ଓୟୁଏଟିରେ ଏନ୍‌ଏଭିଏସ୍‌ର ୧୭ତମ ସମାବର୍ତ୍ତନ ଉତ୍ସବ

ଉନ୍ନତ ପଶୁସମ୍ପଦ ବିକଶିତ କୃଷିର ମାପଦଣ୍ଡ 

ଖଣ୍ଡଗିରି: ପଶୁପାଳନ ହେଉଛି କୃଷିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତେଣୁ ଉନ୍ନତ ପଶୁସମ୍ପଦ ବିନା କୃଷିର ବିକାଶ ଅସମ୍ଭବ। କୃଷକର ଆୟ ବୃଦ୍ଧି ପାଇଁ ସରକାର ଯେଉଁ ସବୁ ଯୋଜନା ପ୍ରଣୟନ କରୁଛନ୍ତି, ସେଥିରେ ପଶୁପାଳନକୁ ଆଜି ଅଧିକ ଗୁରୁତ୍ବ ଦିଆଯାଉଛି। ପଶୁ ସମ୍ପଦ କ୍ରମେ ହ୍ରାସ ପାଉଥିବା ବେଳେ ଉନ୍ନତ ପଶୁସମ୍ପଦ ସୃଷ୍ଟି କରିବା ସମ୍ପ୍ରତି ସମୟର ବଡ଼ ଆହ୍ବାନ। ଗବେଷଣା ମାଧ୍ୟମରେ ପଶୁ ଚିକିତ୍ସା, ପ୍ରଜନନ ଓ ରୋଗ ନିରାକରଣ ଆଦି କାର୍ଯ୍ୟକ୍ରମକୁ ଅଧିକ ଗୁରୁତ୍ବ ଦେବାର ସମୟ ଆସିଛି। ଏଥିପାଇଁ ପଶୁ ସମ୍ପଦ କ୍ଷେତ୍ରରେ କାମ କରୁଥିବା ଗବେଷକ, ବୈଜ୍ଞାନିକ ଓ ଡାକ୍ତରମାନେ ଅଧିକ ଧ୍ୟାନ ଦେବା ଜରୁରି ହୋଇପଡ଼ିଛି। ଆଜି ଓୟୁଏଟି ପରିସରରେ ଜାତୀୟ ଭେଟେରିନାରି ବିଜ୍ଞାନ ଏକାଡେମି (ଏନ୍‌ଏଭିଏସ୍‌)ର ୧୭ତମ ସମାବର୍ତ୍ତନ ଉତ୍ସବରେ ଅତିଥିମାନେ ଏଭଳି ମତ ରଖିଛନ୍ତି। ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇସିଏଆର୍‌ର ମହାନିର୍ଦେଶକ ପ୍ରଫେସର ତ୍ରିଲୋଚନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ଏନ୍‌ଏଭିଏସ୍‌ର ସଭାପତି ମେଜର ଶ୍ରୀକାନ୍ତ, ସାଧାରଣ ସମ୍ପାଦକ ଡ. ଏସ୍‌କେ ଗୁପ୍ତା, ଲେଫ୍ଟନାଣ୍ଟ ସମ୍ପାଦକ ଜେନେରାଲ୍‌ ଡ. ଏନ୍‌ ମହାନ୍ତି, ଓୟୁଏଟିର ପୂର୍ବତନ କୁଳପତି ପ୍ରଫେସର ଖଗେଶ୍ବର ପ୍ରଧାନ, କୃଷି ବୈଜ୍ଞାନିକ ଚୟନ ସଂସ୍ଥାର ଅଧ୍ୟକ୍ଷ ଡ. ଏ.କେ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପଶୁସମ୍ପଦ ଉପରେ ଉତ୍କୃଷ୍ଟ ଗବେଷଣା କରିଥିବା ପ୍ରଫେସର ଓ ବୈଜ୍ଞାନିକମାନଙ୍କୁ ଫେଲୋସିପ୍‌ ପ୍ରଦାନ କରାଯାଇଥିଲା ଓ ପରେ ପରେ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଖାଦ୍ୟ ସୁରକ୍ଷା ଓ ସ୍ବାସ୍ଥ୍ୟ ଉପରେ ପଶୁପାଳନର ଭୂମିକାକୁ ନେଇ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ଦେଶବିଦେଶରୁ ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଶତାଧିକ ବୈଜ୍ଞାନିକ ଓ ପ୍ରଫେସରମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର