ଅପରାହ୍ନରେ ଖୋଲୁନି ବହିର୍ବିଭାଗ

ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ

ଭୁବନେଶ୍ୱର: ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଓ ହସ୍ପିଟାଲରେ ଅପରାହ୍ନରେ ଓପିଡି ବା ବହିର୍ବିଭାଗ ଖୋଲୁନାହିଁ। ସକାଳେ ୧୫ଟି ବହିର୍ବିଭାଗ ଖୋଲୁଥିବା ବେଳେ ଅପରାହ୍‌ଣରେ ଶୂନ। ରାଜଧାନୀର ଛାତିରେ ଥିବା ଏହି ପ୍ରମୁଖ ମେଡିକାଲ କଲେଜରେ ବହିର୍ବିଭାଗ ନ ଖୋଲିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଦୀର୍ଘ ଦିନରୁ ଦାବି ହେଉଛି। ତେବେ କେଉଁ ନିର୍ଦ୍ଦିଷ୍ଟ କାରଣ ନେଇ ଅପରାହ୍‌ଣରେ ବହିର୍ବିଭାଗ ଖୋଲୁନାହିଁ, ତାହା କଲେଜ କର୍ତୃପକ୍ଷ ସ୍ପଷ୍ଟ କରିପାରୁ ନାହାନ୍ତି। ତେବେ ଏଥିପାଇଁ କୌଣସି ନିର୍ଦେଶ ନ ଥିବା ଦର୍ଶାଇ ଏହାକୁ ଫାଙ୍କି ଦେବାକୁ ବସିଛନ୍ତି। ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ବହିର୍ବିଭାଗ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଚାଲୁଛି। ପ୍ରାୟ ୧୫ଟି ବିଭାଗରେ ବହିର୍ବିଭାଗ ଖୋଲୁଛି। ଫିଜିଓଥେରାପି, ଡେଣ୍ଟାଲ, ଚକ୍ଷୁ ଓ ଜେନେରାଲ ମେଡିସିନ୍‌ ଭଳି ବହିର୍ବିଭାଗ କେବଳ ସକାଳେ ଖୋଲୁଛି। ଡା.ଅଭିନ ଚନ୍ଦ୍ର ହସ୍ପିଟାଲରେ ଏବେ ୫ଜଣ ମେଡିକାଲ ଅଫିସର, ୨୦ଜଣ ଅତିଥି ଫିଜିସିଆନ୍‌, ୨୦ଜଣ ଇଣ୍ଟର୍ଣ୍ଣ ଛାତ୍ରଛାତ୍ରୀ, ୫ଜଣ ପାର୍ଟ ଟାଇମ୍‌, ୩ଜଣ ଫାର୍ମାସିଷ୍ଟ ଓ ୫ଜଣ ଷ୍ଟାଫ ନର୍ସ ରହିଛନ୍ତି। ଏହାସତ୍ୱେ ମଧ୍ୟ ଡା.ଅଭିନ ଚନ୍ଦ୍ର ମେଡିକାଲରେ ଅପରାହ୍ନରେ କୌଣସି ବହିର୍ବିଭାଗ ଖୋଲୁନାହିଁ। ସମସ୍ତ ଫାର୍ମାସିଷ୍ଟ କେବଳ ସକାଳ ବେଳା ଡ୍ୟୁଟି କରୁଛନ୍ତି। ଅପରାହ୍ନରେ କାହାରିକୁ ଡ୍ୟୁଟି ଦିଆଯାଇ ନାହିଁ। ଅପରାହ୍ନରେ ରୋଗୀମାନେ ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିଲେ ହେଁ ଫେରିବାକୁ ବାଧ୍ୟ ହେଉଛନ୍ତି। ଡା.ଅଭିନ ଚନ୍ଦ୍ର ମେଡିକାଲରେ କୋଟି କୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି। ପ୍ରତିବର୍ଷ ଅତ୍ୟାଧୁନିକ ଯନ୍ତ୍ରପାତି କିଣା ଚାଲିଛି। ମାତ୍ର ଏହାକୁ ବ୍ୟବହାର କରାଯାଉନାହିଁ। ବର୍ଷ ବର୍ଷ ଧରି ପଡ଼ି ରହିବା ଯୋଗୁଁ ଏହା ଧୀରେ ଧୀରେ ନଷ୍ଟ ହେବାକୁ ବସିଲାଣି। ମାତ୍ର କଲେଜ କର୍ତୃପକ୍ଷ କିମ୍ବା ଆୟୁଷ ନିର୍ଦେଶାଳୟ ଏହାକୁ ଗୁରୁତ୍ୱ ଦେଉ ନାହାନ୍ତି। ରାଜ୍ୟ ଆୟୁଷ ନିର୍ଦେଶାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, କିଛିବର୍ଷ ତଳେ ଡା.ଅଭିନ ଚନ୍ଦ୍ର ମେଡିକାଲରେ ଅପରାହ୍ନରେ ବହିର୍ବିଭାଗ ଖୋଲିବା ପାଇଁ ଏକ ନିର୍ଦେଶନାମା ଜାରି କରାଯାଇଥିଲା। ତେବେ କେଉଁ ପରିସ୍ଥିତିରେ ହସ୍ପିଟାଲ କର୍ତୃପକ୍ଷ ଅପରାହ୍ନରେ ବହିର୍ବିଭାଗ ଖୋଲୁ ନାହାନ୍ତି ତାହାର ଅନୁସନ୍ଧାନ କରାଯିବ। ଡା.ଅଭିନ ଚନ୍ଦ୍ର ହୋମିଓପ୍ୟାଥିକ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ଡା.ସୁଧୀର ଦାଶ କହିଛନ୍ତି, ଅପରାହ୍ନରେ ବହିର୍ବିଭାଗ ଖୋଲିବା ପାଇଁ କଲେଜକୁ କୌଣସି ନିର୍ଦେଶ ଦିଆଯାଇ ନାହିଁ। ମେଡିକାଲରେ ୭ଜଣ ମେଡିକାଲ ଅଧିକାରୀଙ୍କ ପାଇଁ ପଦବି ଥିବା ବେଳେ ଏବେ ୫ଜଣ ରହିଛନ୍ତି। ତେବେ ଅପରାହ୍ନରେ ଆସୁଥିବା ରୋଗୀଙ୍କୁ ଅନ୍ତର୍ବିଭାଗରେ ଥିବା ଡାକ୍ତର ଦେଖୁଛନ୍ତି। ଯଦି ଅପରାହ୍ନରେ ବହିର୍ବିଭାଗ ଖୋଲାଯିବ ସେଥିପାଇଁ ଆବଶ୍ୟକ ସଂଖ୍ୟାକ ଡାକ୍ତର ଓ ଔଷଧ ବିତରଣ ପାଇଁ ଫାର୍ମାସିଷ୍ଟ ନିଯୁକ୍ତି ଦିଆଯିବା ଜରୁରୀ ବୋଲି ଡା.ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର