ଭୁବନେଶ୍ବର: ଇନଟାକ୍ ଭୁବନେଶ୍ବର ଚାପ୍ଟର ପକ୍ଷରୁ ଆଜି ଭାରତୀୟ ବିଦ୍ୟାଭବନ ପରିସରରେ ‘ଆମ ରସଗୋଲା ଆମ ସଂସ୍କୃତି’ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ଗବେଷକ ଅସିତ ମହାନ୍ତି ଅତିଥି ଭାବେ ଯୋଗଦେଇ ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ପାଇବା ଓ ଏ ପରିପ୍ରେକ୍ଷୀରେ ବଙ୍ଗଳା ସହିତ ରସଗୋଲାକୁ ନେଇ ଚାଲିଥିବା ମିଠା ଯୁଦ୍ଧ ସଂପର୍କରେ ମତ ରଖିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀ ମହାନ୍ତି କହିଥିଲେ ଯେ ରସଗୋଲା କେବଳ ମିଠା ଯୁଦ୍ଧ ନୁହେଁ, ଏହା ଭାଷା-ସାହିତ୍ୟ-ଇତିହାସ ଓ ସଂସ୍କୃତିର ଯୁଦ୍ଧ। ବଙ୍ଗଳା ଲୋକମାନେ ରସଗୋଲା ଓ ଛେନାକୁ ନିଜର ବୋଲି ପ୍ରମାଣ ଦେବାକୁ ଯାଇ ଅନେକ ମିଛର ସାହାରା ନେଇଛନ୍ତି। ଐତିହାସିକ ପ୍ରମାଣକୁ ଭୁଲରେ ଉପସ୍ଥାପନ କରିବାକୁ ପଛାଇ ନାହାନ୍ତି। ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାଚୀନ କାଳରେ ଭୋଗ କିଭଳି ଢଙ୍ଗରେ ବଢ଼ା ଯାଉଥିବା ସଂପର୍କରେ ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି। ଏଥିରେ ରସ ଶବ୍ଦର ବହୁତ ବ୍ୟବହାର କରାଯାଇଛି, ଯାହାକି ବଙ୍ଗଳାରେ ଦେଖିବାକୁ ମିଳି ନ ଥାଏ। ସେହିପରି ପଣ୍ଡିତ ବିଶ୍ବନାଥ କବିରାଜଙ୍କ ଦ୍ବାରା ଲିଖିତ ‘ସାହିତ୍ୟ ଦର୍ପଣ’ରେ ରସଗୋଲାର ଶାସ୍ତ୍ରୀୟ ସମର୍ଥନ ରହିଛି। ପଶ୍ଚିମବଙ୍ଗ ସରକାର ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ସମୟରେ ରସଗୋଲା ଶବ୍ଦ ଓ ଛେନାର ପ୍ରସ୍ତୁତି ପ୍ରଥମ ବଙ୍ଗଳାରେ ହୋଇଥିବା ଦର୍ଶାଇଥିଲେ। ବଙ୍ଗଳା ଗବେଷକ ହରିପଦ ଭୌମିକ ପର୍ତୁଗୀଜମାନେ ପ୍ରଥମେ ଛେନାର ବ୍ୟବହାର ଶିଖାଇଥିବା କଥା ଉଲ୍ଲେଖ କରିଛନ୍ତି। ମାତ୍ର ‘ଅମର କୋଷ’ରେ ଏହାର ବହୁ ପୂର୍ବରୁ ଛେନା ଶବ୍ଦ ଉଲ୍ଲେଖ ରହିଛି। ଆଦିକବି ସାରଳା ଦାସଙ୍କ ମହାଭାରତ ଓ ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସଂପର୍କରେ ବର୍ଣ୍ଣନା ରହିଛି। ଯାହାକି ସାହିତ୍ୟିକ ପ୍ରମାଣ ସଂପର୍କରେ ସୂଚାଇ ଦେଇଥାଏ।
ସେ ଆହୁରି ମଧ୍ୟ କହିଥିଲେ ଯେ, ବଙ୍ଗୀୟ ଗବେଷକ ଛେନାକୁ ଶ୍ରୀଚୈତନ୍ୟଙ୍କ ସହି ଯୋଡ଼ିବାକୁ ପଛାଇ ନାହାନ୍ତି। ସେମାନଙ୍କ ଯୁକ୍ତି ହେଉଛି ଶ୍ରୀକୃଷ୍ଣ ଚୈତନ୍ୟ ହେଉଛି ଜଗନ୍ନାଥ, ଶ୍ରୀକୃଷ୍ଣ ଓ ଚୈତନ୍ୟଙ୍କ ରୂପ। ପ୍ରତାପ ରୁଦ୍ର ଦେବ ଶ୍ରୀଚୈତନ୍ୟଙ୍କ ଶିଷ୍ୟ ଥିଲେ। ଶ୍ରୀଚୈତନ୍ୟ ଛେନାକୁ ଅତି ଭଲପାଉ ଥିବାରୁ ତାଙ୍କ ଗୁରୁଙ୍କ ପାଇଁ ପ୍ରତାପ ରୁଦ୍ର ଦେବ ଶ୍ରୀଜଗନ୍ନାଥଙ୍କ ଭୋଗ ତାଲିକାରେ ଛେନାକୁ ଯୋଡ଼ିଥିଲେ। ତେବେ ପ୍ରତାପ ରୁଦ୍ର ଦେବଙ୍କ ଗୁରୁ ଶ୍ରୀଚୈତନ୍ୟଙ୍କ ଥିଲେ କି ନାହିଁ ତାହା ମଧ୍ୟ ବିରାଟ ପ୍ରଶ୍ନବାଚୀ। ସେହିପରି ୧୮୬୮ ମସିହାରେ ନବୀନ ଚନ୍ଦ୍ର ଦାସ ପ୍ରଥମେ ରସଗୋଲା ତିଆରି କରିଥିବା କଥା ବଙ୍ଗୀୟମାନେ ଦାବି କରୁଛନ୍ତି। ମାତ୍ର ଏହାର କୌଣସି ଐତିହାସିକ ପ୍ରମାଣ ନାହିଁ। ୧୯୬୮ ମସିହାରେ ଏଥିପାଇଁ ଏକ ପଥର ଫଳକ ସ୍ଥାପନ କରାଯାଇ ଏହାର ଐତିହାସିକ ପ୍ରମାଣ ଥିବା ଦାବି କରାଗଲା। ଏସବୁ ଘଟଣାକୁ ନଜର କଲେ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ବଙ୍ଗୀୟମାନେ ମିଛ ଘଟଣାକୁ ଆପଣାଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ୫୦ବର୍ଷ ପୂର୍ବରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ଏକ ସଂପାଦକୀୟରେ ଆଗକୁ ରସଗୋଲାକୁ ନେଇ ବେଙ୍ଗଲ-ଓଡ଼ିଶା ମଧ୍ୟରେ ଟଣାଓଟରା ହେବ ବୋଲି ଉଲ୍ଲେଖ କରିଥିଲେ।
ଅପରପକ୍ଷରେ ଓଡ଼ିଆମାନଙ୍କ ଆଗରେ ରସଗୋଲାର ଉତ୍ପତି ସଂପର୍କରେ ଏଭଳି ତଥ୍ୟ ଉପସ୍ଥାପନ କରାଯାଇଥିଲା ଯେ ଓଡ଼ିଆମାନେ ମଧ୍ୟ ରସଗୋଲାର ଉତ୍ପତ୍ତି ଓଡ଼ିଶାରେ ବୋଲି ସନ୍ଦେହ କରିବାକୁ ଆରମ୍ଭ କରିଥିଲେ। ଏପରିକି ଜଣେ ସଂପାଦକ ନିଜର ସଂପାଦକୀୟ ପୃଷ୍ଠାରେ ‘ଗୁଲୁଗୁଲା ରାଜ୍ୟରେ ରସଗୋଲା ଚିନ୍ତା’ ଭଳି ତାତ୍ସଲ୍ୟ ଭରା ଲେଖା ଲେଖିବାକୁ ପଛାଇ ନ ଥିଲେ। ରସଗୋଲା ଯେ ନୀଳାଦ୍ରିବିଜେର ନୈବେଦ୍ୟ ଏହା ଆମର ଏକମାତ୍ର ପୁଞ୍ଜି ଥିଲା। ମାତ୍ର ଓଡ଼ିଶା ରସଗୋଲା ଜିଆଇ ମାନ୍ୟତା ପାଇବା ପରେ ସଂପୃକ୍ତ ସଂପାଦକ ଜଣକ ନିଜ ମତରେ ପରବିର୍ତନ କରିଥିଲେ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ। ଏହି ଆଲୋଚନାରେ ଇନଟାକ୍ର ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀ ଓ ଭୁବନେଶ୍ବର ଚାପ୍ଟରର ଆବାହକ ବୈକୁଣ୍ଠ ପାଣିଗ୍ରାହୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।