ଭୁବନେଶ୍ୱର: ବର୍ତ୍ତମାନ ସମୟରେ ପାଶ୍ଚାତ୍ୟ କଳା, ସଂସ୍କୃତି, ଖାଦ୍ୟପେୟ ଆଦିର ଆଦାନପ୍ରଦାନ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କୋରିଆନ୍ ପପ୍ ସଙ୍ଗୀତ, ୱେବ୍‌ସିରିଜ୍, ସୌନ୍ଦର୍ଯ୍ୟ ଉପକରଣର ଯୁବପିଢ଼ିଙ୍କ ମଧ୍ୟରେ ଖୁବ୍‌ କ୍ରେଜ୍‌ ରହିଛି। କୋରିଆନ୍‌ ସାମଗ୍ରୀ ସହିତ ଖାଦ୍ୟପେୟ ମଧ୍ୟ ସ୍ବତନ୍ତ୍ର ସ୍ଥାନ ପାଇପାରିଛି। ଭୁବନେଶ୍ବର ମଧ୍ୟ ଏଥିରୁ ବାଦ୍‌ ପଡ଼ିନି। ଦେଶ ବିଦେଶରୁ ବିଭିନ୍ନ ଛାତ୍ରଛାତ୍ରୀଙ୍କ ଆଗମନ, ସାମାଜିକ ଗଣମାଧ୍ୟମର ବହୁଳ ପ୍ରଭାବ ଯୋଗୁଁ ରାଜଧାନୀରେ ମଧ୍ୟ କୋରିଆନ୍‌ ସଂସ୍କୃତିର ଛାପ ଦେଖିବାକୁ ମିଳୁଛି। ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ କୋରିଆନ୍‌ ଝଲକ ଦେଖିବାକୁ ମିଳୁଛି।

Advertisment

ପ୍ରିୟଙ୍କା ରାୟ

ଯୁବପିଢ଼ିଙ୍କ ପସନ୍ଦ ‘ରାମେନ’ ଓ ‘ଵିଙ୍ଗସୁ’
ସହରର ପ୍ରତ୍ୟେକ ତାରକା ହୋଟେଲଠାରୁ ଆରମ୍ଭ କରି ଛୋଟବଡ଼ ରେଷ୍ଟୁରାଣ୍ଟ, ଫୁଡ୍‌କୋର୍ଟ, କାଫେରେ କୋରିଆନ୍ ନୁଡଲସ୍ ‘ରାମେନ୍’, ଆଚାର ‘କିମ୍‌ଚି’,‘ଫ୍ରାଏଡ୍‌ ଚିକେନ’, ‘ମାଣ୍ଡୁ’, ନୁଡଲ୍‌ସ ସଦୃଶ ଆଇସକ୍ରିମ ‘ଵିଙ୍ଗସୁ’ ଆଦିର ବିକ୍ରି ବଢ଼ୁଛି। ଏପରିକି ସପିଂ ମଲ୍‌ରେ କୋରିଆନ ନୁଡଲ୍‌ସର ସ୍ୱତନ୍ତ୍ର ଥାକ ମଧ୍ୟ ରହୁଛି। ତେବେ ଏନେଇ ‘ଅସମ୍ ବୋବା’ ଆଉଟ୍‌ଲେଟ୍‌ର ଓଡ଼ିଶା ମୁଖ୍ୟ ଅଭିଜିତ ରଥ କହିଛନ୍ତି, ବର୍ତ୍ତମାନ ରାଜଧାନୀରେ ଯୁବପିଢ଼ିଙ୍କ ମଧ୍ୟରେ ପାଶ୍ଚାତ୍ୟ ଖାଦ୍ୟର ଚାହିଦା ବଢ଼ିବାରେ ଲାଗିଛି। ତେଣୁ ସେ ତାଙ୍କ ଆଉଟ୍‌ଲେଟ୍‌ରେ ତାଇଵାନ, କୋରିଆ, ତୁର୍କୀର ପ୍ରସିଦ୍ଧ ପାନୀୟ ବବଲ୍‌ ଟି ଓ ଆଇସ୍‌କ୍ରିମ୍‌ ‘ଵିଙ୍ଗସୁ’ ଆଦିର ବିକ୍ରି କରୁଛନ୍ତି। ଏପରିକି ଗ୍ରାହକଙ୍କ ଚାହିଦା ଅନୁସାରେ ସେ ମ୍ୟାଙ୍ଗୋ, ଚକୋଲେଟ୍, ଲୋଟସ୍‌, କଫି ଆଦିର ଵିଙ୍ଗସୁ ମଧ୍ୟ ବିକ୍ରି କରୁଛନ୍ତି। ଆଗକୁ କୋରିଆନ ବର୍ଗର ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ମଧ୍ୟ ସେ ଯୋଡ଼ିବେ ବୋଲି କହିଛନ୍ତି। 
ଗ୍ଲାସ ଷ୍ଟୋନ୍‌ ଗହଣା ଓ ସୌନ୍ଦର୍ଯ୍ୟ ଉପକରଣ
ଚଳଚ୍ଚିତ୍ର, ୱେବସିରିଜ, ସଙ୍ଗୀତରେ ପ୍ରଦର୍ଶିତ ଆକର୍ଷଣୀୟ କୋରିଆନ୍‌ ପେଣ୍ଡେଣ୍ଟ, ବ୍ରେସଲେଟ, ଆଙ୍କଲେଟ୍‌ର ଚାହିଦା ବର୍ତ୍ତମାନ ରାଜଧାନୀର ବଢ଼ିବାରେ ଲାଗିଛି। ସହରର ବଜାର, ଗହଣା ଦୋକାନ, ସପିଂ ମଲ୍ ସମେତ ଅନ୍‌ଲାଇନ୍‌ରେ ଏଗୁଡ଼ିକର ବହୁଳ ବିକ୍ରି ହେଉଛି। ସିଆର୍‌ପି ଛକରେ ଥିବା ‘କାରୁବାକି କଲେକ୍ସନ’ର ମୁଖ୍ୟ ରେଣୁକାଙ୍କ କହିବାନୁସାରେ, ସେ ଦର୍ଶକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ତାରା, ହାର୍ଟ, ମୁଦି, ଫୁଲ ଆଦି ଆକୃତିର ପେଣ୍ଡେଣ୍ଟ, ଚେନ୍, ଶାଢ଼ି ପିନ୍‌, କାନଫୁଲ ଆଦି ରଖୁଛନ୍ତି। ସେହିପରି ସହରରେ କୋରିଆନ୍‌ ପରଫ୍ୟୁମ୍‌ର ମଧ୍ୟ ଚାହିଦା ବଢ଼ୁଛି।