ଭୁବନେଶ୍ୱର: ବର୍ତ୍ତମାନ ମୋବାଇଲ୍ ଆମ ଜୀବନର ଏମିତି ଏକ ଅଂଶ ପାଲଟିଯାଇଛି ଯେ, ଏହାଠୁ ଘଡିଏ ଦୂରେଇ ରହିବା କଷ୍ଟକର ହୋଇଯାଉଛି। ଯୋଗଯୋଗଠାରୁ ଆରମ୍ଭ କରି ଫଟୋ, ଭିଡିଓ ଏପରିକି ବର୍ତ୍ତମାନ କାର୍ଯ୍ୟ ସମ୍ୱନ୍ଧୀୟ ସମସ୍ତ ତଥ୍ୟ ଏଥିରେ ରହୁଛି। ତେଣୁ ଏହା କିପରି ସୁରକ୍ଷିତ ରହିବ ସେଥିଲାଗି ସମସ୍ତେ ମୋବାଇଲ୍ କଭର୍ ଲଗାଇଥାନ୍ତି। ହେଲେ ବର୍ତ୍ତମାନ ସୁରକ୍ଷା ସହିତ ସୌନ୍ଦର୍ଯ୍ୟ ଓ ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ମଧ୍ୟ ସମସ୍ତେ କଭର କିଣୁଛନ୍ତି। ଆକର୍ଷଣୀୟ ଫ୍ଲୋରାଲ ଡିଜାଇନ୍, ଟେଡି, ବିଭିନ୍ନ ଇମୋଜି ସମେତ ନିଜର ପ୍ରିୟଜନଙ୍କ ଫଟୋକୁ କଷ୍ଟମାଇଜଡ୍ କରି ସେଥିରେ ବାର୍ତ୍ତା ମଧ୍ୟ ରଖୁଛନ୍ତି। ଏପରିକି କିଛି ସେଥିରେ ଗାଡ଼ିରେ ଥୋଇବା ପାଇଁ ଷ୍ଟାଣ୍ଡ, ଚୁମ୍ୱକ, ଧରିବା ପାଇଁ ସହଜ ହେବା ଭଳି ଉପକରଣ ମଧ୍ୟ ଲଗାଉଛନ୍ତି। ବର୍ତ୍ତମାନ ଚାହିଦାରେ ଥିବା ସେହିଭଳି କିଛି କଭରକୁ ନେଇ ଆମର ଉପସ୍ଥାପନା।
ପ୍ରିୟଙ୍କା ରାୟ
ଗ୍ଲିଟର୍ ଓ ଟେଡି କଭରର ଚାହିଦା
ସାଧାରଣତଃ ଝିଅମାନଙ୍କୁ ଟେଡି ବହୁ ପସନ୍ଦ ହୋଇଥାଏ। ତେଣୁ ବର୍ତ୍ତମାନ ମୋବାଇଲ କଭର୍ ମଧ୍ୟ ଟେଡି ସଦୃଶ ଆସୁଛି। ଭିନ୍ନ ଭିନ୍ନ ରଙ୍ଗର ଏହି କଭରର ଚାହିଦା ବର୍ତ୍ତମାନ ବଢ଼ିବାରେ ଲାଗିଛି। ସେହିପରି କଭର ପଛ ପଟେ ଲିକ୍ୟୁଡ୍ ମିଶ୍ରଣରେ ଭିନ୍ନ ଭିନ୍ନ ରଙ୍ଗର ଗ୍ଲିଟରସ୍ ଥିବା କଭର ମଧ୍ୟ ବେଶ ଚାହିଦା ରହିଛି।
ତୁରନ୍ତ ସେଲ୍ଫି ପାଇଁ ହେୟାର ବ୍ରଶ୍ କଭର୍
ସ୍ମାର୍ଟ ଫୋନ୍ଟିଏ ଥିଲେ ଫଟୋ ଉଠେଇବା ପାଇଁ ଇଚ୍ଛା ହୁଏ। ତେଣୁ ସେଲ୍ଫି ନେବା ପୂର୍ବରୁ କେଶ ସଜାଡିବା ଓ ସଜବାଜ ହେବା ଲାଗି ଏହି ‘ହେୟାର ବ୍ରଶ୍ କଭର୍’ର ଚାହିଦା ରହିଛି। ଖାସ୍କରି ଆଇଫୋନ୍ ପାଇଁ ଉଦ୍ଦିଷ୍ଟ ଏହି କଭର୍ର ଗୋଟିଏ ପାର୍ଶ୍ୱରେ ହେୟାର୍ ବ୍ରଶ୍ ଥିବାବେଳେ ଅନ୍ୟ ପାର୍ଶ୍ୱରେ ଫୋନ୍ କେସ୍ ଅଛି। ସେଲ୍ଫି ନେବା ପୂର୍ବରୁ ମୁହଁକୁ ସଜାଇବା ପାଇଁ ଏଥିରେ ଛୋଟ ଦର୍ପଣ ମଧ୍ୟ ରହୁଛି।
କଭରରେ ପ୍ରିୟଜନଙ୍କ ଛାପ
ବହୁ ପିଲାମାନେ ରାଜଧାନୀରେ ଘର ଲୋକଙ୍କୁ ଛାଡ଼ି ରହୁଛନ୍ତି। ତେଣୁ ବର୍ତ୍ତମାନ ପ୍ରିୟଜନଙ୍କ ଫଟୋ ଥିବା କଷ୍ଟମାଇଜଡ କଭର୍ର ଚାହିଦା ବଢ଼ିବାରେ ଲାଗିଛି। କଭରରେ ଥିବା ଫଟୋକୁ ବାରମ୍ବାର ଦେଖିଲେ ସ୍ମୃତି ଉଦ୍ଜୀବିତ ହେଉଛି।
ପୁରୁଣା ସ୍ମୃତିକୁ ସ୍ମରଣୀୟ କରୁଛି କ୍ୟାସେଟ୍ କଭର୍
ବହୁ ବର୍ଷ ତଳେ ଗୀତ ଶୁଣିବା ପାଇଁ କ୍ୟାସେଟ୍ର ବ୍ୟବହାର କରାଯାଉଥିଲା। ହେଲେ ବର୍ତ୍ତମାନ ଆଧୁନିକ ଯୁଗରେ ଫୋନ୍, ଆଇପ୍ୟାଡ୍ ଆଦିରେ ଗୀତ ରହୁଛି। ଫଳରେ କ୍ୟାସେଟ ଲୋପ ପାଇଗଲାଣି। ତେଣୁ ବର୍ତ୍ତମାନ ସେହି ପୁରୁଣା ସ୍ମୃତିରୁ ମନେ ପକାଇବା ସହିତ ରେଟ୍ରୋ ଲୁକ୍ ପ୍ରଦାନ କରୁଛି। ବିଶେଷ କରି ଅନ୍ଲାଇନରେ ଏହାର ବିକ୍ରି ବଢ଼ୁଛି। ମୋବାଇଲ ଅନୁସାରେ ଏହାର ଦାମ୍ ୪୦୦ରୁ ଆରମ୍ଭ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/10/phone-cover-2025-10-10-03-20-28.jpg)