ଏମ୍ସ ଆସି ହଟହଟା: ନିରାଶ ହୋଇ ଫେରିଲେ ଦୂରଦୂରାନ୍ତ ରୋଗୀ
ଖର୍ଚାନ୍ତ ହୋଇ ଆସିଲେ ବିନା ଚିକିତ୍ସାରେ ଫେରିଲେ
କର୍କଟ ଚିକିତ୍ସା, ଡାଏଲିସିସ୍ ସମେତ ୧୧ ସେବା ସ୍ବାଭାବିକ
ଭୁବନେଶ୍ବର : ମେଦିନିପୁରର ଗୌରହରି ବେହେରା। ସ୍ତ୍ରୀଙ୍କ ପେଟ ଯନ୍ତ୍ରଣାର ଚିକିତ୍ସା ପାଇଁ ଆଜି ଭୁବନେଶ୍ବର ଏମ୍ସ ଆସିଥିଲେ। ମାତ୍ର ଆଜିଠାରୁ ଏମ୍ସ ଓପିଡି ବନ୍ଦ ଥିବାରୁ ଡାକ୍ତରଙ୍କୁ ଦେଖାଇ ନପାରି ନିରାଶ ହୋଇ ଫେରି ଯାଇଛନ୍ତି। ଦୀଘାରୁ ଆସିଥିବା ଗଙ୍ଗାମଣି ସେନାପତି ବି ଏମିତି ହଟହଟା ହୋଇଛନ୍ତି। ୩ ବର୍ଷ ହେଲା, ସେ ଏଠାରେ ଝିଅର ଚିକିତ୍ସା କରାଉଛନ୍ତି। ଗତବର୍ଷ ଡିସେମ୍ବରରେ ଆସିଥିବା ବେଳେ, ଜାନୁଆରି ୧୯ ତାରିଖରେ ଝିଅର ଅସ୍ତ୍ରୋପଚାର ପାଇଁ ତାଙ୍କୁ ତାରିଖ ଦିଆଯାଇଥିଲା। ତେଣୁ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଆଜି ସେ ଭୁବନେଶ୍ବର ପହଞ୍ଚି ଯାଇଥିଲେ। କିନ୍ତୁ ଏମ୍ସରେ ପହଞ୍ଚିବା ବେଳକୁ ଅସ୍ତ୍ରୋପଚାର କରାଯିବା ସମ୍ଭବ ନୁହେଁ ବୋଲି ତାଙ୍କୁ କୁହାଯାଇଥିଲା। କେବେ ହେବ ବୋଲି ପଚାରିବାରୁ ତାଙ୍କୁ କିଛି ସ୍ପଷ୍ଟ ଉତ୍ତର ମଧ୍ୟ ମିଳି ନଥିଲା। ତେଣୁ ସେ ବି ୩ ବର୍ଷୀୟା ଝିଅକୁ ଧରି ଫେରି ଯାଇଛନ୍ତି। ଖାଲି ଗୌରହରି କିମ୍ବା ଗଙ୍ଗାମଣି ନୁହଁନ୍ତି, ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ରାଜ୍ୟ ବାହାରୁ ଆସିଥିବା ଅନେକ ରୋଗୀ ଏମିତି ଏମ୍ସରୁ ନିରାଶ ହୋଇଛନ୍ତି। କୋଭିଡ୍ ପାଇଁ ଲଗାତାର ତୃତୀୟଥର ଏମ୍ସ ବନ୍ଦ ହେବା ଖବର ସେମାନେ ଜାଣିନଥିବାରୁ ଆଜି ସେମାନେ ଏମିତି ତିକ୍ତ ଅନୁଭୂତି ନେଇ ଫେରିଛନ୍ତି। କୋଭିଡ୍ ପାଇଁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କୌଣସି ଡାକ୍ତରଖାନା ବନ୍ଦ ହୋଇନଥିବା ବେଳେ ଏମ୍ସ ଭଳି ଏକ ଜାତୀୟସ୍ତରର ଅନୁଷ୍ଠାନ ଯେ ବନ୍ଦ ହୋଇଥିବ, ସେମାନେ କେବେ ବି କଳ୍ପନା କରି ନଥିଲେ ବୋଲି କହିଛନ୍ତି। ଏହାକୁ ନେଇ ରୋଗୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।
ସୂଚନା ଅନୁଯାୟୀ, ସୋମବାର (ଜାନୁଆରି ୧୭)ରୁ ଏମ୍ସରେ ଡେ’ କେୟାର୍ ସର୍ଭିସ୍, ରେଡିଓଥେରାପି, ଡାଏଲିସିସ, ଟ୍ରମା ଆଣ୍ଡ ଏମରଜେନ୍ସି, ଏମରଜେନ୍ସି ଆଣ୍ଡ ଲାଇଫ ସେଭିଂ ସର୍ଜରି, ଟେଲି ମେଡିସିନି ଆଣ୍ଡ ଟେଲି କନ୍ସଲ୍ଟିଂ ସର୍ଭିସ୍, ଆଇପିଡି, ଫୁସ୍ଫୁସ୍, ନିଶ୍ଚେତକ, କୋଭିଡ୍ ଟିକାକରଣ ଭଳି ୧୧ଟି ଜରୁରୀକାଳୀନ ସେବା ବ୍ୟତୀତ ଏମ୍ସର ସମସ୍ତ ସ୍ପେସାଲିଟି ଏବଂ ସୁପରସ୍ପେସାଲିଟି ସେବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଥିବା ନେଇ ଗତ ଶନିବାର ଏମ୍ସ ଅଧୀକ୍ଷକ ଆଦେଶନାମା ଜାରି କରିଥିଲେ। ଏଥିପାଇଁ ଆଜି ପୂର୍ବଭଳି ସେତେଟା ଭିଡ଼ ହୋଇନଥିଲା। କିନ୍ତୁ ଏ ବାବଦରେ ସୂଚନା ପାଇ ନଥିବା ରାଜ୍ୟ ବାହାରର ବହୁ ରୋଗୀ ଓ ଅଭିଭାବକ ଏମ୍ସ ଚାଲି ଆସିଥିଲେ। ଏପରିକି କିଛି ରୋଗୀ ରବିବାରଠାରୁ ମଧ୍ୟ ଆସିଥିଲେ, ଆଶା କରିଥିଲେ ସୋମବାରଠାରୁ ଡାକ୍ତର ତାଙ୍କୁ ଦେଖିବେ। ମାତ୍ର ଅଧିକାଂଶଙ୍କୁ ନିରାଶ ହେବାକୁ ପଡ଼ିଛି।
ଯେଉଁ ପୁରୁଣା ରୋଗୀ ପୂର୍ବରୁ ଯୋଗାଯୋଗ କରି ଆସିଥିଲେ, ସେମାନଙ୍କ ମଧ୍ୟରୁ କିଛି ଜଣ ଦେଖାଇଥିବା କହିଛନ୍ତି। ଅତି ଜରୁରୀ ହେଲେ ସେମାନେ ୨୩ ଶଯ୍ୟା ବିଶିଷ୍ଟ ଜରୁରୀକାଳୀନ ବିଭାଗରେ ଦେଖାଇପାରିବେ ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ସ୍ବାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନିର ସେବା ନେବାକୁ କୁହାଯାଇଛି। ଏଥିସହ କିଛି ଦିନ ହେଲା, କୋଭିଡ ଆଶଙ୍କାରେ ଆଇପିଡିରୁ ରୋଗୀମାନଙ୍କୁ ମଧ୍ୟ ଡିସଚାର୍ଜ କରାଯାଉଛି।
ତେବେ ଝାଡ଼ଖଣ୍ଡରୁ କର୍କଟ ରୋଗ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ଅସୁବିଧା ହୋଇନଥିବା ଜଣାଇଛନ୍ତି। କୋଭିଡ୍ ନେଗେଟିଭ ସାର୍ଟିଫିକେଟ ଆଣି ଆସିବାକୁ କୁହାଯାଇଛି। ତାଙ୍କ ଚିକିତ୍ସା ପୂର୍ବବତ ଜାରି ରହିଛି। ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ମାନସିକ ରୋଗ ବିଭାଗକୁ ଭଦ୍ରକରୁ ଆସିଥିବା ସତ୍ୟ ବଳଙ୍କ ଚିକିତ୍ସାରେ ଅସୁବିଧା ହୋଇ ନାହିଁ। ପୂର୍ବବତ ସେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି। କିଛି ଦିନ ପରେ ତାଙ୍କୁ ଡିସ୍ଚାର୍ଜ କରାଗଲେ ମଧ୍ୟ ଆବଶ୍ୟକ ସମସ୍ତ ଔଷଧ ଦେଇ ପଠାଯିବ ବୋଲି ମଧ୍ୟ ଡାକ୍ତର ଆଶ୍ବାସନା ଦେଇଛନ୍ତି।