ଓୟୁଏଟିରୁ କ୍ୟୁପିସିଆର ମେସିନ୍ ଗଲା ଏମ୍‌ସ, ବୃଦ୍ଧି ପାଇବ କରୋନା ପରୀକ୍ଷା ସଂଖ୍ୟା

ଭୁବନେଶ୍ବର : ଓୟୁଏଟିର ପ୍ରାଣୀଚିକିତ୍ସା କେନ୍ଦ୍ରରେ ରହିଥିବା କ୍ୟୁପିସିଆର ମେସିନ୍‌କୁ ଏମ୍‌ସ ପଠାଯାଇଛି। ଏହି ମେସିନ୍ ଜରିଆରେ କରୋନା ସଂକ୍ରମିତଙ୍କ ପରୀକ୍ଷା କରାଯିବ। ତେବେ ପୂର୍ବରୁ ଓୟୁଏଟି ପରିସରରେ ଏହି ପରୀକ୍ଷା ପାଇଁ ଯୋଜନା ହୋଇଥିବା ବେଳେ ଶେଷ ମୁହୂର୍ତରେ ଏହି ମେସିନ୍‌କୁ ଏମ୍‌ସ ଭୁବନେଶ୍ବରକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ରାଜ୍ୟରେ କିଛିବର୍ଷ ପୂର୍ବରୁ ବହୁ ସଂଖ୍ୟାରେ ହାତୀ ହର୍ପିସ ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ପରେ ନନ୍ଦନକାନନ କର୍ତୃପକ୍ଷଙ୍କ ଜରିଆରେ ଏହି କ୍ୟୁପିସିଆର ମେସିନ୍‌ କିଣା ଯାଇଥିଲା। ଏହି ମେସିନ୍‌ ସାହାଯ୍ୟରେ ଖୁବ୍‌ କମ ସମୟ ଭିତରେ ଭୂତାଣୁ ସଂପର୍କରେ ଜଣା ପଡ଼ିଥାଏ। ଓୟୁଏଟିର କୁଳପତି ବିଭାଗୀୟ ଅଧିକାରୀଙ୍କୁ ଏହି ମେସିନ୍‌ ଏମ୍‌ସ ଭୁବନେଶ୍ବରକୁ ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଦେଇଛନ୍ତି।

ଉଲ୍ଲେଖ ଯେ ରାଜ୍ୟରେ ଏବେ ଆରଏମ୍‌ଆରସି, ଏସ୍‌ସିବି ମେଡିକାଲ ଓ ଏମ୍‌ସ ଭୁବନେଶ୍ବରରେ କୋଭିଡ ପରୀକ୍ଷା କରାଯାଉଛି। ଆଗାମୀ ଦିନରେ ଏହି ପରୀକ୍ଷା ଭିମସାର ଓ ଏମ୍‌କେସିଜିରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ ଓୟୁଏଟିରୁ ଏହି ମେସିନ୍‌ ଏମ୍‌ସ ଯିବା ପରେ ସେଠା‌ରେ କୋଭିଡ ପରୀକ୍ଷା ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର