ଓୟୁଏଟିରେ କୃଷିଜୀବୀ ମହିଳା କର୍ମଶାଳା: କୃଷିଜୀବୀ ମହିଳାମାନେ ମାର୍କେଟିଂ ଜାଣିବା ଜରୁରୀ

ଖଣ୍ଡଗିରି: ଆଦିମ କାଳରୁ ମହିଳାମାନେ ଖାଦ୍ୟ ଶସ୍ୟ ଓ ପନିପରିବା ଉତ୍ପାଦନରୁ ଆରମ୍ଭ କରି ଗୋପାଳନ ପର୍ଯ୍ୟନ୍ତ ସମସ୍ତ ପ୍ରକାର କୃଷି କ୍ଷେତ୍ରରେ ପୁରୁଷମାନଙ୍କ ସହ ସମକକ୍ଷ ହୋଇ ଆସିଛନ୍ତି। ତେଣୁ କୃଷିଜାତ ଦ୍ରବ୍ୟର ମାର୍କେଟିଂ କ୍ଷେତ୍ରରେ ମଧ୍ୟ ସେମାନେ ପଛରେ ପଡ଼ିବେ ନାହିଁ। ଉପଯୁକ୍ତ ତାଲିମ୍ ପାଇଲେ, ମହିଳାମାନେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟକୁ ଠିକ୍‌ରେ ବିପଣନ କରିପାରିବେ। ମହିଳାମାନେ ମାର୍କେଟିଂ ଜ୍ଞାନ ଲାଭ କଲେ, ସେମାନଙ୍କର କୃଷି ଉତ୍ପାଦନ ପ୍ରତି ଆଗ୍ରହ ବୃଦ୍ଧି ପାଇବ ଓ ଏହା ସିଧାସଳଖ ଜାତୀୟ ଅଭିବୃଦ୍ଧି ହାରକୁ ନିୟନ୍ତ୍ରଣ କରିବ। ବୁଧବାର ଓୟୁଏଟି ପରିସରରେ ଆୟୋଜିତ ଏକ ଜାତୀୟ କୃଷିଜୀବୀ ମହିଳା କର୍ମଶାଳାରେ ବିଶେଷଜ୍ଞମାନେ ଏହି ମତ ପୋଷଣ କରିଥିଲେ। ଓୟୁଏଟି, ଭାରତୀୟ କୃଷି ମାର୍କେଟିଂ ସୋସାଇଟି ଓ ଓସ୍କାମ ବୋର୍ଡ ମିଳିତ ପ୍ରୟାସରେ ଅନୁଷ୍ଠିତ ଏକ କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରରୁ କୃଷି ଅର୍ଥନୀତିଜ୍ଞମାନେ ଯୋଗ ଦେଇଥିଲେ। ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ମହିଳାମାନଙ୍କୁ ଏହି ମାର୍ଗରେ ସ୍ବାବଲମ୍ବୀ କରାଇବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହଯୋଗ କରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ଏଥିରେ ଓୟୁଏଟି ବୋର୍ଡ ସଦସ୍ୟ ତଥା ଆନ୍ଧ୍ର ପ୍ରଦେଶ କୃଷି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଏ ପଦ୍ମା ରାଜୁ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଓୟୁଏଟିର କୃଷି ଅର୍ଥନୀତିଜ୍ଞ ପ୍ରଫେସର ସର୍ବନାରାୟଣ ମିଶ୍ର ଓ ଡ. ଟି ସତ୍ୟନାରାୟଣ କାର୍ଯ୍ୟକ୍ରମ ପରିଚାଳନାର ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର