ଭୁବନେଶ୍ୱର: ଓଡ଼ିଶାରେ ଆଉଟସୋର୍ସ ସରକାର ଚାଲିଛି। ଜଣେ ତାମିଲ ଭାଷାରେ ଓଡ଼ିଆ କହୁଥିବା ବ୍ୟକ୍ତି ପୂରା ସରକାର ଚଲାଉଛନ୍ତି। ତାଙ୍କୁ ପ୍ରତ୍ୟାଖାନ କରିବାର ଅଛି। ଏବେ ଓଡ଼ିଶାର ଅସ୍ମିତା ଓ ଓଡ଼ିଆଙ୍କ ଆତ୍ମସମ୍ମାନକୁ ନେଇ ପ୍ରଶ୍ନ ଉଠିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ୍‌ ସୋ’ରେ ଦୁଇ ଲକ୍ଷରୁ ଅଧିକ ଲୋକ ଦେଖିବାକୁ ଆସିଥିଲେ। ଏହାପରେ ଉତ୍ସାହିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ରୋଡ ସୋ’ରେ ଲୋକ ନଥିଲେ। ରୋଡ ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ କ୍ରୀତଦାସ ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେ ମୁଖ୍ୟମନ୍ତ୍ରୀଙ୍କ ସହ କେହି ବିଜେଡି ପ୍ରାର୍ଥୀ ନଥିଲେ। ବିଜେଡି ପ୍ରାର୍ଥୀଙ୍କ ଉପରେ କ’ଣ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ ବୋଲି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ କରିଛନ୍ତି।

Advertisment

ଭୁବନେଶ୍ବର ସତ୍ୟନଗରସ୍ଥିତ ଆରଆର କନ୍‌ଭେନ୍‌ସନ୍‌ଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀମତୀ ଷଡ଼ଙ୍ଗୀ ଆହୁରି କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କୁ ତୃତୀୟ ଥର ପାଇଁ ଦେଶବାସୀ ଦେଖିବାକୁ ଚା‌ହୁଛନ୍ତି। ଏଥିସହ ଓଡ଼ିଶାରେ ଥିବା ବିଜେଡି ସରକାରକୁ ମଧ୍ୟ ପରିବର୍ତ୍ତନ କରିବାର ସମୟ ଆସିଛି। ନିର୍ବାଚନ ପାଇଁ ଆଉ ମାତ୍ର ୬ରୁ ୭ ଦିନ ବାକି ଥିବାରୁ ଆମକୁ ନିର୍ଣ୍ଣାୟକ ନିଷ୍ପତ୍ତି ନେବାର ସମୟ ଆସିଯାଇଛି। ଏବେ ଆମକୁ କେବଳ ଦୁଇଟି ପଦ୍ମଫୁଲ ଦେଖାଯିବାର ଅଛି। ଭୁବନେଶ୍ବରରେ ଥିବା ସମସ୍ତ ବୁଥ୍‌ରେ ଯେପରି ସାଂସଦ ଓ ବିଧାୟକ ପ୍ରାର୍ଥୀ ଲିଡ୍‌ ନେବେ ସେଥିପାଇଁ ଆମକୁ ଚେଷ୍ଟା କରିବାକୁ ପଡ଼ିବ। ଓଡ଼ିଶାର ଲୋକେ ବିଜେପି ସରକାର ଚାହୁଛନ୍ତି। ତେଣୁ ଆମକୁ ଜିତିବାର ଅଛି। ପ୍ରତି ବୁଥ୍‌ ସ୍ତରରେ ଆମକୁ କାମ କରିବାକୁ ପଡ଼ିବ। ନିର୍ବାଚନ ଦିନ ବୁଥ୍‌ରେ ବସିବାକୁ ଥିବା ବିଜେପି କର୍ମକର୍ତ୍ତାଙ୍କୁ ତାଲିମ ଦିଆଯିବ। ଦୁଇ ଘଣ୍ଟା ଧରି ଏହି ତାଲିମ ଅନୁଷ୍ଠିତ ହେବ। କୌଣସି କର୍ମକର୍ତ୍ତା ଗୋଟିଏ ମିନିଟ୍‌ ବି ବୁଥ୍‌ ଛାଡ଼ି ଯିବେ ନାହିଁ। ୨୦୧୯ରେ ଆପଣମାନେ ମୋତେ ସାହାଯ୍ୟ କରିବାରୁ ସାଂସଦ ହୋଇଥିଲି। ଏଥର ମଧ୍ୟ ସେଭଳି ସହଯୋଗ କରିବେ ବୋଲି ଆଶା। ଭୁବନେଶ୍ବରର ସାଂସଦଙ୍କ ସହ ତିନି ଜଣ ଯାକ ବିଧାୟକଙ୍କୁ ଜିତାଇବାକୁ ପଡ଼ିବ। ଏଥିପାଇଁ ସାମୂହିକ ଭାବେ କାର୍ଯ୍ୟ କରିବାକୁ ହେବ। ୪ରୁ ୫ ଦିନ ଯାଏ ନିଷ୍ଠାର ସହ ମିଶିକରି କାମ କରିବାକୁ ସେ କର୍ତ୍ତକର୍ମାଙ୍କୁ ଆହ୍ବାନ ଦେଇଥିଲେ।

ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ବର ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଏକାମ୍ର ଭୁବନେଶ୍ବରର ବିଜେପି ପ୍ରାର୍ଥୀ ବାବୁ ସିଂହ ପ୍ରମୁଖ ଯୋଗ ଦେଇଥିଲେ।