ଭୁବନେଶ୍ବର: ଦେଶର ପ୍ରତି ୧୦ ଜଣ ଚାଷୀଙ୍କ ମଧ୍ୟରେ ୬ ଜଣ ମହିଳା। ଅର୍ଥାତ ଦେଶର କୃଷକ ଜନସଂଖ୍ୟାର ୬୦% ମହିଳା କୃଷକ। ମଞ୍ଜି ବୁଣିବା, ରୋଇବା, ଶସ୍ୟ ଅମଳ, ତୋଳିବାଠାରୁ ଆରମ୍ଭ କରି ହଳ କରିବା ଆ‌ଦି ପର୍ଯ୍ୟନ୍ତ ଚାଷଜନିତ ପ୍ରତିଟି କାମରେ ମହିଳାମାନେ ସମ୍ପୃକ୍ତ ରହିଥାନ୍ତି। ଚାଷ କାର୍ଯ୍ୟର ୬୦-୭୦ ପ୍ରତିଶତ କାର୍ଯ୍ୟ ମହିଳାମାନେ କରିବା ସତ୍ତ୍ବେ ଆମ ଦେଶରେ ଚାଷୀ କହିଲେ, ପୁରୁଷମାନଙ୍କୁ ହିଁ ବୁଝାଇଥାଏ। ଚାଷ କାର୍ଯ୍ୟରେ ମହିଳାମାନେ ନିପୁଣ ହୋଇଥିଲେ ମଧ୍ୟ କୃଷି ସମ୍ବନ୍ଧୀୟ ପ୍ରତିଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ପୁରୁଷମାନେ ହିଁ ନେଇଥା’ନ୍ତି। କୃଷି ସମ୍ବନ୍ଧୀୟ ଉନ୍ନତ ତଥା ବୈଷୟିକ ଜ୍ଞାନକୌଶଳ ମଧ୍ୟ ମହିଳାଙ୍କ ପର୍ଯ୍ୟନ୍ତ ଏଯାଏଁ ପହଞ୍ଚି ପାରିନାହିଁ। ଏଭଳି କ୍ଷେତ୍ରରେ ମହିଳାମାନଙ୍କୁ ଅଧିକ ପ୍ରୋତ୍ସାହିତ କରି ସେମାନଙ୍କ ପୂର୍ଣ୍ଣ ସହଭାଗିତାରେ କୃଷି କାର୍ଯ୍ୟ କରାଗଲେ ମହିଳାମାନଙ୍କ ଉନ୍ନତି ସହ କୃଷି ଓ ଦେଶର ଉନ୍ନତି ସମ୍ଭବ ହୋଇପାରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି।

Advertisment

ଜନତା ମଇଦାନଠାରେ ଚାଲିଥିବା ‘କୃଷି ଓଡ଼ିଶା-୨୦୨୦’‌ ଅବସରରେ ଏଫ୍‌ଆଇସିସିଆଇ ପକ୍ଷରୁ ଆୟୋଜିତ ‘ଲାଭଦାୟକ କୃଷିରେ ମହିଳା ଏସ୍‌ଏଚ୍‌ଜିମାନଙ୍କ ଭୂମିକା ବୃଦ୍ଧି’ ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ଏପରି ମତ ରଖିଛନ୍ତି। ଆଲୋଚନାଚକ୍ରରେ କୃଷି ବୈଜ୍ଞାନିକ ଡ. ଲିପି ଦାସ, ଆଗ୍ରୋୱେଭ୍‌ର ପ୍ରତିଷ୍ଠାତ୍ରୀ ଅନୁ ମୀନା, କୃଷି ବିଶେଷଜ୍ଞ ଶ୍ରାବଣୀ ବୋଷ ଓ ଷ୍ଟେଟ୍‌ ପ୍ରୋଗ୍ରେସିଭ୍‌ ଓମେନ୍‌ସ୍‌ ଫୋରମ୍‌ର ଅଧ୍ୟକ୍ଷା ମମତା ସାମନ୍ତରାୟ ପ୍ରମୁଖ ବକ୍ତା ଭାବେ ଯୋଗଦେଇ କୃଷିର ଉନ୍ନତି ପାଇଁ ସ୍ବୟଂସହାୟକ ଗୋଷ୍ଠୀଗୁଡ଼ିକ କିଭଳି ସହାୟ ହୋଇପାରିବେ, ସେ ନେଇ ବି ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭ‌ାଷଣ ଦେଇ କୃଷି କ୍ଷେତ୍ରରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶ୍ରୀମତୀ ପଟ୍ଟନାୟକ ଜଳେଶ୍ବରର ୫୯ ବର୍ଷୀୟ‌‌ା ମହିଳା ଚାଷୀ ଶାନ୍ତିଲତା ରାଉଳଙ୍କ ସଂଘର୍ଷ ଓ କୃଷି ପ୍ରତି ତାଙ୍କ ଅବଦାନ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ।