‘କେଶ’ ନାରୀର ସୌନ୍ଦର୍ଯ୍ୟ। ଭିନ୍ନ ଭିନ୍ନ କେଶ ବିନ୍ୟାସ, ନାରୀକୁ ଭିନ୍ନ ଭିନ୍ନ ରୂପରେ ଉପସ୍ଥାପିତ କରେ। କେବେ ଲମ୍ବା କେଶ ନାରୀକୁ ପାରମ୍ପରିକ ରୂପରେ ସଜାଏ ତ ପୁଣି କେବେ ଛୋଟ କେଶ ନାରୀର ଆତ୍ମବିଶ୍ବାସ ବଢ଼ାଏ। ପର୍ବପର୍ବାଣୀ, କର୍ମକ୍ଷେତ୍ର, କଲେଜ ହେଉ ବା ଭ୍ରମଣରେ ଯିବା ସମୟରେ ଏକ ସୁସଜ୍ଜିତ କେଶସଜ୍ଜା ସମସ୍ତଙ୍କ ଇଚ୍ଛା। ଏହି କେଶବିନ୍ୟାସ ପାଇଁ ଏକ ଅତ୍ୟାଧୁନିକ ହେୟାର୍ ଷ୍ଟାଇଲ୍ ଏବେ ସମସ୍ତଙ୍କ ପସନ୍ଦରେ ରହିଛି। ସେଲୁନ୍ ବା ପାର୍ଲର୍କୁ ଗଲେ, ସେଠାର ହେୟାର୍ ଷ୍ଟାଇଲିଷ୍ଟ୍ମାନେ ଗ୍ରାହକଙ୍କ ଚେହେରାର ଆକୃତି, କେଶର ଘନତା ଓ ପ୍ରକାରକୁ ଦେଖି ସୁନ୍ଦର ହେୟାର୍ କଟ୍ଟିଏ କରିଦିଅନ୍ତି। ଯାହାକୁ କ୍ରିଏଟିଭ୍ ହେୟାର୍ କଟ୍ କୁହାଯାଉଥିବା ବେଳେ ଏବେ ତାହା ଟ୍ରେଣ୍ଟ୍ରେ ରହିଛି।
ପ୍ରିୟଙ୍କା ରାୟ
କେଶକୁ ଅଧିକ ଘନ ଦେଖାଇବାକୁ ‘ଵଲ୍ଫ୍ ହେୟାର୍ କଟ୍’
ଅଶୀ ଦଶକର ହଲିଉଡ୍ ତାରକାଙ୍କ ଏହି ଷ୍ଟାଇଲ ବର୍ତ୍ତମାନ ପ୍ରତ୍ୟାବର୍ତ୍ତନ କରୁଛି। ମାଇଲି ସାଇରସ୍, ବିଲି ଆଇଲିସ୍, କୋରିଆନ ପପ୍ ଷ୍ଟାର୍ ଲିସାଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ଏହି ୱଲ୍ଫ୍ ହେୟାର୍ କଟ୍ ଦେଖିଲା ପରେ ଏହାର କ୍ରେଜ୍ ଏବେ ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି। ଏନେଇ ‘ଦ ହେୟାର ହ୍ୟାକର‘ ବିଉଟି ସେଲୁନ୍ର ସ୍ବତ୍ତ୍ବାଧିକାରୀ ଜିତେନ୍ଦ୍ର ଠାକୁରଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଟ୍ରେଣ୍ଡରେ ଏହି ହେୟାର୍ କଟ୍ ରହିଛି। ଏଥିରେ କେଶକୁ ଅଧିକ କାଟିବାକୁ ପଡ଼ିନଥାଏ। ଏହା କେଶକୁ ଏକ ବହୁସ୍ତରୀୟ ଲୁକ୍ ହେଉଥିବାରୁ, ୱଲ୍ଫ୍ କଟ୍ ଦ୍ବାରା କେଶ ଅଧିକ ଘନ ଓ ସୁସ୍ଥ ଦେଖାଯାଏ। ଫଳରେ ପତଳା କେଶ ଥିବା ଲୋକଙ୍କୁ ଏହା ଅଧିକ ଆତ୍ମବିଶ୍ବାସର ସହ ବାହାର ଦୁନିଆକୁ ସାମ୍ନା କରିବାର ଶକ୍ତି ଯୋଗାଇଥାଏ। ବିଶେଷ କରି ଅଣ୍ଡାକୃତି ମୁହଁକୁ ଏହି ହେୟାର୍ କଟ୍ ଅଧିକ ମାନିଥାଏ।
କର୍ପୋରେଟ୍ ମହିଳାଙ୍କ ପସନ୍ଦ ‘ଇଟାଲିଆନ୍ ବବ୍ କଟ୍’
ପୂର୍ବରୁ ବବ୍ କଟ୍ ମହିଳା ଖେଳାଳି ବା ଛୋଟ ଝିଅମାନେ କରୁଥିଲେ। ହେଲେ ବର୍ତ୍ତମାନ ଏହି କଟ୍ର ଚାହିଦା ବଢ଼ିବାରେ ଲାଗିଛି। ନିଜକୁ ବୋଲଡ୍ ଓ ଷ୍ଟାଇଲିଷ୍ଟ୍ ଦର୍ଶାଇବା ପାଇଁ ମହିଳାମାନେ ଏହି କଟ୍ କରୁଛନ୍ତି। ବବ୍ କଟ୍ ମଧ୍ୟରେ ‘ଇଟାଲିଆନ କଟ୍’ର ଚାହିଦା ଅଧିକ। ଏଥିରେ ଆଗ କେଶର ଘନତ୍ୱ ପଛ ପଟ ଅପେକ୍ଷା ଅଧିକ ରହୁଛି। ଫଳରେ କେଶବିନ୍ୟାସ କରିବାରେ ମଧ୍ୟ ଅସୁବିଧା ହେଉନାହିଁ। କପୋର୍ରେଟ୍, ସମ୍ଭ୍ରାନ୍ତଶ୍ରେଣୀୟ ମହିଳାଙ୍କ ମଧ୍ୟରେ ଏହା ପସନ୍ଦରେ ରହିଛି।
‘ବଟର୍ଫ୍ଲାଏ କଟ୍’
ବିବାହ ହେଉ ଅବା ଡିସ୍କୋ ଲୁକ୍ ସବୁ ଉତ୍ସବକୁ ‘ବଟର୍ଫ୍ଲାଏ କଟ୍’ ବେଶ୍ ଭଲ ଲାଗିଥାଏ। ଏହି କଟ୍ରେ ମହିଳାଙ୍କ କେଶ ପକ୍ଷୀର ପର ଭଳି ଥାକ ଥାକ ହୋଇ ରହିଥାଏ। ଫଟୋ ବା ଭିଡିଓ ସୁଟିଂ ସମୟରେ ଚାଲିଲେ ଅଥବା ଦୌଡ଼ିବା ସମୟରେ କେଶ ଉଡ଼ିଲେ ଏହା ଆହୁରି ଆକର୍ଷଣୀୟ ଦେଖାଯିବା ସହ ଚେହେରାକୁ ଏକ ସ୍ୱତନ୍ତ୍ର ଲୁକ୍ ପ୍ରଦାନ କରୁଛି। ତେଣୁ ଏହାର ଲୋକପ୍ରିୟତା ବଢ଼ିବାରେ ଲାଗିଛି