ଫ୍ୟାନ୍‌ରେ ଝୁଲି ପଡ଼ିଲେ ଓୟୁଏଟି ମହିଳା ପ୍ରଫେସର୍‌

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଜଣେ ମହିଳା ପ୍ରଫେସର୍‌ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ, ଦେବୀପ୍ରସନ୍ନ ଦାସଙ୍କ ପତ୍ନୀ ବାସନ୍ତୀ ଜେନା। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ମର୍ଗ (ଶବ ସଂରକ୍ଷିତ ଗୃହ)ରେ ରଖାଯାଇଛି। ଆସନ୍ତାକାଲି ପଞ୍ଚନାମା ଓ ପ୍ରାଥମିକ ଅନୁସନ୍ଧାନ ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଏହି ଖବର ଜଣାପଡ଼ିବା ପରେ ଓୟୁଏଟିର ଏକାଧିକ ଅଧ୍ୟାପକ, କର୍ମଚାରୀ ହସ୍ପିଟାଲରେ ପହଞ୍ଚିଥିଲେ। ବିଳମ୍ବିତ ରାତିରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ, ଉଭୟ ଦେବୀପ୍ରସନ୍ନ ଓ ବାସନ୍ତୀ ଓୟୁଏଟିର ପ୍ରଫେସର୍‌। ସେମାନେ ବିଶ୍ବବିଦ୍ୟାଳୟ କ୍ବାର୍ଟର୍ସରେ ରୁହନ୍ତି। ବିଳମ୍ବିତ ରାତିରେ ବେକରେ ଏକ ଲୁଗା ବାନ୍ଧି ବାସନ୍ତୀ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। କିନ୍ତୁ କେଉଁ କାରଣରୁ ସେ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ। ଏହା ପଛରେ ପାରିବାରିକ ଅଶାନ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୁଲିସ ତଦନ୍ତ ପରେ ସବୁ କିଛି ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର