ଭୁବନେଶ୍ୱର: ‘ଆମ ବସ୍’ ସେବାରେ ନିୟମିତ ଯାତ୍ରୀଙ୍କ ପାଇଁ କ୍ରୁଟ୍ ପକ୍ଷରୁ ପାସ୍ ବ୍ୟବସ୍ଥା ରହିଛି। ନିୟମିତ ଯାତ୍ରୀମାନେ ଏହି ସୁବିଧା ଯୋଗୁ କିଛି କମ୍ ଖର୍ଚ୍ଚରେ ସେବା ପାଉଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ପୁରୀ-ଭୁବନେଶ୍ବର ନିୟମିତ ଆମ ବସ୍ ଯାତ୍ରୀଙ୍କୁ ପାସ୍ ସୁବିଧା ମିଳିନି। ଏଣୁ ପୁରୀରୁ ନିୟମିତ ଭୁବନେଶ୍ବରକୁ ଯା’ଆସ କରୁଥିବା ଯାତ୍ରୀମାନେ ପାସ୍ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଡିଜେଲ୍, ଇ- ବସ୍ଠାରୁ ଆରମ୍ଭ କରି ପୁରୀକୁ ଡବଲ୍ଡେକର୍ ବସ୍ ଚାଲୁଛି। ଏହା ସତ୍ତ୍ବେ ପୁରୀର ନିୟମିତ ଯାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ପାସ୍ ବ୍ୟବସ୍ଥା କରାଯାଉ ନଥିବାରୁ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କ୍ରୁଟ୍ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ଯାତ୍ରୀଙ୍କ ପାଇଁ ସିଟି ପାସ୍, ଲଙ୍ଗ୍ ରୁଟ୍ ପାସ୍ ଓ ମ୍ୟାଜିକ୍ ପାସ୍, ଏଭଳି ତିନି ପ୍ରକାର ପାସ୍ ଉପଲବ୍ଧ କରାଯାଇଛି। ୩୦ ଟଙ୍କା ପର୍ଯ୍ୟନ୍ତ ଯାତ୍ରୀ ଭଡ଼ା ଉପରେ ସିଟି ପାସ୍ ବ୍ୟବସ୍ଥା କରାଯାଇଛି। ଏହି ପାସ୍ ୬ରୁ ୧୨୦ଟି ଯାତ୍ରା ଉପରେ ରହିଛି, ପାସ୍ ଦର ୪୦ ଟଙ୍କାରୁ ୭୫୦ ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ୨୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଉପରେ ଲଙ୍ଗ୍ ରୁଟ୍ ପାସ୍ ଇସ୍ୟୁ କରାଯାଉଛି ଏବଂ ପାସ୍ ଦର ୧୮୦ ଟଙ୍କାରୁ ୩ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଯାତ୍ରୀ ୩ ଥରଠୁ ଆରମ୍ଭ କରି ୬୦ ଥର ଯାତ୍ରା ପାଇଁ ଏହି ପାସ୍ ବ୍ୟବହାର କରିପାରିବାର ବ୍ୟବସ୍ଥା ରହିଛି। ସେହିଭଳି ମ୍ୟାଜିକ୍ ପାସ୍ ୫୦ ଟଙ୍କା ପର୍ଯ୍ୟନ୍ତ ଯାତ୍ରୀ ଭଡ଼ା ଉପରେ ଇସ୍ୟୁ କରାଯାଉଛି। ଏହି ପାସ୍ ଦର ୧୨୦ ଟଙ୍କାରୁ ୧୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଯାତ୍ରୀମାନେ ୬ ଥରରୁ ଆରମ୍ଭ କରି ୯୦ ଥର ପର୍ଯ୍ୟନ୍ତ ଏହି ପାସ୍ରେ ଯାତ୍ରା କରିପାରିବେ। ଭୁବନେଶ୍ବର, କଟକ ଆଦି ଅଞ୍ଚଳରେ ଏହି ପାସ୍ ବ୍ୟବସ୍ଥା ଲାଗୁ ହୋଇ ସାରିଲାଣି। କିନ୍ତୁ ଭୁବନେଶ୍ବର ସହ ଏକକାଳୀନ ପୁରୀରେ ଆମ ବସ୍ ସେବା ଆରମ୍ଭ ହୋଇଥିଲେ ବି ପୁରୀ ଯାତ୍ରୀଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯାଇନି। ପୁରୀ ଯାତ୍ରୀଙ୍କ ପାଇଁ କ୍ରୁଟ୍ କର୍ତ୍ତୃପକ୍ଷ ପାତରଅନ୍ତର କରୁଛନ୍ତି ବୋଲି ଅଭିଯୋଗ ହେଉଛି।
କେବଳ ସେତିକି ନୁହେଁ, ପୁରୀକୁ ଯେଉଁ ‘ଆମ ବସ୍’ ଯାତ୍ରା କରୁଛି, ତାହାର କର୍ମଚାରୀଙ୍କ ବ୍ୟବହାରକୁ ନେଇ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଯାତ୍ରୀଙ୍କୁ ଆମ ବସ୍ କର୍ମଚାରୀମାନେ ବଡ଼ କଦର୍ଯ୍ୟ ବ୍ୟବହାର କରୁଛନ୍ତି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। କିନ୍ତୁ ପୁରୀ ଯାତ୍ରୀଙ୍କ ଅଭିଯୋଗକୁ ଅନୁଧ୍ୟାନ କରାଯାଉନି କି ଆବଶ୍ୟକ ପଦକ୍ଷେପ ନିଆଯାଉନି। ପରିଣାମ ସ୍ବରୂପ ଆମ ବସ୍ର ଯାତ୍ରୀ ସଂଖ୍ୟା ବଢ଼ୁନି। ଆୟ ବି ବୃଦ୍ଧି ପାଉନି। ସେହିଭଳି ଯାତ୍ରୀଙ୍କ ସୂଚନା ପାଇଁ ବସ୍ ଭିତରେ ଲାଗିଥିବା ଡିଜିଟାଲ୍ ସୂଚନା ଫଳକ ବହୁ ସମୟରେ ବନ୍ଦ ରହୁଛି। କେଉଁ ବସ୍ଷ୍ଟପ୍ରେ ଯାତ୍ରୀ ଅଛନ୍ତି ଓ ପରବର୍ତ୍ତୀ କେଉଁ ବସ୍ଷ୍ଟପ୍ ଆସୁଛି, କେତେ ସମୟ ପହଞ୍ଚିବାକୁ ଲାଗିବ, କେତେ ସମୟ ହୋଇଛି, ସେସବୁର ବିବରଣୀ ଡିଜିଟାଲ୍ ଫଳକରେ ଉଲ୍ଲେଖ ରହିଛି। ଏଥିସହ ସୂଚନା ପ୍ରଦାନ ପାଇଁ ବସ୍ ଭିତରେ ଅଡିଓ ବକ୍ସ ଫିଟିଂ କରାଯାଇଛି। କିନ୍ତୁ ଚାଳକମାନେ ଏହାକୁ ନିୟମିତ ବନ୍ଦ ରଖୁଛନ୍ତି। ଏଣୁ ଯାତ୍ରୀମାନେ ଓହ୍ଲାଇବା ବେଳେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି।