ଭୁବନେଶ୍ୱର: ଆମ ବସ୍ କର୍ମଚାରୀଙ୍କ ଦାଦାଗିରି। ଆମ ବସରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ବସ୍ ଗାଇଡ୍( କଣ୍ଡକ୍ଟର) ନିସ୍ତୁକ ମାଡ଼ ମାରିଛନ୍ତି। ଖୁଣ୍ଟିରେ ଯାତ୍ରୀଙ୍କ ମୁଣ୍ଡ ଚିପି ମାରିଦେବାକୁ ଚେଷ୍ଟା କରିବା ସହ ଖଣ୍ଡିଆଖାବରା କରିଛନ୍ତି। ଏ ସଂପର୍କିତ ଅଭିଯୋଗ ପାଇବା ପରେ କ୍ରୁଟ୍ ପକ୍ଷରୁ ତତ୍କାଳନ ସଂପୃକ୍ତ ଗାଇଡ୍‌ଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। କ୍ରୁଟ୍ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Advertisment

ସୂଚନା ମୁତାବକ, ଆଜି ୨୮ ନମ୍ବର ରୁଟ୍‌ରେ ଯାଉଥିବା ଓଡି-୩୩ଏଏଚ୍-୦୧୭୬ ନମ୍ବର ଆମ ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀଙ୍କୁ ୟୁନିଟ୍-୮ କଲ୍ୟାଣୀ ମାର୍କେଟ୍ ଛକ ନିକଟରେ ଆମ ବସ୍ ଗାଇଡ୍ ଆକ୍ରମଣ କରିଥିଲେ। ଟଙ୍କା ନେଣଦେଣକୁ କେନ୍ଦ୍ର କରି ଶକ୍ତ ଚାପୁଡ଼ା ମାରିବା ସହ ରାସ୍ତାକଡ଼ ସିମେଣ୍ଟ ଓ ତାର ବିଛା ଖୁଣ୍ଟିରେ ବେକକୁ ଚିପି ଦେଇଥିଲେ। ଏ ସଂପର୍କରେ କ୍ରୁଟ୍ ପକ୍ଷରୁ କୁହାଯାଇଛି, ଆମ ବସ୍‌ଷ୍ଟପ୍‌ରେ ଘଟିଥିବା ଏହି ଘଟଣାକୁ ନେଇ କ୍ରୁଟ୍ ଦୁଃଖିତ।

ବସ୍‌ରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ପାଇବାକୁ ଥିବା ଅବଶିଷ୍ଟ ଟିକେଟ୍ ମୂଲ୍ୟକୁ ନେଇ ଗାଇଡ଼୍ ସହିତ ବଚସା ଆରମ୍ଭ ହୋଇଥିଲା। ପରେ ଏହା ମାରପିଟ୍ ଆଡ଼କୁ ଗତି କରିଥିଲା। ଏଭଳି ଘଟଣା ପରେ ଦାୟିତ୍ୱରେ ଥିବା ଗାଇଡ୍‌କୁ ତୁରନ୍ତ ଚାକିରିରୁ ବହିଷ୍କାର କରାଯାଇଛି। ଏ ନେଇ ରେଭିନ୍ୟୁ କଲେକ୍ସନ୍ ଏଜେନ୍ସି ପକ୍ଷରୁ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଛି। ଆମ ବସ୍ ସହିତ କାର୍ଯ୍ୟ କରୁଥିବା ସମସ୍ତ ଗାଇଡ଼୍ ଓ କ୍ୟାପ୍‌ଟେନ୍‌ଙ୍କୁ ନିୟମିତ ବ୍ୟବହାର ଓ ସହନଶୀଳତା ଟ୍ରେନିଂ ପ୍ରଦାନ କରାଯାଉଛି। ୧୫୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଟ୍ରେନିଂ ନେଇ ସାରିଲେଣି।