ପ୍ରିୟଙ୍କା ରାୟ
ଭୁବନେଶ୍ୱର: କୁହାଯାଏ, ‘ଓଲ୍ଡ ଇଜ୍ଗୋଲ୍ଡ’। ଅର୍ଥାତ ପୁରୁଣା ସବୁବେଳେ ସ୍ବର୍ଣ୍ଣିମ। ଏଣୁ ସେ ପୁରୁଣା ଖାଦ୍ୟାଭ୍ୟାସ ହେଉ ବା ପୁରୁଣା ଫ୍ୟାସନ; ଏହା ପୁଣି ପୁରାତନ ଫର୍ଦ୍ଦରୁ ଉତୁରି ଆସି ନୂଆ ହୋଇଛି। ଏହି କ୍ରମରେ ଯୋଡ଼ି ହୋଇଛି ‘ସରାରା ଡ୍ରେସ୍’। ମୋଗଲ ଶାସନ କାଳରୁ ଆରମ୍ଭ ହୋଇଥିବା ଏହି ଫ୍ୟାସନ ଆଜି ୫୦୦ ବର୍ଷ ପରେ ବି ଏକ ଭିନ୍ନ ଫ୍ୟାସନ୍ଷ୍ଟେଟ୍ମେଣ୍ଟ୍ତିଆରି କରିଛି। ପ୍ରଥମେ ଏହାକୁ ମୋଗଲ୍ ବେଗମ୍ମାନେ ନିଜ ଆଧିପତ୍ୟ ଓ କ୍ଷମତା ଦର୍ଶାଇବା ପାଇଁ ପରିଧାନ କରୁଥିବା ବେଳେ ଆଜିର ଆଧୁନିକ ଯୁବପିଢ଼ି ଏହାକୁ ଉତ୍ସବ, ପର୍ବପର୍ବାଣୀ, ବିବାହ ଓ ପାର୍ଟିରେ ଅତ୍ୟାଧୁନିକ ଫ୍ୟାସନ ଟ୍ରେଣ୍ଡ୍ରେ ପରିଣତ କରିଛନ୍ତି। ସୁନ୍ଦର ରାଜକୀୟ କାରିଗରୀ ସହ ଚଉଡ଼ା, ଘେରଥିବା ପ୍ୟାଣ୍ଟ୍ ଓ କାରୁକାର୍ଯ୍ୟଭରା ଓଜନିଆ ଓଢ଼ଣୀ ଏହି ‘ସରାରା ପୋଷାକ’ର ବିଶେଷତ୍ବ। ଏହା ମୋଗଲ୍ଙ୍କ ପରେ ଉତ୍ତରପ୍ରଦେଶରେ ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ତେବେ ଏହା ପାକିସ୍ଥାନ ଓ ବାଂଲାଦେଶ ସହ ଭାରତର ମୁସ୍ଲିମ୍ ସମ୍ପ୍ରଦାୟ ମଧ୍ୟରେ ବହୁଳ ପ୍ରଚଳିତ ଥିବା ବେଳେ ପରେ ବିଶ୍ବ ଫ୍ୟାସନର ସମିଶ୍ରଣରେ ଏହା ଧୀରେଧୀରେ ସମସ୍ତ ସମ୍ପ୍ରଦାୟ ମଧ୍ୟରେ ଆଦୃତି ଲାଭ କରିଥିଲା। ତେବେ ଏହା ଭାରତୀୟ ମହିଳାଙ୍କ ମଧ୍ୟରେ ଅଧିକ ଆଦୃତ ହୋଇଥିଲା ୭୦ ଦଶକରେ। କାରଣ ସେହି ସମୟରେ ନାମୀ ଅଭିନେତ୍ରୀ ମୀନା କୁମାରୀ, ଶର୍ମିଲା ଟାଗୋର ପ୍ରମୁଖ ବିଭିନ୍ନ ଚଳଚ୍ଚିତ୍ରରେ ଏହାକୁ ପରିଧାନ କରି ସରାରା କ୍ରେଜ୍ ସୃଷ୍ଟି କରିଥିଲେ। ତେବେ ୭୦ ଦଶକରେ ଲୋକପ୍ରିୟ ହୋଇଥିବା ଏହି ଫ୍ୟାସନ୍ ପୁଣି ୨୦ ବର୍ଷ ପରେ ୯୦ ଦଶକର ବଲିଉଡ୍ ଚଳଚ୍ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଥିଲା। ‘କଭି ଖୁସି କଭି ଗମ୍’ ଚଳଚ୍ଚିତ୍ରରେ କରିନାଙ୍କ ସରାରା ଲୁକ୍ ସମସ୍ତଙ୍କୁ ଆକର୍ଷିତ କରିଥିଲା। ତେବେ ବେଶ୍ କିଛି ବର୍ଷର ବ୍ୟବଧାନରେ ପୁଣି ଫ୍ୟାସନ ବଜାରକୁ ଫେରିଛି ‘ସରାରା ଡ୍ରେସ୍’।
ଥଣ୍ଡାରୁ ଆରାମ ସହ ସାଇନିଂ ଲୁକ୍ପାଇଁ ‘ଭେଲଭେଟ୍ ସରାରା’
ଉଭୟ ଛୋଟ ଓ ଲମ୍ବା କୁର୍ତ୍ତି, ପେପଲମ୍ଟପ୍, ଆ-ଲାଇନ ଟପ୍ଏପରିକି କ୍ରପ ଟପ୍ରେ ମଧ୍ୟ ଏହା ମ୍ୟାଚ୍କରି ଯାଉଥିବାରୁ ବର୍ତ୍ତମାନ ସିନେ ତାରକାଙ୍କଠାରୁ ଆରମ୍ଭ କରି ଖେଳାଳି, କର୍ମଜୀବୀ ମହିଳା, ଯୁବପିଢ଼ି ସମସ୍ତଙ୍କର ଏହା ପସନ୍ଦରେ ରହିଛି। ପିନ୍ଧିବାକୁ ଆରାମ ଲାଗିବା ସହିତ ସାଇନିଂ ଲୁକ୍ଥିବାରୁ ‘ଭେଲଭେଟ୍ ସରାରା’ର ଚାହିଦା ବଢ଼ିବାରେ ଲାଗିଛି। ବିଶେଷ କରି ଶୀତଦିନେ ବିବାହ ଋତୁ ପଡ଼ୁଥିବାରୁ ଶୀତରୁ ବି ଏହି ଭେଲ୍ଭେଟ୍କପଡ଼ା ରକ୍ଷା କରେ। ତେଲୁଗୁ ତାରକା କୀର୍ତ୍ତି ସୁରେଶ, ବଲିଉଡ୍ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅଥବା ଦୀପିକା ପାଦୁକୋନଙ୍କ ସମେତ ବହୁ ଇସ୍ଲାମିକ ଡ୍ରାମାରେ ତଥା ଚଳଚ୍ଚିତ୍ରରେ ଏହାର ବ୍ୟବହାର ଦେଖି ବହୁ ମହିଳା ଏହାକୁ କ୍ରୟ କରୁଛନ୍ତି।
ଓଡ଼ିଶା ବାନ୍ଧକଳାରେ ଇସ୍ଲାମୀୟ ଛିଟା
ସରାରା ମୁସ୍ଲିମ୍ସମ୍ପ୍ରଦାୟର ଫ୍ୟାସନ୍ ହୋଇଥିବାରୁ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜକୀୟ ସିଲ୍କ ଓ ବ୍ରୋକେଡ୍ଫେବ୍ରିକ୍ରେ ତିଆରି ହେଉଥିଲା। ଏବେ କିନ୍ତୁ ଫ୍ୟାସନ ମହାରଥୀମାନେ ଏଥିରେ ଭିନ୍ନ ଭିନ୍ନ ପରମ୍ପରା ଓ ସଂସ୍କୃତିର ଛୁଙ୍କ ଦେଲେଣି। ଏମିତିରେ ସବୁବେଳେ ଓଡ଼ିଶା ବାନ୍ଧ କଳା ପୋଷାକର ଚାହିଦା ରହିଥାଏ। କିନ୍ତୁ ବର୍ତ୍ତମାନ ଡିଜାଇନର୍ମାନେ ବାନ୍ଧ କପଡ଼ାରେ ଫ୍ୟୁଜନ୍ ପୋଷାକ ଡିଜାଇନ୍ କରୁଛନ୍ତି। ଡିଜାଇନ୍ରମାନେ ବାନ୍ଧ କଟନ୍ ଓ ସିଲ୍କ କପଡ଼ାକୁ ନେଇ ସରାରା ପ୍ରସ୍ତୁତ କଲେଣି। ବ୍ୟବସାୟୀ ରାକେଶ ସାହୁଙ୍କ ମତରେ ବିଗତ କିଛି ବର୍ଷ ହେଲାଣି ଚଳଚ୍ଚିତ୍ର, ୱେବ୍ସିରିଜ ତଥା ସିନେ ତାରକାଙ୍କୁ ଦେଖି ବହୁ ମହିଳା ସରାରା କିଣିବାକୁ ପସନ୍ଦ କରୁଛନ୍ତି।