ଓୟୁଟିଆର୍‌ର ହେବ ନବକଳେବର, ମାଷ୍ଟରପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ବର: ଓଡ଼ିଶା ବୈଷୟିକ ଶିକ୍ଷା ଓ ଗବେଷଣା ବିଶ୍ବବିଦ୍ୟାଳୟ (ଓୟୁଟିଆର)ର ନବକଳେବର ହେବ। କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଇଟି) ଭାବେ ପରିଚିତ ଥିବା ଏହି ଶିକ୍ଷାନୁଷ୍ଠାନର ଭିତ୍ତିଭୂମିଠାରୁ ଆରମ୍ଭ କରି ମାନବ ସମ୍ବଳର ବିକାଶ କରାଯିବ। ଆସନ୍ତା ୩ ବର୍ଷରେ ତିନୋଟି ପର୍ଯ୍ୟାୟରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ବର୍ଷରେ ହଜାରେ କୋଟି ଟଙ୍କା ବିନିଯୋଗ ହେବ। ଆଇଆଇଏମ୍‌, ଆଇଆଇଟି ଓ ଏନ୍‌ଆଇଟି ପରି ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ଭଳି ଏହାର ବିକାଶ ସମ୍ପର୍କିତ ମାଷ୍ଟରପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି।

ତିନି ବର୍ଷରେ ଖର୍ଚ୍ଚ ହେବ ଦେଢ଼ ହଜାର କୋଟି

୫ ବର୍ଷରେ ୧୦ ହଜାର ଛାତ୍ରଛାତ୍ରୀ ପଢ଼ିବେ

ଏବେ ଓୟୁଟିଆରରେ ୪୬୦୦ ଛାତ୍ରଛାତ୍ରୀ ପଢୁଛନ୍ତି। ଆଗାମୀ ୫ ବର୍ଷରେ ଯେପରି ୧୦ ହଜାର ଛାତ୍ରଛାତ୍ରୀ ପଢ଼ିବାର ସୁଯୋଗ ପାଇବେ ତାହାକୁ ଦୃଷ୍ଟିରେ ରଖି ଏହାକୁ ଆଇଆଇଟି ଢାଞ୍ଚାରେ ବିକାଶ କରାଯିବ। ଏହି ବିଶ୍ବବିଦ୍ୟାଳୟକୁ ବୈଷୟିକ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବରେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉଚ୍ଚମାନର ଶିକ୍ଷାଦାନ ଉପରେ ଗୁରୁତ୍ବ ସହ ଭବିଷ୍ୟତ ପିଢ଼ିଙ୍କ ଲାଗି ନୂତନ ପାଠ୍ୟକ୍ରମ ଖୋଲାଯାଇ ମାନବ ସମ୍ବଳର ବିକାଶ ତଥା ଆନ୍ତଃ ବିଭାଗୀୟ ଗବେଷଣା କାର୍ଯ୍ୟକ୍ରମକୁ ଉତ୍ସାହିତ କରିବାକୁ ଅଧିକ ଉତ୍କର୍ଷ କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ।

ଏଥିସହ ଶିକ୍ଷାଦାନ ଓ ଗବେଷଣା ପାଇଁ ଦେଶ ବିଦେଶର ବିଶ୍ବବିଦ୍ୟାଳୟ ସହ ମଧ୍ୟ ସହଭାଗିତାରେ କାର୍ଯ୍ୟ କରାଯିବ। ପ୍ରଯୁକ୍ତି ବିଦ୍ୟା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଷ୍ଟାଟ୍‌ଅପ୍‌କୁ ଉତ୍ସାହିତ କରିବା ଓ ସେମାନଙ୍କ ଭିତରେ ଉଦ୍ୟୋଗୀ ମନୋଭାବର ବିକାଶ ଲାଗି ବିଭିନ୍ନ ଅଗ୍ରଣୀ ଶିଳ୍ପାନୁଷ୍ଠାନ ସହଯୋଗରେ ଇନ୍‌କ୍ୟୁବେସନ ସେଣ୍ଟର ପ୍ରତିଷ୍ଠା ହେବ। ବିଶ୍ବବିଦ୍ୟାଳୟ ମଧ୍ୟରେ ଗବେଷଣା ସହ ଯେପରି ନୂଆ ନୂଆ ପାଟେଣ୍ଟ ଓ ବୌଦ୍ଧିକ ସମ୍ପତ୍ତି ଅଧିକାର ହାସଲ କରାଯାଇପାରିବ ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଯୋଗଦେଇ ବିଶ୍ବବିଦ୍ୟାଳୟର ରୂପାନ୍ତର ସଂପର୍କିତ ଏକ ଉପସ୍ଥାପନା ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପି କେ ଜେନା, ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଳ ଦେବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଶ୍ବବିଦ୍ୟାଳୟ ଓଏସ୍‌ଡି ରମେଶ ପାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣ ଦିଗରେ ନିଷ୍ଠାପର ଉଦ୍ୟମ କରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ରଛାତ୍ରୀ ସରକାରଙ୍କ ଏହି ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇବା ସହିତ ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି ପାଇଁ ଯତ୍ନବାନ ହେବେ ବୋଲି କହିଥିଲେ।

ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ପାଣ୍ଡିଆନ ଏହି ବିଶ୍ବବିଦ୍ୟାଳୟ ପରିଦର୍ଶନ କରି ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷାନୁଷ୍ଠାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ୧୯୮୧ରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି) ଅଧୀନରେ ସିଇଟି ପ୍ରତିଷ୍ଠିତ ହୋଇଥିଲା। ୨୦୦୧ରେ ଏହା ଭୁବନେଶ୍ବରର ଘାଟିକିଆରେ ଥିବା ୧୦୦ ଏକର ବିଶିଷ୍ଟ ନିଜସ୍ବ କ୍ୟାମ୍ପସ୍‌କୁ ସ୍ଥାନାନ୍ତରିତ ହୋଇଥିଲା। ନାକ୍‌ ‘ଏ’ ‌ଗ୍ରେଡ୍‌ ମାନ୍ୟତା ହାସଲ କରିଛି। ୨୦୨୧ରେ ଏହା ବିଶ୍ବବିଦ୍ୟାଳୟର ମାନ୍ୟତା ପାଇବା ସହ ବୈଷୟିକ ଶିକ୍ଷା ତଥା ଗବେଷଣା ବିଶ୍ବବିଦ୍ୟାଳୟ ଭାବରେ ନାମିତ ହୋଇଥିଲା।

ସମ୍ବନ୍ଧିତ ଖବର