ଏମ୍‌ସିସି ପାଇଁ ଓୟୁଏଟି ଦେଲା ଜମି

ଜୈବସାର ଗବେଷଣା ପାଇଁ ଚୁକ୍ତିନାମା ସ୍ବାକ୍ଷରିତ

ଭୁବନେଶ୍ୱର : ସହରକୁ ବର୍ଜ୍ୟ ମୁକ୍ତ କରିବା ମିସନ୍‌ରେ ବିଏମ୍‌ସି ସହ ସାମିଲ ହୋଇଛି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)। ବର୍ଜ୍ୟବସ୍ତୁ ପରିଚାଳନା ସହ ଜୈବସାର ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨.୫ ଏକର ଜାଗା ଯୋଗାଇଦେବ ଏହି ଅନୁଷ୍ଠାନ। ଏମ୍‌ସିସି ପ୍ରତିଷ୍ଠା କରି ବିଏମ୍‌ସି ବର୍ଜ୍ୟବସ୍ତୁ ପରିଚାଳନା କରିବ। ଓୟୁଏଟି ଜୈବସାର ଗବେଷଣା କରିବ। ଏଥିପାଇଁ ବିଏମ୍‌ସି ଓ ଓୟୁଏଟି ମଧ୍ୟରେ ଆଜି ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଏହା ଫଳରେ ସହରରେ ଆବର୍ଜନା ସମସ୍ୟା ଦୂର ହେବ ବୋଲି ବିଏମ୍‌ସି କହିଛି।

ଏହି ୨.୫ ଏକର ଜମିରେ ବିଏମ୍‌ସି ପକ୍ଷରୁ ବର୍ଜ୍ୟ ପ୍ରକ୍ରିୟା କରଣ କେନ୍ଦ୍ର କରାଯାଇ ଏହି ଅଂଚଳରୁ ସଂଗୃହୀତ ବର୍ଜ୍ୟ ପ୍ରକ୍ରିୟାକରଣ କରାଯିବ। ଏହାର ସଂପୂର୍ଣ୍ଣ ଖର୍ଚ୍ଚ ବହନ କରିବ ବିଏମ୍‌ସି। ଏଠାରୁ ବାହାରିବାକୁ ଥିବା ‘ମୋ ଖତ’ ଓୟୁଏଟି ପାଇଁ ହେଉଥିବା ଆବଶ୍ୟକତା ମେଣ୍ଟାଇବ। ଓୟୁଏଟି ବ୍ୟବହାର କରିବା ପରେ ବଳକା ଖତକୁ ବିଏମ୍‌ସି ବିକ୍ରି କରିବ। ଅନ୍ୟପଟେ ଖତର ମାନ ଓ ଏ ସଂପର୍କିତ ଗବେଷଣା କରିବ। ଫଳରେ ଖତର ମାନ ମଧ୍ୟ ବଢ଼ିବ। ନିକଟରେ ‘ମୋ ଖତ’ର ଚାହିଦା ବଢିବା ସହ ଭୁବନେଶ୍ୱର ବ୍ୟତୀତ ଅନ୍ୟ ସ୍ଥାନରେ ବିକ୍ରି ବଢ଼ିଛି। ଦିନକୁ ଦିନ ବଢୁଥିବା ବର୍ଜ୍ୟବସ୍ତୁକୁ ପରିଚାଳନା କରାଯାଇ ସହରର ସ୍ୱଚ୍ଛତା ଆଣିବା ସହ ବାସୋପଯୋଗିତାର ଗୁଣାତ୍ମକ ମାନ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମେୟର ସୁଲୋଚନା ଦାସ। ଏହି ମିସନ୍‌ରେ ଓୟୁଏଟି ସାମିଲ ହେବା ଏକ ଖୁସି ଖବର ବୋଲି କହିଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ। ଡେପୁଟି କମିସନର ମନୋରଂଜନ ସାହୁ ଓ ଓୟୁଏଟି କୂଳସଚିବ ଲୋପାମୁଦ୍ରା ମହାନ୍ତିଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ବେଳେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ଓ ଜେଡ୍‌ଡିସି ରବିନାରାୟଣ ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର