ଆମ ରୋଜଗାରିଆ ପୁଅ ଚାଲିଗଲା, ପଇଡ଼ ବିକାଳିଙ୍କ ଦରଦୀ କଥା

ଭୁବନେଶ୍ବର: ସାମ୍ନାକୁ ଦେଖୁଛ…, ଦେଖ..। ବାଧା ହେଇଛି ତାକୁ..। ଇଏ ଆପଣଙ୍କ ପାଇଁ ଖାଲି ଗୋଟେ ଗୋଟେ ନଡ଼ିଆ ଗଛ ହେଇପାରେ। ଆମ ପାଇଁ କିନ୍ତୁ ଏମାନେ ଥିଲେ ଜଣେ ଜଣେ ରୋଜଗାରିଆ ପୁଅ। ଘରର ପୋଷିଲା ପୁଅ ଉପରେ ଆମର ସେତିକି ଭରସା ନଥିଲା, ହେଲେ ଏମାନେ ଯେ ଆମ ହାତ କେବେ ଛାଡ଼ିବେନି ସେ ଭରସା ଏମାନଙ୍କ ଉପରେ ଥିଲା। ୟାଙ୍କରି ଯୋଗୁ ଆମ ଭଳି ପନ୍ଦର ଶହ ପରିବାରର ପେଟକୁ ଦାନା ଯାଉଥିଲା। ଏ ନିଆଁ ଲଗା ବାତ୍ୟା ନଡ଼ିଆ ଗଛ ସବୁ ଭାଙ୍ଗି ଦେଲାନି ଯେ, ଆମ ପୋଷିଲା ପୁଅକୁ ଛଡ଼େଇନେଲା। ପୁରୀ ସମଯାଜପୁର ‌ଓଭରବ୍ରିଜ୍‌ର ମାତ୍ର କେଇ ଶହ ମିଟର ଦୂ‌ରରେ ଯେବେ ଶ୍ୟାମ ଭୋଇଙ୍କ ପଇଡ଼ ଦୋକାନ ପାଖେ ଠିଆ ହୋଇ ଗଛଗୁଡ଼ିକୁ ଚାହିଁଥିଲୁ, ନିଜଆଡ଼ୁ ଏମିତି ଦରଦୀ ଅଭିବ୍ୟକ୍ତି ରଖିଥିଲେ ଶ୍ୟାମ। ଫନିର ମାଡ଼ରେ କିନ୍ତୁ ନଡ଼ିଆ ଗଛ ଏବେ ନିସ୍ତେଜ। ୪୦ ପ୍ରତିଶତ ଗଛ କନ୍ଦା ମୋଡ଼ି ହୋଇଯାଇଛି ନଚେତ୍‌ ଭାଙ୍ଗିଯାଇଛି। ତେଣୁ କିଛି ମାସ ପରେ ପଇଡ଼ ମିଳିବା ଯେ ମୁସ୍କିଲ୍‌ ହୋଇଯିବ ଭବିଷ୍ୟବାଣୀ କରିସାରିଲେଣି ଏହି ପଇଡ଼ ବ୍ୟବସାୟୀମାନେ।

ଶ୍ୟାମ କୁହନ୍ତି, ବନ୍ୟା, ବାତ୍ୟା ଦାଉରୁ ବର୍ଷକୁ ୩ ଥର ଧାନ ଧୋଇଗଲେ ଯେତିକି ବାଧେନି ନଡ଼ିଆ ଗଛକୁ ଥରେ ବାତ୍ୟା ମାଡ଼ ହେଲେ ତା’ଠୁ ବେଶି ବାଧେ। ଦିନେ ଏଇ ମହାବାତ୍ୟାରେ ସବୁ ଗଛର ଅଣ୍ଟା ଭାଙ୍ଗିଯାଇଥିଲା। ସେଇଦିନରୁ ଏମିତି ରୋଗ ଧରିଲା ଯେ ଗଛରେ ଫଳ କମିଗଲା। ତା’ପରେ ଦାଉ ସାଧିଥିଲା ମୋବାଇଲ୍‌ ଟାୱାରର ବିକିରଣ। ଏହି ବିକିରଣ କୋପରେ ପଇଡ଼, ନଡ଼ିଆରେ ଯାଦୁଆ ମାରିଗଲା। ହେଲେ ବି ଫଳ ଭଲ ଧରୁଥିଲା। ଏବେ କିନ୍ତୁ ସେତକ ବି ମିଳିବ ନାହିଁ। କେରଳ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ିବ। ପଇଡ଼ ଗୋଟେ କେରଳରୁ ଏଠି ପହଞ୍ଚିବା ବେଳକୁ ଯେ ୫୦ ଟଙ୍କା ନହେବ କିଏ କହିବ?

ଏହାଦ୍ବାରା କେବଳ ପଇଡ଼ ବ୍ୟବସାୟୀଙ୍କର ଭାତ ହାଣ୍ଡି ଉଜୁଡ଼ି ଯାଇନି, ବରଂ ପଇଡ଼ ତୋଳୁଥିବା ଏବଂ ପଇଡ଼ ଆଣି ବିକ୍ରି ପାଇଁ ଟ୍ରଲି କିମ୍ବା ଗାଡ଼ିରେ ପହଞ୍ଚାଉଥିବା ଲୋକଟିର ରୋଜଗାର ବି ବାଧାପ୍ରାପ୍ତ ହୋଇଛି। ଖାଲି ଏତିକି ନୁହେଁ, କତା ଶିଳ୍ପ ବି ଏହା ଦ୍ବାରା ପ୍ରଭାବିତ ହେବ ବୋଲି ଭବିଷ୍ୟବାଣୀ ହେଲାଣି। ଗଛରେ ନଡ଼ିଆ ନଥିବାରୁ ନଡ଼ିଆ କତା‌ରୁ ପ୍ରସ୍ତୁତ କତା ଶିଳ୍ପ ପ୍ରସ୍ତୁତିରେ ନିୟୋଜିତ ଶହଶହ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ରୋଜଗାର ମଧ୍ୟ ପ୍ରଭାବିତ ହେବ। ଶ୍ୟାମ କୁହନ୍ତି, ନଡ଼ିଆ ‌ଗଛ ଥିଲା ବୋଲି ଆମେ ମାସକୁ ୫-୧୦ ହଜାର ଆୟ କରୁଥିଲୁ। ସେଇଥିରେ ପରିବାର ଚଳି କିଛି ସଞ୍ଚି ଦଉଥିଲୁ। କିନ୍ତୁ ଆଉ ୨ ମାସ ପରେ ହାତ ବନ୍ଦ ହୋଇଯିବ। ଏ ଗଛ ଆମକୁ ଯେତିକି ଦେଇଛି, ତା’ର ଏ ଅବସ୍ଥା ଦେଖିଲେ ଦେହ ସହୁନି। ଆମକୁ ରୋଗ ହେଲେ ତାକୁ ହୁଏତ ଆମେ ମେଡିକାଲ୍‌ ନେଇଯାଇପାରିବା। ମାତ୍ର ଏମାନକୁ ଯୋଉ ବାଧା ହେଇଛି ତାଙ୍କ ଦେହର କଷ୍ଟ କିଏ ବୁଝିବ। ସିଏ ତ କାହାକୁ କହିପାରେନି।…

 

ସମ୍ବନ୍ଧିତ ଖବର