ଭୁବନେଶ୍ବର : ଲକ୍‌ଡାଉନ୍‌ ସମୟରେ ଘର, କୋଠା, ଡ୍ରେନ୍, ବ୍ରିଜ୍, ରାସ୍ତା ଆଦି ନିର୍ମାଣ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ। ତେବେ ଏହାର ଫାଇଦା ଉଠାଇ ନିର୍ମାଣକାରୀ ସଂସ୍ଥାମାନେ କରୋନା ନିୟମକୁ ଉଲ୍ଲଂଘନ କରୁଛନ୍ତି। କାମ କରାଇବା ପାଇଁ ବାହାର ରାଜ୍ୟରୁ ଶ୍ରମିକ ଆଣି ସଂକ୍ରମଣକୁ ବଢ଼ାଇବାରେ ଲାଗିଛନ୍ତି। ବାହାରୁ ଆସୁଥିବା ଏହି ଶ୍ରମିକଙ୍କର ନା କୌଣସି ଟେଷ୍ଟ୍ ହେଉଛି ନା ସେମାନେ ୧୪ ଦିନିଆ ସଙ୍ଗରୋଧରେ ରହୁଛନ୍ତି। ଏପରିକି ଏହି ଶ୍ରମିକଙ୍କୁ ରାଜ୍ୟ ବାହାରୁ ଆଣି ଆସୁଥିବା ବସ୍ ପାଖରେ ମଧ୍ୟ କୌଣସି ଅନୁମତିପତ୍ର ନାହିଁ। ଫଳରେ ରାଜ୍ୟ ବାହାରର ଏହି ଶ୍ରମିକମାନେ ରାଜଧାନୀରେ ସଂକ୍ରମଣର ବାହକ ସାଜୁଛନ୍ତି ବୋଲି ଅଭିଯୋଗ ହେଉଛି।

Advertisment

ଶନିବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ନୂଆପଲ୍ଲୀ ଦୁର୍ଗାପୂଜା ମଣ୍ଡପର ଅପରପାର୍ଶ୍ବ ଜାତୀୟ ରାଜପଥରେ ତାମିଲ୍‌ନାଡ଼ୁର ଦୁଇଟି ବସ୍‌ରୁ ଶତାଧିକ ଶ୍ରମିକ ଓହ୍ଲାଇଥିଲେ। ବସ୍‌ରୁ ଓହ୍ଲାଉଥିବା ବେଳେ ସ୍ଥାନୀୟ ଲୋକ ଶ୍ରମିକଙ୍କୁ କେଉଁଠୁ ଆସିଛ ଏବଂ କିଏ ଆଣିଛି ବୋଲି ପ୍ରଶ୍ନ କରିବାରୁ ସେମାନେ କିଛି ଉତ୍ତର ନ ଦେଇ ଦୌଡ଼ିବା ଆରମ୍ଭ କରିଥି‌ଲେ। ଏହାପରେ ଘଟଣାସ୍ଥଳରୁ ଗୋଟିଏ ବସ୍‌ ଖସି ପଳାଇଥିଲା। ଆଉ ଏକ ବସ୍‌କୁ ସ୍ଥାନୀୟ ଲୋକେ ପିସିଆର୍‌କୁ ଡାକି ପୁଲିସ୍‌ ଜିମା ଦେଇଥିଲେ। ନୂଆପଲ୍ଲୀ ପୁଲିସ୍ ବସ୍‌ ଚାଳକ ଓ କଣ୍ଡକ୍ଟର୍‌କୁ ପଚରାଉଚରା କରିବାରୁ ଜଣାପଡ଼ିଥିଲା ଯେ ଦୁଇଟି ଯାକ ବସ୍‌ ଚେନ୍ନାଇରୁ କିଛି ଜିନିଷ ନେଇ ପଶ୍ଚିମବଙ୍ଗ ଆସିଥିଲା। ପଶ୍ଚିମବଙ୍ଗରେ ମାଲ୍ ଦେବା ପରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ କିଛି ଶ୍ରମିକ ହାତ ଦେଖାଇ ବସ୍‌ ଅଟକାଇଥିଲେ ଏବଂ ଗାଡ଼ି ଭଡ଼ା ଦେଇ ଭୁବନେଶ୍ବର ନେଇଯିବାକୁ କହିଥିଲେ। ନୂଆପଲ୍ଲୀ ରାଜପଥରେ ଓହ୍ଲାଇବା ପରେ ସେମାନେ ପୂର୍ବରୁ ନିର୍ମାଣକାରୀ ସଂସ୍ଥା ପଠାଇଥିବା ଗାଡ଼ିରେ ବସି ପଳାଇଥିଲେ।

ଆଜି ଆସିଥିବା ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ ମାଲ୍‌ଦା ଅଞ୍ଚଳର। ଏମାନଙ୍କ ମଧ୍ୟରୁ ଜଣେ ଶ୍ରମିକ କହିଥିଲେ ଯେ କଳିଙ୍ଗ ଷ୍ଟାଡିୟମ୍‌ରେ କାମ କରୁଥିବା ଏକ ସଂସ୍ଥା, ଘରୋଇ ଡାକ୍ତରଖାନାରେ କାମ କରୁଥିବା ସଂସ୍ଥା ଏବଂ ଫ୍ଲାଏଓଭର୍‌ କାମ କରୁଥିବା ଅନ୍ୟ ଏକ ସଂସ୍ଥା ସେମାନଙ୍କୁ ଆଣିଛନ୍ତି। ସେମାନେ ପୂର୍ବରୁ ଏମିତି ଅନେକଥର ଯିବା ଆସିବା କରିଛନ୍ତି। ଗଲାଥର ମଧ୍ୟ କରୋନା ସମୟରେ ରାଜ୍ୟରେ ଶ୍ରମିକ ମିଳୁ ନଥିବାରୁ ସେମାନଙ୍କୁ ଏଠାକୁ ଅଣାଯାଇଥିଲା। ତେବେ କରୋନା ନିୟମ ଅନୁଯାୟୀ ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି ନା ନାହିଁ; ସେମାନଙ୍କର ଆର୍‌ଟିପିସିଆର୍‌ ଟେଷ୍ଟିଂ ହେଉଛି ନା ନାହିଁ ପଚାରିବାରୁ ଶ୍ରମିକଜଣକ ସେଭଳି କିଛି କରାଯାଉନଥିବା କହିଛନ୍ତି। କାରଣ ପୂର୍ବରୁ ମଧ୍ୟ ସେମାନେ ଏଠାରେ ଏହି ଭଳି ସମାନ ଢଙ୍ଗରେ କାମ କରିଆସିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ରାଜଧାନୀକୁ ବାହାର ରାଜ୍ୟର ଶ୍ରମିକମାନେ କାମ କରିବାକୁ ଆସି କରୋନା ସଂକ୍ରମଣ ହେଉଥିଲେ ବି ଲାଭଖୋର୍ ମନୋବୃତ୍ତି ରଖି କାମ କରୁଥିବା ଏହି ନିର୍ମାଣକାରୀ ସଂସ୍ଥାମାନେ ସବୁ ନିୟମକୁ ଫୁ’ କରିଦେଇଛନ୍ତି।