ଏହି ବୈଷୟିକ ପଦ୍ଧତି ବୁଝିବା ଦରକାର। କାର୍ଯ୍ୟକ୍ରମରେ ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ, ମଣିପୁର କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଏସ୍ଏନ୍ ପୁରି, ପୂର୍ବତନ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ଆର୍ଏନ୍ ଦାସ ଓ ଭାରତୀୟ ଖାଦ୍ୟ ନିଗମ ଅଧିକାରୀ କେକେ ଦାସ ପ୍ରମୁଖ ଉପସ୍ଥିତ ଥିଲେ।