ଆଉଟ୍‌ରିଚ୍‌ର ରେଡିଓ ମେଳା ଉଦ୍‌ଯାପିତ : ରେଡିଓ ନଥିଲେ ମୁଁ ନଥା’ନ୍ତି: ପ୍ରଶାନ୍ତ ନନ୍ଦ

ଆର୍‌ଜେ ପ୍ରବୀଣଙ୍କୁ ‘ନଦିଆ ବିହାରୀ ସ୍ମୃତି ସମ୍ମାନ’

ଭୁବନେଶ୍ବର : ରେଡିଓ ନଥିଲେ ମୁଁ ନଥା’ନ୍ତି। ଆଜି ମୁଁ ଯେଉଁ ସ୍ଥାନରେ ପହଞ୍ଚିଛି, ତାହା ରେଡିଓ ପାଇଁ ହୋଇପାରିଛି। ମୋ ସଫଳତାର ଶ୍ରେୟରେ ରେଡିଓ ଓ ଆକାଶବାଣୀ କଟକ କେନ୍ଦ୍ରର ବଡ଼ ଭୂମିକା ରହିଛି। ରେଡିଓ ହିଁ ମତେ ପରିଚୟ ଦେଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉଟ୍‌ରିଚ୍‌ ପକ୍ଷରୁ ଭଞ୍ଜ କଳାମଣ୍ଡପରେ ଚାଲିଥିବା ରେଡିଓ ମେଳାର ଉଦ୍‌ଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଅଭିନେତା ପ୍ରଶାନ୍ତ ନନ୍ଦ ଆଜି ଏହା କହିଛନ୍ତି।

‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ, ଉଚ୍ଚଶିକ୍ଷା ଶେଷ କରିବା ପରେ ରେଡିଓରୁ ହିଁ ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଛି। ଆଗକୁ ବଢ଼ିବାରେ ରେଡିଓ ହିଁ ତାଙ୍କୁ ଉଚିତ୍ ମାର୍ଗଦର୍ଶନ କରିଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ସେ ଆଉଟ୍‌ରିଚ୍‌କୁ ନିଜର ପରିବାର ବୋଲି ଅଭିହିତ କରିବା ସହିତ ସଂସ୍ଥାର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଆର୍‌.ଜେ ପ୍ରବୀଣ ଆଉଟ୍‌ରିଚ୍‌ର ଉଦ୍ୟମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ହିନ୍ଦୀ ଚଳଚ୍ଚିତ୍ରର ନାମୀଦାମୀ କଳାକାରଙ୍କ ସ୍ୱରର ନକଲ କରି ସେ ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ। ମଞ୍ଚରେ ଉପସ୍ଥିତ ଆର୍‌ଜେ ଆରିତ୍ର ଭୁବେଶ୍ୱରରେ ଆୟୋଜିତ ଏହି ମେଳାକୁ ଆସି ଅତ୍ୟନ୍ତ ଆନନ୍ଦିତ ବୋଲି କହିଥିଲେ। ରେଡିଓର ଭବିଷ୍ୟତକୁ ନେଇ ସେ ଆଶାବାଦୀ ଥିବା କହିଥିଲେ।

କର୍କଟ ରୋଗ ବିଶେଷଜ୍ଞ ଡା. କ୍ଷିତୀଶ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ୟାନ୍ସର ଏବଂ ନିଜର ରେଡିଓକୁ ନେଇ ଥିବା ଅନୁଭୂତି ସଂପର୍କରେ କହିଥିଲେ। ଆଉଟ୍‌ରିଚ୍‌ର ପ୍ରତିଷ୍ଠାତା ସୁବ୍ରତ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିହାରର ରେଡିଓ ଶ୍ରୋତା ରଜନୀଶ କୁମାର, ଆର୍‌ଜେ ପ୍ରବୀଣ ଓ ରେଡିଓ ହୀରାଖଣ୍ଡକୁ ନଦିଆ ବିହାରୀ ସ୍ମୃତି ସମ୍ମାନ-୨୦୨୧ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶାଶ୍ବତୀ କର ସଂଯୋଜନା କରିଥିବା ବେଳେ ଶ୍ରୀ ପତି ଧନ୍ୟବାଦ ଦେଇଥିଲେ।

ମେଳାକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ସହଯୋଗୀଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ କଳାକାରଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ବାରିବେଷଣ କରାଯାଇଥିଲା। ମେଳାରେ ପଡ଼ିଥିବା ବିଭିନ୍ନ ଷ୍ଟଲ୍ ମଧ୍ୟରୁ ରେଡିଓ ଚକଲେଟ୍‌ ଷ୍ଟଲ୍ ଆଜି ଶ୍ରୋତାମାନଙ୍କୁ ଆକର୍ଷିତ କରିଥିଲା। ସେଠାରେ ଥିବା ସେଲ୍ଫି ପଏଣ୍ଟରେ ଯୁବପିଢ଼ି ଫଟୋ ଉଠାଉଥିବା ଦେଖାଯାଇଥିଲା। ସେହିପରି ରେଡିଓ ଚକଲେଟ୍‌ ଆର୍‌‌ଜେଙ୍କ ଦ୍ବାରା ପରିବେଷିତ ବିଭିନ୍ନ କାହାଣୀ ଶ୍ରୋତାମାନଙ୍କୁ ଶିକ୍ଷଣୀୟ ବାର୍ତ୍ତା ଦେଇଥିଲା। ଆଜି ମଧ୍ୟ ମେଳା ପରିସରରେ ରେଡିଓ ଶ୍ରୋତାମାନଙ୍କ ଭିଡ଼ ଜମିଥିଲା। ପୁରୁଣା ଓ ନୂଆ ରେଡିଓ ଦେଖିବା ଏବଂ ରେଡିଓର ଇତିହାସ ସଂପର୍କରେ ଜାଣିବାରେ ଯୁବପିଢ଼ିଙ୍କ ଆଗ୍ରହ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର