ଭୁବନେଶ୍ୱର : ଗ୍ରାମୀଣ କୃଷି କାର୍ଯ୍ୟ ଅଭିଜ୍ଞତା ହାସଲ କରିବା ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ମହାବିଦ୍ୟାଳୟର ଶେଷ ବର୍ଷର ଛାତ୍ରଛାତ୍ର୍ରୀମାନେ ଆଜିଠାରୁ ଗାଁ ଚାଷୀମାନଙ୍କ ପାଖକୁ ଯାଇଛନ୍ତି। ରାଜ୍ୟର କିଛି କିଛି ବଛା ବଛା କୃଷି ପ୍ରଧାନ ଗାଁକୁ ସେମାନଙ୍କୁ ପଠାଯାଇଛି। ସେଠାରେ ସେମାନେ ୫ଟି ପର୍ଯ୍ୟାୟରେ ୧୦ ସପ୍ତାହ ବିତାଇବେ। ଏହି ଦୀର୍ଘ ଅବଧି ଭିତରେ ସେମାନେ କୃଷକମାନଙ୍କ ସହ ସିଧାସଳଖ ସମ୍ପର୍କ ରଖି ବିଭିନ୍ନ କୃଷି ସମସ୍ୟା ଉପରେ ଜ୍ଞାନ ଆହରଣ କରିବେ। ଚାଷୀମାନେ କେଉଁ ଜମିରେ କି ଚାଷ କରୁଛନ୍ତି, ସେମାନେ ନୂତନ ଜ୍ଞାନ କୌଶଳ ପ୍ରୟୋଗ କରୁଛନ୍ତି କି ନା, ବ୍ଲକ ବା ଜିଲ୍ଲାସ୍ତରରେ କାମ କରୁଥିବା କୃଷି ସମ୍ପ୍ରସାରଣ ଅଧିକାରୀମାନେ ଚାଷୀମାନଙ୍କୁ କିଭଳି ସହଯୋଗ କରୁଛନ୍ତି, ଅମଳ ବୃଦ୍ଧିରେ ଚାଷୀମାନେ କି କି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଆଦି ସମସ୍ୟା ଉପରେ ଛାତ୍ରଛାତ୍ରୀମାନେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବେ। ଏଥିସହିତ ଛାତ୍ରଛାତ୍ରୀମାନେ ଚାଷୀମାନଙ୍କୁ ମଧ୍ୟ ସେମାନଙ୍କ ପଠିତ ଜ୍ଞାନକୁ ବିତରଣ କରିବାର ସୁଯୋଗ ପାଇବେ। ଏହି ଅବସରରେ ପ୍ରତ୍ୟେକ ଛାତ୍ର ୫ଟି କୃଷି ପରିବାରକୁ ପୋଷ୍ୟଭାବେ ଗ୍ରହଣ କରିବେ ଓ ସେମାନଙ୍କ ଚାଷ ସମ୍ପର୍କିତ ତଥ୍ୟ ଲିପିବଦ୍ଧ କରିବେ। ପରେ ସେମାନେ ପୁଣି ବିଶ୍ୱବିଦ୍ୟାଳୟକୁ ଫେରି ଚାଷୀମାନଙ୍କ ସମସ୍ୟା ବାବଦରେ ନିଜ ନଜି ଅଧ୍ୟାପକ ଓ ବୈଜ୍ଞାନିକମାନଙ୍କ ସହ ବ୍ୟାପକ ଆଲୋଚନା କରି ସମାଧାନର ପନ୍ଥା ନିର୍ଣ୍ଣୟ କରିବେ। ଏହା ପର ପର୍ଯ୍ୟାୟରେ ସେମାନେ ପୁଣି ଗାଁକୁ ଫେରି ଯାଇ ଉକ୍ତ ଚାଷୀମାନଙ୍କୁ ସମାଧାନର ବାଟ ଶିଖାଇବେ।

Advertisment

ଆଜି ଓଡ଼ିଶା କୃଷି ଉତ୍ପାଦନ କମିସନର୍‌ ଡ. ଗଗନ ଧଳ ଏହି କାର୍ଯ୍ୟକ୍ରମକୁ ପତାକା ହଲାଇ ଉଦ୍‌ଘାଟନ କରିଥିଲେ। ବସ୍‌ ଯୋଗେ ଛାତ୍ରଛାତ୍ରୀମାନେ ଧାର୍ଯ୍ୟ ଗାଁ ଅଭିମୁଖେ ବାହାରିଥିଲେ। କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକଙ୍କ ସୂଚନାନୁସାରେ କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ପାଇଁ ସରକାର ନେଇଥିବା ପଦକ୍ଷେପର ଏହା ଏକ ଅଂଶ। କୃଷକମାନଙ୍କ ସହ ଏହି କୃଷି ବିଜ୍ଞାନୀ ଛାତ୍ରଛାତ୍ର୍ରୀମାନଙ୍କ ସିଧାସଳଖ ସମ୍ପର୍କ ଉଭୟ ଚାଷୀ ଓ କୃଷି ବିଜ୍ଞାନୀ ଛାତ୍ରଛତ୍ରେୀମାନଙ୍କ ପାଇଁ ବେଶ୍‌ ଉପାଦେୟ ହେବ ବୋଲି ସେ କହିଛନ୍ତି।