ଓୟୁଏଟିର ପରୀକ୍ଷାମୂଳକ ସୂର୍ଯ୍ୟମୁଖୀ ଚାଷ, ହଜ ଗାଁରେ ୫୦ ଏକରରେ ଚାଷ କରୁଛନ୍ତି ୫୦ ଚାଷୀ

ଭୁବନେଶ୍ବର : ଖାଇବା ତେଲ ଦର ଏବେ ଆକାଶଛୁଆଁ। ଚ‌ାଷୀମାନେ ତୈଳବୀଜ ଚାଷରୁ ମୁହଁ ଫେରାଉଥିବା ବେଳେ ସୂର୍ଯ୍ୟମୁଖୀ ଚାଷ ଏକ ଭଲ ବିକଳ୍ପ ହୋଇପାରନ୍ତା। ମାତ୍ର ରାଜ୍ୟରେ ସୂର୍ଯ୍ୟମୁଖୀ ଚାଷ ଉତ୍ସାହଜନକ ନୁହେଁ। ଏଭଳି ସ୍ଥିତିରେ କମ ଖର୍ଚରେ ଓଡ଼ିଶାର ନିଜସ୍ବ ପ୍ରଜାତିର ବିହନ ପ୍ରସ୍ତୁତ ପାଇଁ ହାଇଦ୍ରାବାଦସ୍ଥିତ ସର୍ବଭାରତୀୟ ସମନ୍ବିତ ସୂର୍ଯ୍ୟମୁଖୀ ଗବେଷଣା ପ୍ରକଳ୍ପ ଏବଂ ରାଜ୍ୟ ଓୟୁଏଟି ପକ୍ଷରୁ ୨୦୧୮ ମସିହାରୁ ଆରମ୍ଭ ହୋଇଛି ଗବେଷଣା। ଓୟୁଏଟିର କ୍ଷେତ୍ର ବିଜ୍ଞାନ ବିଭାଗର ଡ. ଅନୀତା ମହାପାତ୍ର, ଉଦ୍ଭିଦ ପ୍ରଜନନ ବିଭାଗର ଡ. ଜୟଶ୍ରୀ କର ଏହା ଉପରେ କାର୍ଯ୍ୟ କରୁଛନ୍ତି। ଗବେଷଣା ସଫଳ ହେଲେ ଧାନ ଚାଷ ପରେ ମାଟି ନଷ୍ଟ ନ କରି କମ୍‌ ଖର୍ଚରେ, ସୂର୍ଯ୍ୟମୁଖୀ ଚାଷ କରି ଅଧିକ ଉତ୍ପାଦନ କରାଯାଇପାରିବ ବୋଲି ଆଶା ରହିଛି।

ସୂଚନା ଅନୁଯାୟୀ, ୧୯୭୨ ମସିହାରେ ଆମେରିକାରୁ ସୂର୍ଯ୍ୟମୁଖୀ ବୀଜ ଭାରତକୁ ଅଣାଯାଇ ଚାଷ ଆରମ୍ଭ ହୋଇଥିଲା। ବାଙ୍ଗାଲୋରରେ ଏ ନେଇ ପ୍ରଥମେ ଗବେଷଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହାର ପତ୍ରରେ ମଧ୍ୟ ଔଷଧୀୟ ଗୁଣ ରହିଛି। ଏବେ ଦେଶରେ ବାଙ୍ଗାଲୋର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ପଞ୍ଜାବର ଲୁଧିଆନା, ପଶ୍ଚିମବଙ୍ଗ ସମେତ ୧୨ଟି ସ୍ଥାନରେ ସୂର୍ଯ୍ୟମୁଖୀ ଫୁଲ ଚାଷ କରାଯାଉଛି। ଓଡ଼ିଶାରେ କିନ୍ତୁ ସୂର୍ଯ୍ୟମୁଖୀ ଚାଷ ନେଇ ଚାଷୀମାନେ ଏଯାଏ ବିଶେଷ ଆଗ୍ରହ ପ୍ରକାଶ କରିନାହାନ୍ତି। ତେଣୁ ମୁଖ୍ୟତଃ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀ କିଭଳି ସୂର୍ଯ୍ୟମୁ୍ଖୀ ଚାଷ ପ୍ରତି ଆଗ୍ରହୀ ହେବେ, ସେଥିପାଇଁ ଓୟୁଏଟିର କୃଷି ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ ଓୟୁଏଟି ତତ୍ତ୍ବାବଧାନରେ ଖୋର୍ଧାର ହଜ ଗାଁର ୫୦ ଏକର ଜମିରେ ୫୦ ଜଣ ଚାଷୀ ପରୀକ୍ଷାମୂଳକ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। ଏଥିରେ ସଫଳତା ମିଳିଲେ ରାଜ୍ୟ ତଥା ଦେଶର ଅନ୍ୟ ସ୍ଥାନରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କୁହାଯାଇଛି।

ହୃଦରୋଗରୁ ରକ୍ଷା ପାଇଁ ସୂର୍ଯ୍ୟମୁଖୀ ତେଲର ଚାହିଦା ରହିଛି। ମାତ୍ର ରାଜ୍ୟରେ ଏହାର ଉତ୍ପାଦନ ନିରାଶାଜନକ ସ୍ଥିତିରେ ରହିଛି। ୨୦୧୪ ମସିହାରେ ଏଠାରେ ୨୧.୫୯ ହଜାର ହେକ୍ଟର, ୨୦୧୮ ମସିହାରେ ୧୨.୧୦ ହଜାର ହେକ୍ଟର, ୨୦୧୯ ମସିହାରେ ୨୪.୫୬ ହଜାର ହେକ୍ଟର ଜମିରେ ସୂର୍ଯ୍ୟମୁଖୀ ଚାଷ ହୋଇଥିଲା। ୨୦୧୪ ତୁଳନାରେ ୨୦୧୯ ମସିହାରେ ଅଧିକ ଚାଷ ହୋଇଥିଲେ ମଧ୍ୟ ୟୁନିଟ ପିଛା ଉତ୍ପାଦନ ହାର ୧୨୫୩ କେଜିରୁ ୧୦୬୮କୁ ହ୍ରାସ ପାଇଛି। କଳାହାଣ୍ଡି, ଫୁଲବାଣୀ, ନୟାଗଡ଼, ଖୋର୍ଧାରେ ଏହି ଚାଷ କରାଯାଉଛି। ରାଜ୍ୟରେ ମିଳୁଥିବା ସୂର୍ଯ୍ୟମୁଖୀ ଫୁଲର ତୈଳବୀଜର ଦର କେଜି ପିଛା ରହିଛି ୭୦୦ ଟଙ୍କା। ସେଥିରେ ପୁଣି ଦର ଅନୁସାରେ ଉତ୍ପାଦନ ସେତେ ଅଧିକ ନୁହେଁ। ଏଥିଯୋଗୁଁ ଚାଷୀ ଏଥିପ୍ରତି ବିମୁଖ ହେଉଛନ୍ତି। ତେଣୁ ଓଡ଼ିଶା ନିଜସ୍ବ ପ୍ରଜାତିର ବିହନ ଉଦ୍ଭାବନ କରି ତୈଳବୀଜ ଫସଲ କିପରି ଅଧିକ କରିପାରିବ ଏଥିପ୍ରତି ଗୁରୁତ୍ବ ଦିଆଯାଇଛି। ଓଡ଼ିଶାର ମୁଖ୍ୟତଃ ବାଙ୍ଗାଲୋର ଭେରାଇଟିର ବିହନ ଚାଷ କରାଯାଏ। ଓୟୁଏଟି ପକ୍ଷରୁ କରାଯାଇଥିବା ଗବେଷଣା ଅନ୍ତର୍ଗତରେ ବର୍ତ୍ତମାନ ଶଙ୍କର କିସମରେ କ୍ରସିଂ କାର୍ଯ୍ୟକ୍ରମ କରାଯାଇଛି। ଶଙ୍କର କିସମ ଉଦ୍ଭାବନ ପାଇଁ ମେଲ-ଫିମେଲ(ସିଏମସ-ଆରଲାଇନ) କ୍ରସ୍‌ କରାଯାଉଛି। ଗତବର୍ଷ ୫୫ଟି କ୍ରସ୍‌ କରାଯାଇଥିଲା। ବର୍ତ୍ତମାନ ମଧ୍ୟ ଏ ସଂକ୍ରାନ୍ତରେ ଗବେଷଣା ଜାରି ରହିଛି। ହାଇବ୍ରିଡ ବିହନ ବିକଶିତ ହେବା ପରେ ଯେଉଁ ବୀଜ ବେଶି ଅମଳକ୍ଷମ ହେବ, ତାହାକୁ ଚାଷ ପାଇଁ ବ୍ୟବହାର କରାଯିବ। ଯାହା ବର୍ତ୍ତମାନ ସୁଦ୍ଧା ଗବେଷକମାନେ ପାଇ ନାହାନ୍ତି। ଓଡ଼ିଶାର ଜଳବାୟୁ, ଚାଷୀଙ୍କ ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଉପଯୁକ୍ତ ବୀଜ ପାଇଁ ଆଉ କିଛି ବର୍ଷ ଗବେଷଣା କରିବାକୁ ପଡ଼ିବ ବୋଲି ଡ.ଜୟଶ୍ରୀ କର କହିଛନ୍ତି। ଏଗ୍ରୋନୋମିଷ୍ଟ ଡ.ଅନୀତା ମହାପାତ୍ର କହିଛନ୍ତି, ଓଡ଼ିଶାରେ ମୁଖ୍ୟତଃ ଧାନ ଚାଷ କରାଯାଏ। ଧାନ ଫସଲ ପରେ ସୂର୍ଯ୍ୟମୁଖୀ କରାଯାଏ। ଏହାକୁ ଗୁରୁତ୍ବ ଦିଆଯାଇ, ଏଥିରେ କେତେ ସାର ଆବଶ୍ୟକ, ଘାସ ପରିଚାଳନା କିଭଳି ହେବ ଏହା ମଧ୍ୟ ଗବେଷଣାର ଗୁରୁତ୍ବପୂର୍ଣ୍ଣ ଦିଗ। ତେଣୁ ଏହା ଉପରେ ଆମେ ଗବେଷଣା କରୁଛୁ।

ସମ୍ବନ୍ଧିତ ଖବର