ଆମ ଲକ୍ଷ୍ୟ ସବୁ ଲୋକ ଆକ୍ବାଗାର୍ଡ ମାନର ଟ୍ୟାପ୍ ପାଣି ପଇବେ : ୱାଟ୍‌କୋ ପରିଚାଳନା ନିର୍ଦ୍ଦେଶକ

ଖରାଦି‌ନ ଆସିଗଲେ ସାରା ରାଜ୍ୟରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୁଏ। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ପାଣି ସଙ୍କଟ ସୃଷ୍ଟି ହେଉନଥିଲେ ବି ଲୋକଙ୍କ ପାଇଁ ଦିନତମାମ୍‌ର ପାଣି ଯୋଗାଡ଼ କରିବା କଷ୍ଟକର ହୋଇପଡ଼େ। ରାଜଧାନୀ ଓ ପୁରୀରେ ୱାଟ୍‌କୋ (ଜଳ ନିଗମ) ସହରାଞ୍ଚଳରେ ପାଣି ଯୋଗାଣ କରୁଥିବ‌ାବେଳେ ପାଣିର ମାନ ନେଇ ଲୋକଙ୍କ ଅଭିଯୋଗ ଥାଏ। କିନ୍ତୁ ୱାଟ୍‌କୋର ଲକ୍ଷ୍ୟ ଓଡ଼ିଶାର ସବୁ ସହରାଞ୍ଚଳ ଲୋକଙ୍କୁ ୨୪ଘଣ୍ଟା ପାଣି ଯୋଗାଣ ହେବ। ତାହା ପୁଣି ଆକ୍ବାଗାର୍ଡ ମାନର। ଲୋକ ଟ୍ୟାପ୍ ଖୋଲିବେ, ପାଣି ପିଇବେ। ଓଡ଼ିଶାରୁ ଖୁବ୍‌ ଶୀଘ୍ର ଜଳ କଷ୍ଟ ଦୂର କରିବା ଲକ୍ଷ୍ୟରେ କାର୍ଯ୍ୟ କରୁଛି ୱାଟ୍‌କୋ। ବିଶ୍ବ ଜଳ ଦିବସ ଅବସରରେ ୱାଟ୍‌କୋର ପରିଚାଳନା ନିର୍ଦ୍ଦେଶକ ଇଂ. ପ୍ରଦୀପ୍ତ କୁମାର ସ୍ବାଇଁଙ୍କ ସହ ଆମ ପ୍ରତିନିଧି ବିଶ୍ବଜିତ ଦାଶଙ୍କ ସ୍ବତନ୍ତ୍ର ସାକ୍ଷାତକାର।

ସବୁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଣ ହୋଇପାରୁନି। ସମସ୍ତଙ୍କୁ ୨୪ଘଣ୍ଟା ପାଣି କେମିତି ମିଳିବ?
ଏବେ ପାନୀୟ ଜଳର ଅଭାବ ନାହିଁ। ସମସ୍ୟା ଅଛି ପାଇପ୍ ଲାଇନ୍ ପକାଇବାରେ। ଯେଉଁ ଅଞ୍ଚଳରେ ପାଇପ୍ ଲାଇନ୍ ପଡ଼ୁଛି ସେଠାରେ ପାଣି ଯୋଗାଣ ହେଉଛି। ଏବେ ବିଭିନ୍ନ ଅଞ୍ଚଳରେ ଯେଉଁଭଳି ପାଣି ଯୋଗାଣ ହେଉଛି ସେଥିରେ କିଛି ଅଞ୍ଚଳରେ ଲୋକଙ୍କୁ ଅଧିକ ପାଣି ମିଳୁଛି ତ କେଉଁଠି ଲୋକଙ୍କୁ କମ୍‌ ପାଣି ମିଳୁଛି। ଯେତେବେଳେ ସବୁ ଘରକୁ ପାଇପ୍ ପାଣି ସଂଯୋଗ ହୋଇଯିବ ସେତେବେଳେ ସବୁ ଘରକୁ ୨୪ଘଣ୍ଟା ପାଣି ଯୋଗାଣ ହୋଇପାରିବ। ଏଥିପାଇଁ ୱାଟ୍‌କୋ ‘୫-ଟି’ ଆଧାରରେ କାମ କରୁଛି। ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍ ସବୁ ଘରକୁ ପାଇପ୍ ପା‌ଣି ଯୋଜନା କାର୍ଯ୍ୟକାରୀ କରିବାରେ ସବୁ ପ୍ରକାରର ସହଯୋଗ ଓ ଉଦ୍ୟମ ବି କରୁଛନ୍ତି।

କେଉଁଠି ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେଲାଣି ନା ହେବ?
ପୁରୀ ସହରର ପ୍ରତ୍ୟେକ ଘରକୁ ୨୪ଘଣ୍ଟା ପାନୀୟ ‌ଜଳ ଯୋଗାଣ ପାଇଁ ‘ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ମିସନ୍’ କାର୍ଯ୍ୟକାରୀ ହେଉଛି। ରଥଯାତ୍ରା ପୂର୍ବରୁ ଏହା ଶେଷ ହେବ। ପୂରା ସହରକୁ ବିଶୁଦ୍ଧ ପାଣି ଯୋଗାଣରେ ପୁରୀ ଦେଶରେ ପ୍ରଥମ ସହର ପାଲଟିବ। ଏବେ ବହୁ ଘରକୁ ପାଣି ସଂଯୋଗ ଦିଆସାରିଲାଣି। ସେହିପରି ଭୁବନେଶ୍ବରରେ ୟୁନିଟ-୬, ଫରେଷ୍ଟ ପାର୍କ ଅଞ୍ଚଳ, ସହିଦନଗର, କଳିଙ୍ଗନଗର, ଈଶାନେଶ୍ବର ବସ୍ତି, ସାଲିଆସାହି ଭଳି ବହୁ ଅଞ୍ଚଳକୁ ୨୪ଘଣ୍ଟା ପାଣି ଯୋଗାଣ ହେଲାଣି। ଲୋକ ଟ୍ୟାପ୍ ଖୋଲି ଆକ୍ବାଗାର୍ଡ ମାନର ପାଣି ପିଉଛନ୍ତି।

ପୂରା ଭୁବନେଶ୍ବରକୁ କେବେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେବ?
ଭୁବନେଶ୍ବରର କିଛି ଅଞ୍ଚଳରେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେଉଛି। କିନ୍ତୁ ପୂରା ଭୁବନେଶ୍ବରକୁ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ କରିବା ସମ୍ଭବ ହୋଇନି। କାରଣ ସହର ଚାରିଆ‌ଡ଼କୁ ଅସମାନ ଭାବେ ବଢ଼ିଛି। ଆମେ ସର୍ଭେ କରି ଯେଉଁଠି ପାଇପ୍ ପକାଉଛୁ, ତା’ର କିଛିଦିନ ପରେ ପୁଣି କିଛି ଘର ଉକ୍ତ ଅଞ୍ଚଳରେ ହୋଇଯାଉଛି। ଫଳରେ କିଛି ଲୋକ ପାଣି ପାଉନାହାନ୍ତି। ଏହାବାଦ୍ ଭୁବନେଶ୍ବରର ଭୌଗଳିକ ସ୍ଥିତି ଯେପରି ଅଛି ସେଥିରେ କେଉଁଠି ସହର ବହୁତ ଉଚ୍ଚା ତ କେଉଁଠି ସମତଳ। ତେଣୁ ପାଣି ଆବଣ୍ଟନରେ ସମସ୍ୟା ରହୁଛି। ଯେଉଁଥିପାଇଁ ସବୁ ଅଞ୍ଚଳରେ ସମାନ ଅନୁପାତରେ ପାଣି ଯୋଗାଣ କରିବା କଷ୍ଟକର ହେଉଛି। ରାଜଧାନୀର ସବୁ ଅଞ୍ଚଳକୁ ୨୪ଘଣ୍ଟା ପାଇପ୍ ପାଣି ଯୋଗାଣ ହେବ, ହେଲେ କେବେ ସୁଦ୍ଧା ହେବ ଏବେ କହିହେବନି।

ୱାଟ୍‌କୋ କେବଳ ପୁରୀ, ଭୁବନେଶ୍ବରରେ ପାଣି ଯୋଗାଣ କରିବ ନା ଆଉ କେଉଁ ସହରରେ କରିବ?
ୱାଟ୍‌କୋ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଆକ୍ବାଗାର୍ଡ ମାନର ପାଣି ୨୪ଘଣ୍ଟା ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛି। ଏବେ ପୁରୀ, ଭୁବନେଶ୍ବରରେ କାମ ଚାଲିଛି। ଖୁବ୍‌ ଶୀଘ୍ର ସୁନ୍ଦରଗଡ଼ର ୪ଟି, କେନ୍ଦୁଝରର ୫ଟି, ମୟୂରଭଞ୍ଜର ୪ଟି, ଯାଜପୁରର ଗୋଟିଏ ପୌରାଞ୍ଚଳରେ ୨୪ଘଣ୍ଟା ପାନୀୟ ଜଳ ଯୋଗାଣ କାର୍ଯ୍ୟ ଆରମ୍ଭ ହେବ। ବ୍ରହ୍ମପୁର ସହରର ୪ଟି ଜୋନ୍‌ରେ ବି ଏହି ପ୍ରକଳ୍ପ ଆରମ୍ଭ ହେବ। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା କଟକରେ ହାଇକୋର୍ଟ ବିଚାରପତିମାନଙ୍କ କ୍ବାର୍ଟର୍ସକୁ ଖୁବ୍‌ ଶୀଘ୍ର ୨୪ଘଣ୍ଟା ପାନୀୟ ଜଳ ଯୋଗାଣ ହେବ।

କେବଳ ବିଚାରପତି, ଆଇଏଏସ୍‌, ନେତା, ମନ୍ତ୍ରୀଙ୍କ ଘରକୁ ଟାର୍ଗେଟ୍ କରି ପାଣି ଯୋଗାଣ ହେଉଛି ନା ସାଧାରଣ ଲୋକଙ୍କୁ ବି ଧ୍ୟାନ ଦିଆଯାଉଛି?
ଭିଆଇପିଙ୍କ ସହ ସାଧାରଣ ଲୋକଙ୍କୁ ଆମେ ଗୁରୁତ୍ବ ଦେଉଛୁ। ଭୁବନେଶ୍ବରରେ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମ ଅଧିକ ବସ୍ତି ଅଞ୍ଚଳରେ ହୋଇଛି। ଆମେ ସବୁ ବର୍ଗର ଲୋକଙ୍କୁ ସମାନ ଭାବେ ଦେଖୁଛୁ। କେହି କହିବେନି ଯେ, କାହାକୁ ଅଗ୍ରାଧିକାର ଦେଖାଇ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣ ହେଲା। ୱାଟ୍‌କୋ ‘ଗ୍ରାହକ ହିଁ ଭଗବାନ’ ଭାବି କାମ କରୁଛି। ପ୍ର‌େତ୍ୟକ କର୍ମଚାରୀଙ୍କୁ ସେହିପରି ସେବା ଯୋଗାଇବାକୁ କୁହାଯାଇଛି।

ୱାଟ୍‌କୋ ସବୁ ଅଞ୍ଚଳକୁ ପାଣି‌ ଯୋଗାଇବା କଥା କହୁଛି, କିନ୍ତୁ କଟକରେ ଲୋକଙ୍କୁ ବୋରୱେଲ୍‌ ପାଣି ଯୋଗାଣ ହେଉଛି କାହିଁକି?
ଆମେ ଭୂତଳ ଜଳ ବା ନଦୀ ପାଣିକୁ ନେଇ ଯୋଜନା କରିଛୁ। ସବୁ ଅଞ୍ଚଳରେ ଲୋକଙ୍କୁ ଏହି ପାଣି ଦିଆଯିବ। ଭୂତଳ ଜଳ କମୁଥିବାରୁ ଏବଂ ଅଧିକ ବୋରୱେଲ୍‌ ହେଉଥିବାରୁ ଆମେ ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଣ କରିବାକୁ ଯୋଜନା କରିଛୁ। କଟକରେ ନଦୀ ପାଣିକୁ ବିଶୋଧନ କରି ଦେବା ପାଇଁ ଜୁନ୍ ମାସରୁ କାମ ଆରମ୍ଭ ହେବ। ଡିସେମ୍ବର ମଧ୍ୟରେ ଏହା ଶେଷ ହେବ। ଆସନ୍ତାବର୍ଷରୁ ‌କଟକବାସୀ ବୋରୱେଲ୍‌ ପାଣି ଉପରେ ନିର୍ଭର କରିବେନି।

ଆକ୍ବାଗାର୍ଡ ମାନର ପାଣି ଯୋଗାଣ କରିବା କଥା କହୁଛନ୍ତି, କିନ୍ତୁ ଲୋକ ପାଣିରେ ପଙ୍କ ଆସୁଥିବା, ପାଣି ଗନ୍ଧ ହେଉଥିବା କହୁଛନ୍ତି। ଏହାର କାରଣ କ’ଣ?
ଯେଉଁ ଅଞ୍ଚଳରେ ୨୪ଘଣ୍ଟା ପାଣି ଯୋଗାଣ ହେଉଛି ସେଠାରେ ଲୋକଙ୍କର ପାଣିର ମାନକୁ ନେଇ ଅଭିଯୋଗ ରହିବନି। ସେମାନଙ୍କୁ ଆକ୍ବାଗାର୍ଡ ମାନର ପାଣି ଯୋଗାଣ ହେଉଛି। ଯେଉଁଠି ଦିନକୁ ଦୁଇବେଳା ପାଣି ଯୋଗାଣ ହେଉଛି ସେଠାରେ ଲୋକଙ୍କର କିଛି ଅଭିଯୋଗ ଥାଇପାରେ। ସେଠାରେ ଆକ୍ବାଗାର୍ଡ ମାନର ନହେଲେ ବି ପୂରା ବିଶୁଦ୍ଧ ପାଣି ଯୋଗାଣ ହେଉଛି। ଲୋକଙ୍କର ପାଣି ଜନିତ କିଛି ସମସ୍ୟା ଥିଲେ ସେମାନେ ୧୫୫୩୫୯ ନମ୍ବରରେ ଅଭିଯୋଗ କରିପାରିବେ। ୨୪ଘଣ୍ଟାରେ ଅଭିଯୋଗ ସମାଧାନ ହେବ। ସେହିପରି ପାଣିର ମାନ ପରୀକ୍ଷା କରିବା ଓ କୌଣସି ସମସ୍ୟା ହେଲେ ତୁରନ୍ତ ସମାଧାନ ପାଇଁ ମୋବାଇଲ୍‌ ଲାବେ‌ାରେଟାାରି, କୁଇକ୍ ରେସ୍ପନ୍ସ ଟିମ୍ କାର୍ଯ୍ୟ କରୁଛି।

ଯେତିକି ପାଣି ଯୋଗାଣ ହେଉଛି ତା’ର ଅଧା ତ ନଷ୍ଟ ହେଉଛି। ସମସ୍ତଙ୍କୁ ପାଣି ଯୋଗାଇବାକୁ ଆବଶ୍ୟକ ପାଣି ଆସିବ କେଉଁଠୁ?
ଆମେ ପାଣି ଯୋଗାଣବେଳେ ପାଣିର ମାନକୁ ଯେତେ ଗୁରୁତ୍ବ ଦେଉ, ସେତିକି ଗୁରୁତ୍ବ ପାଣି ଯେପରି ନଷ୍ଟ ‌ନହେବ ତାହାକୁ ଦେଉ। ରାଜଧାନୀରେ ପୂର୍ବରୁ ୪୦% ପାଣି ଏନ୍‌ଆର୍‌ଡବ୍ଲ୍ୟୁ ବା ନନ୍ ରେଭିନ୍ୟୁ ୱାଟର ଥିଲା। ୱାଟ୍‌କୋ ପୂରା ଜଳ ପରିଚାଳନା ଦାୟିତ୍ବ ନେବା ପରେ ଏହା ୩୪%କୁ ଖସିଛି। ସାରା ଦେଶ ପାଇଁ ଟାର୍ଗେଟ୍ ଅଛି ଯେ, ୨୦%ରୁ କମ୍‌ ଜଳ ନଷ୍ଟ ହେଲେ ଚଳିବ। ଏବେ ସହିଦନଗରରେ ୧୮% ଏନ୍‌ଆର୍‌ଡବ୍ଲ୍ୟୁ ଥିବାବେଳେ ୟୁନିଟ-୬ରେ ଏହା ୧୭.୫% ଅଛି। ପାଣି ଯେପରି ଅଧିକ ନଷ୍ଟ ହେବନି ସେଥିପାଇଁ ଇଟାଲିର ଏକ ସଂସ୍ଥା ‘ସ୍ମାଟ୍‌’ ୱାଟ୍‌କୋ ସହ ମିଶି କାମ କରୁଛି। ଇଟାଲିର ଜ୍ଞାନକୌଶଳ ଆମକୁ ଶିଖାଉଛି। ସେହିପରି ସବୁ ଘରେ ପାଣି ମିଟର ଲାଗିଗଲେ ଏନ୍‌ଆର୍‌ଡବ୍ଲ୍ୟୁ କମିଯିବ। ଖୁବ୍‌ ଶୀଘ୍ର ଭୁବନେଶ୍ବର, ପୁରୀ, ରାଉରକେଲା, ବ୍ରହ୍ମପୁରରେ ପ୍ରତି ଘରେ ପାଣି ମିଟର ଲାଗିବ।

ସମ୍ବନ୍ଧିତ ଖବର