ପୁରୁଣା ଭୁବନେଶ୍ୱର: ପୁରୁଣା ଭୁବନେଶ୍ବରରେ ବିଭିନ୍ନ ସେବାୟତ ସମ୍ପ୍ରଦାୟର ଲୋକ ନିର୍ଦ୍ଦିଷ୍ଟ ସାହିରେ ରହୁଥିବାରୁ ସେହି ସାହିକୁ ସେବାୟତଙ୍କ ନାମରେ ନାମିତ କରାଯାଇଛି। ସେହିପରି କେତେକ ସ୍ଥାନରେ ନିକଟରେ ଥିବା ମନ୍ଦିର ଓ ପୁଷ୍କରିଣୀକୁ ନେଇ ମଧ୍ୟ ସାହିର ନାମକରଣ ହୋଇଛି। ଯେପରି ପୁରୁଣା ଭୁବନେଶ୍ବରର ଅତି ପ୍ରାଚୀନ ସାହି ଗୋଡ଼ିପୋଖରୀସାହି। ସହର ଭିତରେ ଏକ ବୃହତ୍‌ ଜଳାଶୟ ନାଁରେ ଗଢ଼ିଉଠିଛି ଏହି ସାହି। ଯଦିଓ ଗୋଡ଼ିପୋଖରୀ କିଏ ଖୋଳିଥିଲା, କେବେ ଖୋଳାଯାଇଥିଲା, ତାର ଐତିହାସିକ ପ୍ରମାଣ ଉପଲବ୍ଧ ହେଉନାହିଁ, ତଥାପି ଯେତେବେଳେ ପୁରୁଣା ଭୁବନେଶ୍ବରରେ ବିଭିନ୍ନ ମନ୍ଦିର ନିର୍ମାଣ କରାଯାଉଥିଲା, ସେହି ସମୟରେ ଏହି ଗୋଡ଼ିପୋଖରୀ ଖନନ ହୋଇଥିବା  ବରିଷ୍ଠ ଲୋକେ କହିଛନ୍ତି। ଆଜି ଯଦିଓ ଏହି ଗୋଡ଼ିପୋଖରୀ  ବିଶେଷ ବ୍ୟବହାର ହେଉନାହିଁ, ଏହା ଦଳରେ ଭର୍ତ୍ତି ହୋଇ ରହିଯାଇଛି, କିନ୍ତୁ ସମୟ ଥିଲା, ଏହା ସେବାୟତ ପରିବାରଠାରୁ ଆରମ୍ଭ କରି ବହୁ ଲୋକଙ୍କ ଜଳର ଆବଶ୍ୟକତା ପୂରଣ କରୁଥିଲା। ହୁଏତ ସେଇଥିପାଇଁ ଏହି ସାହିଁ ସେହି ଗୋଡ଼ିପୋଖରୀ ନାମରେ ନାମିତ ହୋଇଛି ବୋଲି  ସ୍ଥାନୀୟ ଲୋକେ କହିଛନ୍ତି।

Advertisment

ଆମେ ଆମ ପୂର୍ବ ପୁରୁଷଙ୍କଠାରୁ  ଶୁଣିଛୁ, ଏହି ପୋଖରୀ ଖୋଳାହେବା ବେଳେ ପ୍ରଚୁର ଗୋଡ଼ି ବାହାରିଥିଲା। ତେଣୁ ଏହି ପୋଖରୀର ଏଭଳି ନାମକରଣ ହୋଇଛି। ଏହି ପୋଖରୀ ନାମ ଅନୁଯାୟୀ ସାହିର ନାମ ‘ଗୋଡ଼ିପୋଖରୀସାହି’ ହୋଇଛି। 
ବଟକୃଷ୍ଣ ମହାପାତ୍ର, ବରିଷ୍ଠ ସେବାୟତ
ସ୍ୱର୍ଗତ ଲିଙ୍ଗରାଜ ଗରାବଡ଼ୁଙ୍କ ଘରଠୁ ସ୍ବର୍ଗତ ପର୍ଶୁରାମ ପଣ୍ଡାଙ୍କ ଘର ପର୍ଯ୍ୟନ୍ତ  ଲମ୍ବିଛି। ଏହାର ଏକ ଶାଖା ଗଳି, ଚେମେଡ଼େଇ ଠାକୁରାଣୀ ମନ୍ଦିର ପର୍ଯ୍ୟନ୍ତ ରହିଛି। ପର୍ଶୁରାମ ପଣ୍ଡାଙ୍କ ଘର ପରେ ପରେ କୁଞ୍ଜପାଟଣାସାହି ପର୍ଯ୍ୟନ୍ତ ଯାହା ପୂର୍ବରୁ ଚମ୍ପାତାଲାସାହି ଭାବେ ପରିଚିତ ଥିଲା, ତାକୁ ଏବେ ଗୋଡ଼ିପୋଖରୀସାହି କୁହାଯାଉଛି।
 ଭାଗୀରଥି ମହାସୁଆର, ବରିଷ୍ଠ ସେବାୟତ
ଏହି ସାହିରେ ପ୍ରାୟ ୪୦ଟି ମହାସୁଆର ପରିବାର ବାସ କରୁଛନ୍ତି।   ଏହି ସୁଆର ସେବାୟତମାନେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିଭିନ୍ନ ପାଳିରେ ମେକାପ ସେବା, ନାରଦ ସେବା, ଇନ୍ଦ୍ରହାତୀ ସେବା, ବସୁଦେବ ରାଜା ସେବା, ଉଗ୍ରସେନ ସେବା, ଚଳନ୍ତି ପ୍ରତିମା ସେବା, ତ୍ରାସ ସେବା, କଳା ଓ ଧଳା ଛତା ସେବା ଯୋଗାଇଦିଅନ୍ତି। ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୧୮ସେବାର ପାଳିଆ ସେବକ ଭାବେ ଦାୟିତ୍ବ ନିର୍ବାହ କରିଥାନ୍ତି। ପୁରୁଣା ଭୁବନେଶ୍ବରର ଗୋଡ଼ିପୋଖରୀସାହିର ୯ଟି ପରିବାର ଏହି ପୁଷ୍କରିଣୀର ମାଲିକ। ଯାହାକୁ ପୂର୍ବରୁ ରାଜା ଦେଇଛନ୍ତି।  
ବିରଞ୍ଚି ନାରାୟଣ ପତି, ବରିଷ୍ଠ ସେବାୟତ, ବ୍ରାହ୍ମଣ ନିଯୋଗ