ସ୍ଥାୟୀ କୁଳପତି ନିଯୁକ୍ତି ସପକ୍ଷରେ ଓୟୁଏଟି ଛାତ୍ରଛାତ୍ରୀ

ଖଣ୍ଡଗିରି: ଓୟୁଏଟିରେ ସ୍ଥାୟୀ କୁଳପତି ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଛାତ୍ରଛାତ୍ରୀମାନେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏହି ବିଶ୍ବବିଦ୍ୟାଳୟ ଅଧୀନ ସମସ୍ତ ମହାବିଦ୍ୟାଳୟ ଛାତ୍ର ପ୍ରତିନିଧିମାନେ ଏକ ବୈଠକରେ ଏକତ୍ର ହୋଇ ଏଭଳି ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଅନ୍ୟ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଏହି ବିଶ୍ବବିଦ୍ୟାଳୟର ସାମୟିକ ବା ଅସ୍ଥାୟୀ କୁଳପତି ଭାବେ ଦାୟିତ୍ବ ଦିଆଯିବା ଦ୍ବାରା ଏହାର ମର୍ଯ୍ୟାଦା ଅକ୍ଷୁଣ୍ଣ ରହିବା ଉପରେ ପ୍ରଶ୍ନବାଚୀ ଛିଡ଼ା ହୋଇଛି ବୋଲି ଛାତ୍ରଛାତ୍ରୀମାନେ ମତବ୍ୟକ୍ତ କରିଛନ୍ତି। ସେହିଭଳି ସ୍ଥାୟୀ କୁଳପତିଙ୍କ ବିନା ଏଠାରେ ଚାଲିଥିବା ଗବେଷଣା ଓ ଶିକ୍ଷାଦାନ ପ୍ରକ୍ରିୟା ମନ୍ଥର ହୋଇଯିବ ବୋଲି ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। କୁଳପତି ପଦ ପାଇଁ ଏହି ବିଶ୍ବବିଦ୍ୟାଳୟର ବହୁ ଯୋଗ୍ୟ ବ୍ୟକ୍ତି ଥିବାରୁ ସେମାନଙ୍କୁ ଉପେକ୍ଷା କରିବା ଦ୍ବାରା ବିଶ୍ବବିଦ୍ୟାଳୟର ଭବିଷ୍ୟତ ଅସ୍ଥିରତା ଭିତରକୁ ଟାଣି ହୋଇଯିବ ବୋଲି ଛାତ୍ରଛାତ୍ରୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ କୁଳପତି ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର