ମଞ୍ଚରେ ରାଜନର୍ତକୀ ବାସବାଦତ୍ତାଙ୍କ ଅଭିସାର

ଲୁପ୍ତପ୍ରାୟ ଲୋକକଳାର ୧୬ତମ ସନ୍ଧ୍ୟା

ଭୁବନେଶ୍ୱର : ଭାରତୀୟ ବିଦ୍ୟାଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେସନ୍‌ ମିଳିତ ଆନୁକୂଲ୍ୟରେ ଲୁପ୍ତପ୍ରାୟ ଲୋକକଳାର ୧୬ତମ ସନ୍ଧ୍ୟା ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜନର୍ତକୀ ବାସବାଦତ୍ତାଙ୍କ କାହାଣୀର ଚିତ୍ର ଦେଖିବାକୁ ମିଳିଥିଲା। ଅପରୂପ ସୌନ୍ଦର୍ଯ୍ୟ ଏବଂ ନୃତ୍ୟରେ ନିପୁଣ ବାସବାଦତ୍ତଙ୍କ ମନରେ ଅଜସ୍ର ଅହଂକାର। ଥରେ ସେ ରାଜଉଆସର ନିୟମ ଭାଙ୍ଗି ପ୍ରବଳ ବର୍ଷା ରାତିରେ ଗୁପ୍ତ ଅଭିସାର ପାଇଁ ବାହାରିଯା’ନ୍ତି। ବାଟରେ ତାଙ୍କର ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତଙ୍କ ସହ ଭେଟ ହୁଏ। ସୌନ୍ଦର୍ଯ୍ୟର ଅହଙ୍କାରରେ ଅନ୍ଧ ବାସବାଦତ୍ତା ଉପଗୁପ୍ତଙ୍କୁ ପ୍ରେମ ନିବେଦନ କରନ୍ତି। କିନ୍ତୁ ଉପଗୁପ୍ତ ଦୃଢ଼ କଣ୍ଠରେ ବାସବାଦତ୍ତାଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରନ୍ତି। ଆଘାତ ପାଇ ଫେରି ଆସନ୍ତି ବାସବାଦତ୍ତା। ପରବର୍ତୀ ସମୟରେ ଦୁରାରୋଗ୍ୟ କୁଷ୍ଠରେ ପୀଡ଼ିତ ହୋଇ ବାସବାଦତ୍ତାଙ୍କ ଯୌବନ ବିକୃତ ହୋଇଯାଏ। ନିଜର ଗର୍ବ ଓ ଅହଂକାର ପାଇଁ ସେ ଅନୁତାପ କରିବା ସହ ଉପଗୁପ୍ତଙ୍କ ଶରଣାପନ୍ନ ହୁଅନ୍ତି। ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋର୍‌ଙ୍କ ମୂଳ ରଚିତ ଏହି କାହାଣୀର ନୃତ୍ୟ ରୂପକ କରିଥିଲେ ଆର୍ତତ୍ରାଣ ଶତପଥୀ। ଦେବଦାସୀ ନୃତ୍ୟ ମନ୍ଦିର, ପୁରୀର କଳାକାରଗଣ ଅଭିନୟ କରିଥିଲେ। ଅନୁଷ୍ଠାନର ସହଯୋଗୀ ନିର୍ଦେଶକ ମନ୍ମଥ ଶତପଥୀଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର