ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମରେ ଦିନକୁ ଦିନ ଆଉଟ୍‌ସୋର୍ସିଂ କର୍ମଚାରୀ ସଂଖ୍ୟା ବଢ଼ିବାରେ ଲାଗିଛି। ବିଗତ ୩ ବର୍ଷ ଭିତରେ ୩୩୬ଜଣ ଅଧିକ ଆଉଟ୍‌ସୋର୍ସିଂ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ପୂର୍ବାପେକ୍ଷା ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ଆଉଟ୍‌ସୋର୍ସିଂ ସଂସ୍ଥା‌ ଜରିଆରେ ନିଯୁକ୍ତି ପାଇଛନ୍ତି। ଏତେ ସଂଖ୍ୟାରେ ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତିକୁ ନେଇ କର୍ପୋରେଟର୍‌ମାନେ ସନ୍ଦେହ ପ୍ରକଟ କରିଛନ୍ତି। କେଉଁ ଆଧାରରେ ଓ କାହା ଅନୁମତିରେ ଏତେ ସଂଖ୍ୟାରେ ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତି ପାଇଛନ୍ତି, ତାହା ସାର୍ବଜନୀନ କରିବାକୁ ଦାବି କରିଛନ୍ତି।

Advertisment

୨୦୨୨ ମସିହା ଜୁନ୍‌ ୪ ତାରିଖ ସୁଦ୍ଧା ଭୁବନେଶ୍ବର ମହାନଗର ନିଗମରେ ୩୪୨ଜଣ ଆଉଟ୍‌ସୋର୍ସିଂ କର୍ମଚାରୀ କାମ କରୁଥିଲାବେଳେ ଏବେ ୬୭୮ଜଣ ଆଉଟ୍‌ସୋର୍ସିଂ କର୍ମଚାରୀ କାମ କରୁଛନ୍ତି। ଏତେ ସଂଖ୍ୟାରେ ଆଉଟ୍‌ସୋର୍ସିଂ ନିଯୁକ୍ତି ଉପରେ ସନ୍ଦେହ ପ୍ରକଟ କରିଛନ୍ତି ବିଏମ୍‌ସି ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ୩୧ ନମ୍ବର ୱାର୍ଡର କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର। ତାଙ୍କ ପାଖରେ ଯେଉଁ ତଥ୍ୟ ରହିଛି ଓ ବିଏମ୍‌ସି ଯେଉଁ ତଥ୍ୟ ଦେଉଛି, ସେଥିରେ ତାଳମେଳ ରହୁନଥିବା ସେ ଅଭିଯୋଗ କରିଛନ୍ତି। ଏଷ୍ଟାବ୍ଲିସ୍‌ମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଭାବେ ତାଙ୍କ ପାଖରେ ଆଉଟ୍‌ସୋର୍ସିଂ କର୍ମଚାରୀ ନିଯୁକ୍ତି ସଂଖ୍ୟାଠାରୁ ବିଏମ୍‌ସି ଦର୍ଶାଉଥିବା ତଥ୍ୟ ବହୁ ଅଧିକ ବୋଲି ସେ ଅଭିଯୋଗ କରିଛନ୍ତି। ତାଙ୍କ ଅଜାଣତରେ କେବେ ଓ କିଏ, ଏହି ନିଯୁକ୍ତି ଦେଲା, ତା’ ଉପରେ ସେ ସନ୍ଦେହ ପ୍ରକଟ କରିଛନ୍ତି। ବିଏମ୍‌ସି ତଥ୍ୟ ଅନୁଯାୟୀ, ୨୦୨୨ ଜୁନ୍‌ ୪ ତାରିଖ ପୂର୍ବରୁ ବିଏମ୍‌ସିର ପରିବେଶ ଉପବିଭାଗରେ ୮ଜଣ, ‌ଡ୍ରେନେଜ୍‌ରେ ୧୦ଜଣ, ଏଷ୍ଟାବ୍ଲିସ୍‌ମେଣ୍ଟ୍‌ରେ ୧୨୪ଜଣ(ସୁରକ୍ଷା କର୍ମଚାରୀ), ଆଇଟିରେ ୩ଜଣ(କମିସନର୍‌ଙ୍କ ଅନୁମୋଦନକ୍ରମେ), ସିଏମ୍‌ଏମ୍‌ଓରେ ୮୨ଜଣ, ପରିମଳରେ ୨୦ଜଣ ପରିମଳ ଇନ୍ସପେକ୍ଟର, ୫୨ଜଣ ଏସ୍‌ଏମ୍‌ଟିଏ, ୧୯ଜଣ ଏକ୍ସପର୍ଟ ଓ ଏସ୍‌ବିଏ ସେଲ୍‌ ଷ୍ଟାଫ୍‌, ୪ଜଣ ଏସ୍‌ଡବ୍ଲ୍ୟୁଏମ୍‌ପିଏମ୍‌ୟୁ, ୧୦ଜଣ ଜେନେରାଲ୍‌ ଓ ଏମ୍‌ୟୁ କର୍ମଚାରୀ, ୧୦ଜଣ ଇଲେକ୍ଟ୍ରିସିଆନ୍‌ ଆଉଟ୍‌ସୋର୍ସିଂରେ ନିଯୁକ୍ତ ହୋଇଥିଲେ।

ବର୍ତ୍ତମାନ ପରିବେଶ ଉପବିଭାଗରେ ୭ଜଣ, ଡ୍ରେନେଜ୍‌ରେ ୯ଜଣ, ଅର୍ଥ ବିଭାଗରେ ୭ଜଣ, ଏଷ୍ଟାବ୍ଲିସ୍‌ମେଣ୍ଟ୍‌ରେ ୩୨୦ଜଣ, ଆଇଟିରେ ୩୪ଜଣ(ଡିଇଓ), ସିଏମ୍‌ଏମ୍‌ଓରେ ୬୦ଜଣ, ଓଡିଏ କୋର୍ଟରେ ୩ଜଣ ଅମିନ, ପରିମଳରେ ୬୪ଜଣ ପରିମଳ ଇନ୍ସପେକ୍ଟର, ୬୬ଜଣ ଏସ୍‌ଏମ୍‌ଟିଏ, ୩୬ଜଣ ଏସ୍‌ବିଏ ସେଲ୍‌ ଓ ଏକ୍ସପର୍ଟ ଷ୍ଟାଫ୍‌, ୪ଜଣ ଏସ୍‌ଡବ୍ଲ୍ୟୁଏମ୍‌ପିଏମ୍‌ୟୁ(କଠିନ ବର୍ଜ୍ୟବସ୍ତୁ ପରିଚାଳନା ୟୁନିଟ୍), ‌୧୪ଜଣ ଜେନେରାଲ୍‌ ଓ ଏମ୍‌ୟୁ ଷ୍ଟାଫ୍‌, ୩ଜଣ ଅପରେଟର୍‌ ଓ ଆସିଷ୍ଟାଣ୍ଟ ଅପରେଟର, ଏନ୍‌ଫୋର୍ସମେଣ୍ଟ୍‌ରେ ୪୧ଜଣ ଅବସରପ୍ରାପ୍ତ ସେନା ଅଧିକାରୀ, ଇଲେକ୍ଟ୍ରିରେ ୧୦ଜଣ ଇଲେକ୍ଟ୍ରିସିଆନ୍‌ଙ୍କୁ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ଦିଆଯାଇଛି। ଯେଉଁଥିରୁ ଅଧିକାଂଶ ନିଯୁକ୍ତି ମେୟର, କମିସନର୍‌, କଣ୍ଟ୍ରାକ୍ଟ୍‌ସ ଷ୍ଟାଣ୍ଡିଂ କମିଟି, ଟେଣ୍ଡର କମିଟି ଅନୁମୋଦନକ୍ରମେ ହୋଇଛି। ଏ ସଂପର୍କରେ ଏଷ୍ଟାବ୍ଲିସ୍‌ମେଣ୍ଟ୍‌ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ମହାପାତ୍ର କହିଛନ୍ତି, ଯାହା ବି ନିଯୁକ୍ତି ହେବ, ଅଧ୍ୟକ୍ଷ ଭାବେ ତାଙ୍କ ଜାଣତରେ ହେବ। ତାଙ୍କ ଅଜାଣତରେ କିଛି ହୋଇପାରିବନି। ସ୍ବାସ୍ଥ୍ୟାବସ୍ଥା ଖରାପ କାରଣରୁ ଗତକାଲିର ମାସିକ ସମୀକ୍ଷା ବୈଠକରେ ଯୋଗ ଦେଇ ପାରିନି କି ଏହି ସମସ୍ୟା ଉପରେ ମତ ଉପସ୍ଥାପନ କରିପାରିନି। ଆସନ୍ତା ମାସିକ ବୈଠକରେ ନିଶ୍ଚିତ ଏହି ପ୍ରସଙ୍ଗ ଉଠାଇବି ଓ ଜବାବ ମାଗିବି ବୋଲି ସେ କହିଛନ୍ତି।