ଓୟୁଏଟି ଟିସ୍ୟୁ କଲ୍‌ଚର ‌କେନ୍ଦ୍ରରେ ନଷ୍ଟ ହୋଇଯାଇଛି ଟିସ୍ୟୁ

ନଷ୍ଟ ହୋଇଯିବ କୋଟିଏ ଟଙ୍କାର କେମିକାଲ୍‌, ଟାଙ୍ଗରା ପାଲଟିବ ଜୟଦେବ ପୀଠ

ବାତ୍ୟା ପ୍ରକୋପରେ ଓୟୁଏଟି ଟିସ୍ୟୁ କଲ୍‌ଚର କେନ୍ଦ୍ର ପରିସରରେ ୧୦ଟି ପଲି ସେଡ୍‌ନେଟ୍‌ ଓ ସେଡ୍‌ନେଟ୍‌ ହାଉସ୍‌ ଭାଙ୍ଗିଯାଇଛି। ନିକଟରେ ଉଦ୍‌ଘାଟନ ହେବାକୁ ଥିବା ୫ଟି ପଲିସେଡ୍‌ ଓ ସେଡ୍‌ନେଟ୍‌ ହାଉସ୍‌ ଭାଙ୍ଗିରୁଜି ଯାଇଛି। ଏଥିସହ ପଲିକାର୍ବୋନେଟ୍‌, ଗ୍ରିନ୍‌ ହାଉସ୍‌ ଦୁଇଟିର ଝରକା, ପ୍ୟାଡ୍‌ ଓ କଣ୍ଟ୍ରୋଲ୍‌ ପ୍ୟାନେଲ୍‌ ଭାଙ୍ଗିଯାଇଛି। ବିଭିନ୍ନ ଗ୍ରିନ୍‌ ହାଉସ୍‌ରେ ଥିବା ୧.୫ଲକ୍ଷ ଟିସ୍ୟୁ କଲ୍‌ଚର ନଷ୍ଟ ହୋଇଯାଇଛି। ୫୦ ହଜାର ଗ୍ରାଣ୍ଡ୍‌ନୈନ କଦଳୀ, ୫୦ ହଜାର ବନ୍ତଳ, ଚମ୍ପା ଓ ଅମୃତପାଣି କଦଳୀ, ୫୦ ହଜାର ଆଖୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ଏଥିସହ ମଦର ବ୍ଲକ୍‌ ଓ ଗ୍ରିନ୍‌ ହାଉସ୍‌ରେ ଟିସ୍ୟୁ ସଂଗ୍ରହ ଓ ଗବେଷଣା ପାଇଁ ଲଗାଯାଇଥିବା ବିଭିନ୍ନ କିସମର ୨ହଜାର କଦଳୀ ଓ ଆଖୁଗଛ, ୮ହଜାର ଗୋଲାପ, ୮ହଜାର ୫୦୦ ଜର୍ବେରା, ୫ହଜାର ଆନ୍ଥୁରିୟମ, ୨ହଜାର ୫୦୦ ଅର୍କିଡ୍‌, ୧ହଜାର ଲିଲିୟମ ଏବଂ ଅନ୍ୟାନ୍ୟ ୧ହଜାର ଗଛ ନଷ୍ଟ ହୋଇଯାଇଛି। ଆଗରୁ ମହଜୁଦ ଥିବା ଡିଜି ସେଟ୍‌ ମଧ୍ୟ ଅକାମୀ ହୋଇଯାଇଛି। ୨୦୧୯-୨୦ ବର୍ଷରେ ୫ଲକ୍ଷ ଟିସ୍ୟୁ କଲ୍‌ଚର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିଲେ ହେଁ ଲାବୋରେଟୋରିରେ ଥିବା ଟିସ୍ୟୁ ସଢ଼ିଯାଇଛି। ପ୍ରାୟ ୪କୋଟି ୧୦ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି ବୋଲି ଟିସ୍ୟୁ କଲ୍‌ଚର କେନ୍ଦ୍ରର ନିର୍ଦେଶିକା ଡ.ଶଶୀକଳା ବେଉରା କହିଛନ୍ତି। ସମସ୍ୟା ଏତେ ଯେ, ଏହି ସ୍ଥିତିକୁ ଫେରିବା ପାଇଁ ଅନ୍ୟୁନ ୫ ବର୍ଷ ଲାଗିଯିବ। ଏଣେ ପାଣ୍ଠି ନଥିବାରୁ ଗ୍ରିନ୍‌ ହାଉସ୍‌ କିପରି ପ୍ରସ୍ତୁତ କରାଯିବ ସେନେଇ ଡ.ବେଉରା ଚିନ୍ତା ପ୍ରକଟ କରିଛନ୍ତି। ତେବେ ବି ବିଦ୍ୟୁତ ବ୍ୟବସ୍ଥା ସ୍ବାଭାବିକ ହେଲେ ଚାଷୀମାନଙ୍କୁ କଦଳୀ, ଆଖୁ ଓ ଫୁଲ ଚାରା ଯୋଗାଇ ଦେବା ପାଇଁ ଉଦ୍ୟମ ‌କରାଯିବ ବୋଲି ଡ. ବେଉରା କହିଛନ୍ତି।

ନଷ୍ଟ ହୋଇଯିବ କୋଟିଏ ଟଙ୍କାର କେମିକାଲ୍‌

ଭୁବନେଶ୍ବର : ଚାରା ଓ ଟିସ୍ୟୁ କଲ୍‌ଚରରେ ପ୍ରୟୋଗ ନିମନ୍ତେ ଆଞ୍ଚଳିକ ଉଦ୍ଦିଦ ସମ୍ପଦ କେନ୍ଦ୍ର (ଆର୍‌ପିଆର୍‌ସି) ପରିସରରେ ମହଜୁଦ ଥିବା କେମିକାଲ୍‌ ନଷ୍ଟ ହୋଇଯିବ। କେମିକାଲ୍‌ଗୁଡ଼ିକ ମାଇନସ୍‌ ୨୦ ଡିଗ୍ରି ସେଲ୍‌ସିୟସ ତାପମାତ୍ରାରେ ରହିବା ଆବଶ୍ୟକ ଥିଲେ ହେଁ ୮ ଦିନ ଧରି ବିଦ୍ୟୁତ ସଂଯୋଗ ନଥିବାରୁ ସେଗୁଡ଼ିକ ନଷ୍ଟ ହୋଇଯିବା ସ୍ଥିତିରେ ପହଞ୍ଚିଛି। ବାତ୍ୟା ପରଠୁ କେମିକାଲ୍‌ ଗଚ୍ଛିତ ଥିବା ଡିଫ୍ରିଜର୍‌ ଗୃହରେ ଆବଶ୍ୟକୀୟ ତାପମାତ୍ରା ସୃଷ୍ଟି ପାଇଁ ଜେନେରେଟର ଜରିଆରେ ପ୍ରୟାସ କରାଯାଇଛି। ହେଲେ ଦିନକୁ ଦିନ ତାପମାତ୍ରା ବଢ଼ି ଚାଲିଥିବାରୁ ଏବଂ ଜେନେରେଟରକୁ ୨ରୁ ୩ ଘଣ୍ଟା ଅନ୍ତରରେ ବିଶ୍ରାମ ଦିଆଯାଉଥିବାରୁ ମହଜୁଦ ଥିବା ପ୍ରାୟ କୋଟିଏ ଟଙ୍କାର କେମିକାଲ୍‌ ନଷ୍ଟ ହୋଇଯିବା ସ୍ଥିତି ଉପୁଜିଛି ବୋଲି ଆର୍‌ପିଆର୍‌ସିର ପ୍ରମୁଖ ବୈଜ୍ଞାନିକ ପ୍ରତାପ ପଣ୍ଡା କହିଛନ୍ତି।

ଆର୍‌ପିଆର୍‌ସି ପରିସରରେ ଦୁଇଟି ମାଇନସ୍‌ ୮୬ ଡିଫ୍ରିଜର ଏବଂ ୫ଟି ମାଇନସ ୨୦ ଡିଫ୍ରିଜର ରହିଛି। ଏହା ମଧ୍ୟରେ ପ୍ରାୟ ୨୦୦ ପ୍ରକାରର କେମିକାଲ୍‌ ଗଚ୍ଛିତ ରହିଛି। ପ୍ରାୟ ୯୦ ପ୍ରତିଶତ କେମିକାଲ୍‌ ୟୁଏସ୍‌ଏ, ୟୁକେ, ଜର୍ମାନରୁ ଭାରତୀୟ ବ୍ୟବସାୟୀଙ୍କ ଦ୍ବାରା ଆମଦାନୀ ହୋଇଛି। ମାତ୍ର ସଂପ୍ରତି କେମିକାଲ୍‌କୁ ମହଜୁଦ ରଖିବାରେ ଦେଖାଦେଇଥିବା ସମସ୍ୟା ଆର୍‌ପିଆର୍‌ସି କର୍ତୃପକ୍ଷ ଓ ବୈଜ୍ଞାନିକଙ୍କ ଚିନ୍ତା ବଢ଼ାଇଦେଇଛି। ଏଥିସହ ‌ଟେଷ୍ଟ୍‌ ଟ୍ୟୁବ୍‌ରେ ସଂରକ୍ଷିତ ପ୍ରାୟ ୧ ଲକ୍ଷ ଟିସ୍ୟୁ କଲ୍‌ଚର ମଧ୍ୟ ନଷ୍ଟ ହୋଇଯିବା ସ୍ଥିତିରେ ପହଞ୍ଚିଲାଣି। ଏହି ଟିସ୍ୟୁଗୁଡ଼ିକ ମଧ୍ୟ ମାଇନସ୍‌ ୨୦ ତାପମାତ୍ରା ବିଶିଷ୍ଟ ଡିଫ୍ରିଜର୍‌ରେ ରହିବା କଥା। ଜେନେରେଟର ନିୟମିତ ଚଲାଇ ନହେବା ଯୋଗୁଁ ପ୍ରଖର ତାପମାତ୍ରା ଟିସ୍ୟୁ କଲ୍‌ଚରକୁ ନଷ୍ଟ କରିଦେବା ସମ୍ଭାବନା ସୃଷ୍ଟି ହୋଇଛି। ତୁରନ୍ତ ବିଦ୍ୟୁତ ସଂଯୋଗ ନଦେଲେ ବିପୁଳ କ୍ଷତି ସହିବାକୁ ପଡ଼ିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଟାଙ୍ଗରା ପାଲଟିବ ଜୟଦେବ ପୀଠ

ଭୁବନେଶ୍ବର : ଜୟଦେବଙ୍କ ଜନ୍ମସ୍ଥଳୀରେ ଥିବା ଜୟଦେବ ପୀଠକୁ ଶନିଦଶା ଘାରିଛି। ଏମିତି ବି ଏହି ପୀଠ କାଠ ଚୋରଙ୍କ ଦୌରାତ୍ମ୍ୟ ଯୋଗୁଁ ଦୀର୍ଘଦିନ ହେଲା ଶ୍ରୀହୀନ ହୋଇପଡ଼ିଥିଲା। ଆଉ ଯାହା ଥିଲା, ଫନି ସେତକ ବି ଛଡ଼େଇ ନେଲା। ବାତ୍ୟାରେ ପୂରା ପୀଠ ଟାଙ୍ଗରା ପାଲଟିବାକୁ ବସିଛି। ଯେଉଁ ଗଛ ମୂଳରୁ ଉପୁଡ଼ି ପଡ଼ିଛି ସେଗୁଡ଼ିକୁ ରି-ପ୍ଲାଣ୍ଟ୍‌ ପ୍ରକ୍ରିୟାରେ ପୁନର୍ଜୀବୀତ କରାଯାଇପାରିଥାନ୍ତା। କିନ୍ତୁ କିଛି ଅସମାଜିକ ବ୍ୟକ୍ତି ସେଗୁଡ଼ିକ ବି ବୋହି ନେଉଛନ୍ତି ବୋଲି କହିଛନ୍ତି ଜୟଦେବ ଫାଉଣ୍ଡେସନ୍‌ର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ।

ପ୍ରାୟ ୨୩ ଏକର ପରିମିତ ଅଞ୍ଚଳରେ ପ୍ରାୟ ୪୮ କିସମର ବୃକ୍ଷରାଜି ଏଠାରେ ଶୋଭା ପାଉଥିଲା। ଏହା ମଧ୍ୟରେ ପ୍ରାୟ ୮.୭୫ ଏକର ଜମିରେ ଔଷଧୀୟ ବୃକ୍ଷ ଉଦ୍ୟାନ ସୃଷ୍ଟି ‌କରାଯାଇଥିଲା। ମାତ୍ର ବାତ୍ୟା ସବୁ ଛାରଖାର କରିଦେଲା। ତେବେ ଦୀର୍ଘଦିନ ଧରି ବାଳକାଟି ବନ ବିଭାଗର ଅଧିକାରୀଙ୍କର ଏହି ପ୍ରକଳ୍ପ ପ୍ରତି ଉଦାସୀନତା ଏବଂ ଅନାଗ୍ରହ ଯୋଗୁ ପ୍ରକୃତିପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଠକ ବସି ଏସବୁର ତଦନ୍ତ କରି ପୀଠକୁ ହାନି ପହଞ୍ଚାଉଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର