ଖଣ୍ଡଗିରି: ଚାରା ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)। କଟିଂରୁ ହେଉଥିବା ଗଛ ଯଥା ଆକାସିଆ, ଝାଉଁ, ୟୁକାଲପଟାସ ସହ ଅର୍ଣ୍ଣାମେଣ୍ଟାଲ, ଔଷଧୀୟ ବୃକ୍ଷ ଉପରେ ଗବେଷଣା କରି ଉନ୍ନତ ଚାରା ବାହାର କରାଯିବ। ଓଡ଼ିଶାର ଜଳବାୟୁ ଉପଯୋଗୀ ବିଭିନ୍ନ ପ୍ରଜାତିର ଚାରା ଉତ୍ପାଦନ ସହ ଚାଷୀଙ୍କୁ ଯୋଗାଇ ଦିଆଯିବ। ଏଥିପାଇଁ ଓୟୁଏଟି ଓ ବିଶ୍ୱ କୃଷି ବନୀକରଣ କେନ୍ଦ୍ର ମିଳିତ ଉଦ୍ୟମ କରିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଘାଟିକିଆସ୍ଥିତ କୃଷି ବନୀକରଣ ମଧ୍ୟରେ ୦.୭ ହେକ୍ଟର ଜମିରେ ହାଇଟେକ୍ ନର୍ସରି ବିକଶିତ ହୋଇଛି। ୨.୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ଏହି ନର୍ସରିରେ ବାର୍ଷିକ ହାରାହାରି ୧୦ ଲକ୍ଷ ଚାରା ଉତ୍ପାଦନ କରାଯାଇପାରିବ। ଏହି ହାଇଟେକ୍ ନର୍ସରି କୃଷି ବନୀକରଣ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ପାଇଁ ସରକାର, ଗବେଷଣା ସଙ୍ଗଠନ ଏବଂ ଘରୋଇ କ୍ଷେତ୍ର ମିଳିତଭାବେ କାମ କରୁଛନ୍ତି। ଏହି ଅତ୍ୟାଧୁନିକ ସୁବିଧା ପରିବେଶ ସଂରକ୍ଷଣ ଓ ଭାରତରେ ଜଙ୍ଗଲ ବାହାରେ ବୃକ୍ଷ ବୃଦ୍ଧି କରାଇବାରେ ସହାୟକ ହେବ ବୋଲି ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି।
ସୂଚନା ଅନୁଯାୟୀ ଗବେଷଣା ପାଇଁ ଆସିବାକୁ ଥିବା ଚାରାଗୁଡ଼ିକ ଓୟୁଏଟି ଗବେଷଣା କେନ୍ଦ୍ର ସମେତ ଇଣ୍ଡିଆନ କାନସିଲ୍ ଫରେଷ୍ଟ ରିସର୍ଚ୍ଚ ଏଜୁକେସନ, ତାମିଲନାଡୁ ବିଶ୍ୱବିଦ୍ୟାଳୟରୁ ଦୁଇରୁ ତିନି ମାସର ଉନ୍ନତ ଗଛକୁ ସଂଗ୍ରହ କରି ଆଣି ରଖାଯିବ। ପ୍ଲାଣ୍ଟଗୁଡ଼ିକ ପ୍ରଥମେ ମଦର୍ ପ୍ଲାଣ୍ଟ ଅଞ୍ଚଳରେ ପୋତା ଯିବ। ଯାହା ୬୭୨ ବର୍ଗ ମିଟର ଅଞ୍ଚଳରେ ନିର୍ମିତ। ସେଠାରେ ଚାରାର ବୃଦ୍ଧି ହେବାକୁ ଅପେକ୍ଷା କରିବା ସହ ଗଛକୁ ସଂରକ୍ଷଣ କରି ରଖାଯିବ। ଗଛ ବଢ଼ି କଟିଂ ପାଇଁ ଯୋଗ୍ୟ ହେଲେ ସେଥିରୁ ଅନ୍ୟ ଚାରା ପାଇଁ କଟିଂ ଆରମ୍ଭ ହେବ। ଏ ନେଇ ଫରେଷ୍ଟ୍ରି କଲେଜର ପ୍ରଫେସର ତଥା ନର୍ସରି ଦାୟିତ୍ୱରେ ଥିବା ତନ୍ମୟ ଏଲ୍ ମହାନ୍ତି କହିଛନ୍ତି ଯେ, ଏବେ ଏହା ଉଦ୍ଘାଟିତ ହୋଇଥିବା ବେଳେ ଆସନ୍ତା ମାସକ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାରେ ବାର୍ଷିକ ୧୫ ଲକ୍ଷ ଚାରା ଉତ୍ପାଦନର କ୍ଷମତା ରହିଛି। ଯାହା ଚାଷୀଙ୍କୁ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ।