ଆମ ଲୋକକଳା ଆମ ସଂସ୍କୃତି: ଗଣବାଜା, ଢେମ୍‌ସାରେ ନଚାଇଲେ

ଭୁବନେଶ୍ବର: ପାରମ୍ପରିକ ଲୋକକଳାକୁ ନେଇ ‘ଆମ ଲୋକକଳା ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡିର ‘ଗଣବାଜା’ ଓ କୋରାପୁଟର ଦୁରୁଆ ଢେମ୍‌ସା ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମ ପ୍ରସ୍ତୁତି ଥି‌ଲା ଗଣବାଜା। ଢୋଲ, ତାସା, ନିଶାନ, ମହୁରୀ ଓ ଝାଞ୍ଜ ଭଳି ପଞ୍ଚବାଦ୍ୟର ତାଳେତାଳେ କଳାହାଣ୍ଡିର ମୃଣ୍ମୟୀ କଲ୍‌ଚରାଲ୍‌ ସୋସାଇଟିର କଳାକାରମାନେ ‘ଫୁରୁଲି ଝରନ ପାନି ଝର ଝର..ଗୀତରେ ନାଚିଥିଲେ। ଜଗନ୍ନାଥ ଦାସ ଓ ମୃଣ୍ମୟୀ ଦାସ ନୃତ୍ୟ ସଂଯୋଜନା କରିଥିଲେ। ପରେ କୋରାପୁଟର ଦୁରୁଆ ଜନଜାତିର କଳାକାରମାନେ ଢେମ୍‌ସା ନୃତ୍ୟ ପରିବେଷଣ କରିଥିଲେ। ଢୋଲ, ଟୁଡୁବୁଡ଼ି, ନିଶାନ ଓ ବଂଶୀର ତାଳେତାଳେ ଶିଳ୍ପୀମାନେ ‘ବିର୍ଲି ଢେମ୍‌ସା’ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ହୋଲିରେ ସେମାନେ ପରିବେଷଣ କରୁଥିବା ଡାଣ୍ଡାରି ନୃତ୍ୟ ଆଜି ରବୀନ୍ଦ୍ର ମଣ୍ଡପ ମଂଚରେ ଦେଖିବାକୁ ମିଳିଥିଲା। ଏଥିରେ ବାଉଁଶବାଡ଼ିର ଖେଳ ମନ ମୋହିଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ, ନିର୍ଦେଶକ ବିଜୟ କୁମାର ନାୟକ, ସ୍ବତନ୍ତ୍ର ଶାସନ ସଚିବ ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋୟୀ ପ୍ରମୁଖ ଅତିଥି ଭାବେ ‌ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧିତ ଖବର