ଖଣ୍ଡଗିରି: ବିଞ୍ଝାରପୁର ଗାଈ ବଂଶ ବୃଦ୍ଧି ତଥା ସଂରକ୍ଷଣ ଦିଗରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)କୁ ବଡ଼ ସଫଳତା ମିଳିଛି। ତିନି ବର୍ଷ ତଳେ ମାତ୍ର ୧୨ଟି ଗାଈଙ୍କୁ ନେଇ ଆରମ୍ଭ ହୋଇଥିବା ସଂରକ୍ଷଣ ଆଜି ବିଶାଳ ରୂପ ନେଇଛି। ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟର ଲାଇଭ୍‌ସ୍ଟକ୍‌ ଫାର୍ମ କ‌ମ୍ଲେକ୍ସରେ ଏବେ ଗାଈ ଓ ବାଛୁରୀଙ୍କୁ ମିଶାଇ ମୋଟ ସଂଖ୍ୟ‌ା ୬୦ରେ ପହଞ୍ଚିଛି। ଅର୍ଧାଧିକ ଏବେ ବି ଗର୍ଭବତୀ ରହିଛନ୍ତି। ତେଣୁ ଆଗାମୀ ମାସେ ଦୁଇ ମାସ ମଧ୍ୟରେ ଆଉ କିଛି ବାଛୁରି ଜନ୍ମ ଗ୍ରହଣ କରିବେ। ତେଣୁ ସଂଖ୍ୟା ୮୦ ଡେଇଁଯିବାର ସମ୍ଭାବନା ରହିଛି।

Advertisment

ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟ ଡିନ୍‌ ସୁଶେନ କୁମାର ପଣ୍ଡା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ରା‌ଷ୍ଟ୍ରୀୟ ଗୋକୁଳ ମିସନ ମାଧ୍ୟମରେ ଏହି ଦେଶୀ ଗାଈଙ୍କ ସଂରକ୍ଷଣ ଆରମ୍ଭ ହୋଇଛି। ଏହି ପ୍ରଜାତିର ଗାଈ ପାଳନ କରୁଥିବା ଦୁଗ୍ଧ ଚାଷୀଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବା ସହ ସେମାନଙ୍କଠାରୁ ଦୁଗ୍ଧ ସଂଗ୍ରହ କରି ବଜାରରେ ବିକ୍ରି ଦିଗରେ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁ‌ବିଧା ଯୋଗାଇ ଦିଆଯାଉଛି। ପରିଣାମ ସ୍ବରୂପ ଏବେ ବିଞ୍ଝାରପୁର ଗାଈର ଆଦର ବଢ଼ୁଛି। ଏହି ଗାଈଙ୍କ ପାଇଁ ଖାଦ୍ୟ ବହୁତ କମ୍‌ ଖର୍ଚ୍ଚ ହୋଇଥାଏ। ସେମାନେ ଚରି ବୁଲି ଖାଇ ମଧ୍ୟ ଭଲ ଭାବେ ରହି ପାରନ୍ତି। ସେମାନଙ୍କୁ ଗୋରୁ ଦାନା ନ ଦେଇ ମଧ୍ୟ ରଖିହେବ। ଏହି ଗାଈଙ୍କୁ ନେଇ ଅଧିକ ଗବେଷଣା ପାଇଁ ଓୟୁଏଟିର ପ୍ରାଣୀଧନ ଉତ୍ପାଦନ ଓ ପରିଚାଳନା ବିଭାଗ, ପ୍ରାଣୀଧନ ଜେନେଟିକ୍‌, ରିପ୍ରଡକ୍ସନ ବିଭାଗ, ଭେଷଜ ବିଜ୍ଞାନ ବିଭାଗ କାମ କରୁଛି। ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଫାର୍ମକୁ ଆସି ଗାଈକୁ କିଭଳି କମ୍‌ ଖର୍ଚ୍ଚରେ ଭଲରେ ରଖିବା, ତାର କଲ୍ୟାଣ ପାଇଁ କଣ କରିପାରିବା, ବ୍ରିଡିଂ ଓ ଜେନେଟିକ୍‌ ପରିବର୍ତ୍ତନ ବିଷୟ ଭଳି ବିଭିନ୍ନ ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି। ଚାଷୀମାନେ ଏଠାରେ ଗାଈଙ୍କ ପାଳନ ସମ୍ପର୍କରେ ପ୍ରତି ସପ୍ତାହ ଆସି ଦେଖିବା ସହ ଜାଣି ପାରୁଛନ୍ତି ବୋଲି ପ୍ରାଣୀଧନ ଫାର୍ମ କମ୍ପ୍ଲେକ୍ସର ବିଭାଗୀୟ ମୁଖ୍ୟ କୁମାରେଶ ବେହେରା କହିଛନ୍ତି। ୩ ବର୍ଷ ହେଲା ବିଞ୍ଝାରପୁର ଗାଈର ସଂରକ୍ଷଣ ଆରମ୍ଭ ହୋଇଛି। ଏମାନଙ୍କଠାରୁ ଦୈନିକ ୨୫ରୁ ୩୦ ଲିଟର ଦୁଗ୍‌ଧ ଉତ୍ପାଦନ ହେଉଛି।

ଏହି ଗାଈ ଏ-୨ କ୍ଷୀର ପ୍ରଦାନ କରେ, ଯାହାକି ପାଚନ ସମ୍ବେଦନଶୀଳ ଲୋକଙ୍କ ପାଇଁ ଖୁବ ଭଲ। ଏହା କ୍ୟାଲସିୟମ୍, ପ୍ରୋଟିନ୍ ଏବଂ ଭିଟାମିନ୍ ଡି, ବି-୧୨ ପରି ଅତ୍ୟାବଶ୍ୟକ ପୁଷ୍ଟିକର ପଦାର୍ଥର ଏକ ଭଲ ଉତ୍ସ। ହାଡ଼, ମାଂସପେଶୀ ବୃଦ୍ଧି, ସାମଗ୍ର ସୁସ୍ଥତା ପାଇଁ ଏହି କ୍ଷୀର ଗୁରୁତ୍ୱପୂର୍ଣ୍ଣ। ଲାକ୍ଟୋଜ୍ ସମସ୍ୟାଥିବା ବ୍ୟକ୍ତି ଓ ଖୀର ପିଇବା‌ରେ ସମସ୍ୟା ରହୁଥିବା ଲୋକଙ୍କ ପାଇଁ ମଧ୍ୟ ଏ-୨ କ୍ଷୀରକୁ ହଜମ କରିବା ସହଜ ହୁଏ। ଦେଶୀ ଗାଈ ପୁଣି ଏ-୨ କ୍ଷୀର ସବୁବେଳେ ଚାହିଦାରେ ରହିଥାଏ। ଓୟୁଏଟିରେ ଏହି କ୍ଷୀର ଲିଟର ପିଛା ୬୦ଟଙ୍କାରେ ବିକ୍ରି ହୁଏ। କିନ୍ତୁ ବଜାରରେ ଏହାର ମୂଲ୍ୟ ୧୦୦ ଟଙ୍କାରୁ ଅଧିକ ରହୁଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ବିଞ୍ଝାରପୁର, ବରୀ, ସୁଜନପୁର, ଦଶରଥପୁର, ଭଦ୍ରକକେନ୍ଦ୍ରାପଡ଼ା ଜିଲାରେ ବିଞ୍ଝାରପୁର ପ୍ରଜାତିର ଗାଈ ଅଧିକ ଦେଖାଯାଆନ୍ତି। ସରକାରୀ ପ୍ରୋତ୍ସାହନ ଅଭାବରୁ ପୂର୍ବପରି ଗୋରୁ ରଖିବାର ଆଗ୍ରହ କମି ଯାଇଛି।