ଓୟୁଏଟି କୁଳପତିଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ପ୍ରସଙ୍ଗ

ପ୍ରଫେସର ପଶୁପାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ, ଶୁଣାଣି ଘୁଞ୍ଚିଲା

କଟକ: ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର କୁଳପତି ପ୍ରଫେସର ପଶୁପାଳକଙ୍କୁ ଛୁଟିରେ ଯିବାକୁ ଜାରି କରାଯାଇଥିବା ନି‌ର୍ଦ୍ଦେଶନାମା ବିରୋଧରେ ରୁଜୁ ମାମଲାର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଡକ୍ଟର ଜଷ୍ଟିସ ବି.ଆର୍.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପ୍ରଫେସର ପଶୁପାଳକଙ୍କ ଆବେଦନର ଶୁଣାଣି ସମୟରେ କୁଳାଧିପତିଙ୍କ ପକ୍ଷରୁ ଆଇନଜୀବୀ ସଂଜୀବ କୁମାର ଉଦଗାତା ଉପସ୍ଥିତ ଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ପାଢୀ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ଓୟୁଏଟି କୁଳାଧିପତି, ରାଜ୍ୟ ସରକାର ଓ ଓୟୁଏଟି ବୋର୍ଡ ଅଫ୍ ମ୍ୟାନେଜମେଣ୍ଟକୁ ପକ୍ଷଭୁକ୍ତ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ କୁଳପତି ଭାବେ ପ୍ରଫେସର ପଶୁପାଳକଙ୍କ କାର୍ଯ୍ୟକାଳ ପ୍ରାୟ ତିନି ସପ୍ତାହ ବାକି ଥିବା ବେଳେ ରାଜଭବନ ପକ୍ଷରୁ ୨୦୧୯, ଫେବ୍ରୁଆରି ୨୫ରେ ତାଙ୍କୁ ଛୁଟିରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଫେବ୍ରୁଆରି ୨୮ରେ ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କୁ ଓୟୁଏଟି ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିଲା। ଓୟୁଏଟି କୁଳପତି ପ୍ରଫେସର ପଶୁପାଳକଙ୍କ ବିରୋଧରେ ଅଭିଯୋଗ ଆସିବା ପରେ କୁଳାଧିପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଭିଜିଲାନ୍ସ ତଦନ୍ତ ପାଇଁ ଗତ ନଭେମ୍ବର ମାସରେ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାର ତଦନ୍ତ ଜାରି ରହିଛି। ତଦନ୍ତରେ ପ୍ରଭାବ ପଡିବା ଆଶଙ୍କାରେ ଫେବ୍ରୁଆରି ୨୫ରେ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ପ୍ରଫେସର ପଶୁପାଳକଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କ ସ୍ଥାନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗଙ୍କୁ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିବାକୁ କୁହାଯାଇ ଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଓୟୁଏଟି ଭାରପ୍ରାପ୍ତ କୁଳପତି ଭାବେ ଦାୟିତ୍ବ ଦେବା ପାଇଁ ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦିଆଯିବା ଓ ଭାରପ୍ରାପ୍ତ କୁଳପତିଙ୍କୁ ଦାୟିତ୍ବ ପ୍ରଦାନ ପ୍ରସଂଗକୁ ନେଇ ପ୍ରଫେସର ପଶୁପାଳକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର