ଖଣ୍ଡଗିରି: ବୁଧବାର ସକାଳେ ସ୍ଥାନୀୟ ଓୟୁଏଟି ଷ୍ଟାଡିୟମ୍ରେ ଇଣ୍ଡିଆନ୍ ମୋରାଲ୍ ଆଣ୍ଡ କଲ୍ଚରାଲ୍ ଟ୍ରେନିଂ (ଆଇଏମ୍ସିଟି) ଟ୍ରଷ୍ଟ ପକ୍ଷରୁ ତୃତୀୟ ଭଏସ୍ ଅଫ୍ ୟୁନିଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସମବେତ ସ୍ବରରେ ବନ୍ଦେ ମାତରଂ ଗାନ କରିଥିଲେ। ଦେଶାତ୍ମବୋଧର ଏହି ସୁନ୍ଦର ସଙ୍ଗୀତର ଧୂନ୍ରେ ସାରା ଷ୍ଟାଡିୟମ୍ କମ୍ପି ଉଠିଥିଲା। ପୂରା ଷ୍ଟାଡିୟମ୍ରେ ଭରି ହୋଇ ଯାଇଥିଲା ଦେଶାତ୍ମବୋଧର ବାତାବରଣ। ସମବେତ ସ୍ବରରେ ଗାଇବାକୁ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀ ଏକାଠି ହୋଇଯିବା ପରେ ସମସ୍ତଙ୍କଠାରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ବନ୍ଦେ ମାତରଂ ଗାଇବା ବେଳେ ଏହି ଉତ୍ସାହ ସେମାନଙ୍କ ସ୍ବର ଓ ତାନରୁ ବାରି ହୋଇପଡ଼ିଥିଲା। ସେମାନଙ୍କ ସହ ସ୍ବର ମିଶାଇ ଦର୍ଶକମାନେ ବି ବନ୍ଦେ ମାତରଂ ଗାଉଥିବା ଦେଖିବାକୁ ମିଳିଥିଲା। ଟ୍ରଷ୍ଟର ସଭାପତି ଡ. ବିମଳେନ୍ଦୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଓଡ଼ିଶା ଶାଖା କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ମୁରଲୀ ମନୋହର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଭାରତ ପ୍ରତି ପାକିସ୍ତାନର ଆଭିମୁଖ୍ୟର କଥା କହିଥିଲେ। ଟ୍ରଷ୍ଟର କେନ୍ଦ୍ରୀୟ କାର୍ଯ୍ୟକର୍ତ୍ତା ସୋମକାନ୍ତ ଜୀ ପାକିସ୍ତାନକୁ ଟାର୍ଗେଟ୍ କରି କହିଲେ ଯେ ଏହି ପଡ଼ୋଶୀ ଦେଶ ହେଉଛି ଭାରତର ମୁଖ୍ୟ ଶତ୍ରୁ ଓ ଏହି ଦେଶ ପଟୁ ସବୁବେଳେ ଭାରତକୁ ବିପଦ ମାଡ଼ି ଆସୁଛି। ତେବେ ଭାରତୀୟ ଯବାନମାନେ ପାକିସ୍ତାନକୁ ଜବାବ୍ ଦେବା ପାଇଁ ପ୍ରସ୍ତୁତ ବୋଲି ସେ କହିଥିଲେ। ଏହି ଅବସରରର ମୁଖ୍ୟ ଆକର୍ଷଣ ପରମବୀରଚକ୍ର ଉପାଧି ଭୂଷିତ ସୁବେଦାର ମେଜର୍ ଯୋଗେନ୍ଦ୍ର ସିଂହ ଯାଦବ ଛାତ୍ରଛାତ୍ରୀମାନଙ୍କୁ ଭାରତ ଓ ପାକ୍ ମଧ୍ୟରେ ହୋଇଥିବା ୧୯୭୧ ମସିହାର ଯୁଦ୍ଧ ଓ କାର୍ଗିଲ୍ ଯୁଦ୍ଧର ସ୍ମୃତିଚାରଣ କରିଥିଲେ। ତାଙ୍କ ଦେଶପ୍ରେମ ଛାତ୍ରଛାତ୍ରୀମାନଙ୍କୁ ଅଧିକ ଆନନ୍ଦିତ କରିଥିଲା। ତେଣୁ ସେମାନେ ଭାରତ ମାତା କି ଜୟ ବୋଲି ମଝିରେ ମଝିରେ ଚିଲାଉଥିଲେ। ଶେଷରେ ସର୍ବେଶ୍ବର ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।
ବନ୍ଦେ ମାତରଂ ଧୂନ୍ରେ କମ୍ପିଲା ଓୟୁଏଟି ଷ୍ଟାଡିୟମ୍
/sambad/media/post_attachments/wp-content/uploads/2018/12/Untitled-17-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)