ଓୟୁଏଟି କୁଳପତି ଚୟନ ପାଇଁ ଅବଗଣନା: ଗଠିତ ହେଲା ୩ ଜଣିଆ ସର୍ଚ୍ଚ କମିଟି

ଭୁବନେଶ୍ବର: ମାର୍ଚ୍ଚରେ ସରିବ ଓଡ଼ିଶା କୃଷି ଓ ‌ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) କୁଳପତି ପ୍ରଫେସର୍‌ ସୁରେନ୍ଦ୍ରନାଥ ପଶୁପାଳକଙ୍କ କାର୍ଯ୍ୟକାଳ। ଏହା ପୂର୍ବରୁ ନୂତନ କୁଳପତି ନିଯୁକ୍ତି ପାଇଁ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ତିନିଜଣିଆ ସର୍ଚ୍ଚ କମିଟି ଗଠନ କରିଛନ୍ତି। କୃଷି ବିଭାଗ ସଚିବଙ୍କୁ କମିଟିର ଆବାହକ ଭାବେ ରଖାଯାଇଛି। ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର କମିଟିର ଅଧ୍ୟକ୍ଷ ରହିଛନ୍ତି। ଓୟୁଏଟିର ପୂର୍ବତନ କୁଳପତି ଡ. କେ ପ୍ରଧାନ ଓ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର)ର ଡିଡିଜି ଡି କେ ଜେନା କମିଟି‌ର ସଦସ୍ୟ ରହିଛନ୍ତି। କୁଳପତି ଚୟନ କ୍ଷେତ୍ରରେ ଏହି କମିଟି ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଶାୟୀ ପ୍ରଫେସରମାନଙ୍କ ମଧ୍ୟରୁ ‌୩/୫ଜଣ ପ୍ରଫେସରଙ୍କ ନାମ କୁଳାଧିପତିଙ୍କ ଅନୁମତି ପାଇଁ ଉକ୍ତ କମିଟି ପଠାଇବ। ଆସନ୍ତା ଦୁଇ ମାସ ମଧ୍ୟରେ ନୂତନ କୁଳପତି ଚୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୧୬ରେ ପ୍ରଫେସର ପଶୁପାଳକ କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ସମୟରେ ଶିକ୍ଷା, ଗବେଷଣା ଓ ସମ୍ପ୍ରସାରଣ କ୍ଷେତ୍ରରେ ଓୟୁଏଟି ସଫଳତା ହାସଲ କରିଛି। ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଜାତୀୟସ୍ତରୀୟ ପରୀକ୍ଷାରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିଛନ୍ତି। ଗବେଷଣା କ୍ଷେତ୍ରରେ ‌ଦେଶର ୧୦ଟି ଶିକ୍ଷାନୁଷ୍ଠାନ ଓ ଆନ୍ତର୍ଜାତୀୟସ୍ତରର ୪ଟି ଶିକ୍ଷାନୁଷ୍ଠାନ ସହ ଓୟୁଏଟି ସହବନ୍ଧନ କରିଛି। ରବି ଡାଲିଜାତୀୟ ଫସଲ ଯଥା-ଚଣା, ମସୁର ଡାଲି ଉପରେ ଗବେଷଣା କରାଯାଇଛି। ସମ୍ପ୍ରସାରଣ କ୍ଷେତ୍ରରେ ଓୟୁଏଟିର କୃଷି ବିଜ୍ଞାନ କେନ୍ଦ୍ର ଆଞ୍ଚଳିକ ଓ ଜାତୀୟସ୍ତରରେ ପୁରସ୍କୃତ ହୋଇଛି। ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ବି ବହୁ ପଦକ୍ଷେପ ନିଆଯାଇଛି। ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପାଇଁ ପୋଖରୀ ହୋଇପାରିଛି। ବ୍ରହ୍ମପୁର କୃଷି ବିଜ୍ଞାନ କେନ୍ଦ୍ର ଲାଗି ୩୦ ଏକର ଜମି ମିଳିଛି। ଭବାନୀପାଟଣା କୃଷି କଲେଜ, ଚିପିଲିମା କୃଷି କଲେଜ ଓ ଉଦ୍ୟାନ କୃଷି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିଛି। ଗବେଷଣାରେ ୧୭ଟି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଖୋଲିଛି। ଓୟୁଏଟି ପ୍ରଫେସର ଓ ଛାତ୍ରଛାତ୍ରୀଙ୍କ କହିବା କଥା ହେଉଛି ଯେ ଗତ ତିନି ବର୍ଷରେ ପିଜି ପିଲାଙ୍କ ପାଇଁ ସ୍କଲାରସିପ୍‌ ସହ କଣ୍ଟିଜେଣ୍ଟ ଫଣ୍ଡ୍‌ ବ୍ୟବସ୍ଥା ହୋଇଛି। ପ୍ରତି ବିଭାଗର କଣ୍ଟିଜେଣ୍ଟ ଫଣ୍ଡ୍‌କୁ ୩ ଗୁଣା କରାଯିବା ସହ ୧ ଲକ୍ଷ ଟଙ୍କା ଦିଆଯାଇଛି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରର କର୍ମଶାଳା, ଆଲୋଚନାଚକ୍ରରେ ଏଠାକାର ପିଲାମାନେ ଭାଗ ନେଇପାରୁଛନ୍ତି। ଭାରତୀୟ କୃଷି ଗବେଷଣା ପରିଷଦ ୬ଟି ମହାବିଦ୍ୟାଳୟରୁ ସ୍ବୀକୃତି ପ୍ରତ୍ୟାହାର କରାଯାଇଥିଲା। ପ୍ରଫେସର ପଶୁପାଳକ କୁଳପତି ଭାବେ ଯୋଗଦେବାର ବର୍ଷକ ମଧ୍ୟରେ ୪ଟି କଲେଜ ସ୍ବୀକୃତି ଫେରିଛି। କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀଙ୍କ ପାଇଁ ପେନ୍‌ସନ୍‌, ପ୍ରମୋସନ, ଶିକ୍ଷା ପାଇଁ ଛୁଟି ବ୍ୟବସ୍ଥା ହୋଇଛି। ଶିକ୍ଷକଙ୍କ ପ୍ରମୋସନ୍‌ ଓ ଅଣଶିକ୍ଷକଙ୍କ ଲାଗି ଆର୍‌ଏସିପି ସୁବିଧା ହୋଇଛି।

ସମ୍ବନ୍ଧିତ ଖବର