‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ : ବଜାସାଲ ନୃତ୍ୟରେ ଦୁଲୁକିଲା ମଞ୍ଚ

ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ନୃତ୍ୟ ପରିବେଷଣ କରି ଚାରିଆଡ଼ୁ ପ୍ରଶଂସା ସାଉଁଟିଥିବା କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ର କଳାକାରମାନେ ନିଜର କଳା ପ୍ରଦର୍ଶନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ତାଙ୍କ ସହ ତାଳ ଦେଇ ବଲାଙ୍ଗିରରୁ ଆସିଥିବା ଦୁଲଦୁଲି ବାଦ୍ୟ ଓ ସଙ୍ଗୀତ ନୃତ୍ୟ କଳାକାରମାନେ ମଧ୍ୟ ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ଚଳିତ ବର୍ଷର ପ୍ରଥମ ‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଶନିବାର ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଏବଂ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ‘ବଜାସାଲ’ ନୃତ୍ୟ ଦଳ ସମେତ ମୋଟ ୮୦ ଜଣଙ୍କୁ ସମ୍ବର୍ଧିତ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ପାଣିଗ୍ରାହୀ କହିଲେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଚଳଚଞ୍ଚଳ କରାଯିବା ସହ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ବିଭାଗ ସରକାରଙ୍କ ମୁଖଶାଳା ଭାବେ ପ୍ରତିପାଦିତ ହେବ। ସମ୍ମାନିତ ଅତିଥି କ୍ୟାପଟେନ୍‌ ମିଶ୍ର କହିଥିଲେ ଯେ କଳାହାଣ୍ଡି ଆଜି ଏକ ଭିନ୍ନ ରୂପରେ ବିକାଶର ନୂତନ ସୋପାନରେ ଉପନୀତ। ଯଦି କେହି ବିକାଶର ପଦଚିହ୍ନ ଦେଖିବାକୁ ଚାହୁଛନ୍ତି, ସେ ଥରେ କଳାହାଣ୍ଡି ବୁଲି ଯାଆନ୍ତୁ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ ରାଜ୍ୟରେ ୪୨୦ଟି ଲୋକକଳା ରହିଥିବା ବେଳେ ଏଥିରେ ସଂପୃକ୍ତ କଳାକାରମାନଙ୍କ ଜୀବନଜୀବିକାକୁ ବଞ୍ଚାଇ ରଖିବାର ଦାୟିତ୍ବ ଏହି ବିଭାଗର। କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଂଜନ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ। କୋଭିଡ୍‌ ମହାମାରୀ ପରେ ଚଳିତ ବର୍ଷର ଏହା ପ୍ରଥମ କାର୍ଯ୍ୟକ୍ରମ ଓ ପ୍ରତି ମାସ ୨୦ ତାରିଖରେ ପୂର୍ବପରି ଗୋଟିଏ ଗୋଟିଏ ଲୋକକଳାକୁ ନେଇ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ସେ କହିଥିଲେ।

ଏହି ଅବସରରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମ୍ମାନିତ ଅତିଥି କ୍ୟାପଟେନ୍‌ ମିଶ୍ରଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଧିତ କରିଥିଲେ। ପରେ ମଞ୍ଚରେ କଳାହାଣ୍ଡିର ବଜାସାଲର ଭବ୍ୟ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ସେହିପରି ବଲାଙ୍ଗିରରୁ ଆସିଥିବା ଦୁଲଦୁଲି ପରିବେଷଣ କରାଯାଇଥିଲା ଏବଂ ଦୁଲଦୁଲିର ଟିମ୍‌ ଲିଡର୍‌ ପାଣିନା ମିଶ୍ରଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। ଅପରାହ୍‌ଣରେ କଳାକାରମାନଙ୍କୁ ନେଇ ଏକ ଚିତ୍ତାକର୍ଷକ ସାଂସ୍କୃତିକ ଶୋଭାଯାତ୍ରା ରବୀନ୍ଦ୍ରମଣ୍ଡପଠାରୁ ବାହାରି ଉତ୍କଳ ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲା। କାର୍ଯ୍ୟକ୍ରମକୁ ଅବନୀ କୁମାର ମିଶ୍ର ଓ ସୁଶ୍ରୀ ଗୁଡ୍ଡି ସଂଯୋଜନା କରିଥିବା ବେଳେ ଅତିରିକ୍ତ ସଚିବ ଡ. ରାମକୃଷ୍ଣ ସାହୁ ଓ ସଂଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ରାଜ୍ୟ ସଂସ୍କୃତି ସଂଯୋଜକ ବାସୁଦେବ ମାଳବିଶୋୟୀ ପ୍ରମୁଖ ମଞ୍ଚାସୀନ ଥିଲେ।

ସମ୍ବନ୍ଧିତ ଖବର