ଭୁବନେଶ୍ବର: ଡିଜିଟାଲ୍‌ ଆପ୍‌ ମାଧ୍ୟମରେ ଶତାଧିକ ନିବେଶକଙ୍କଠାରୁ ହୋଇଥିବା କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ ଘଟଣାରେ ଇଓଡବ୍ଲୁ ୨ଟି ବ୍ୟାଙ୍କ୍‌ ଆକାଉଣ୍ଟକୁ ଅଚଳ କରିଛି। ଫଳ‌ରେ ଉକ୍ତ ଦୁଇ ଆକାଉଣ୍ଟରେ ଥିବା ସାଢ଼େ ୫୩ ଲକ୍ଷ ଟଙ୍କା ଫ୍ରିଜ୍‌ ହୋଇଯାଇଛି। ସେହିଭଳି ୟେସ୍‌ ବ୍ୟାଙ୍କ ଓ ଆକ୍ସିସ୍‌ ବ୍ୟାଙ୍କରେ ଥିବା ୭ଟି ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଥିବା ସୂଚନା ମିଳିଛି। ନିଲେଶ କର ବାଲେଶ୍ବର ଟାଉନ୍‌ ଫକୀରମୋହନ ଗୋଲେଇ ନିକଟରେ ଡିଜିଟାଲ୍‌ ଆପ୍‌ ‘କ୍ରାଉଡ୍‌ ଫର୍ଟ’ ସଂସ୍ଥା କାର୍ଯ୍ୟାଳୟ ଖୋଲିଥିଲା। ୩ ଗୁଣ ଅର୍ଥ ମିଳିବାର ପ୍ରଲୋଭନ ଦେଖାଇ ନିବେଶକଙ୍କୁ ଆକୃଷ୍ଟ କରିଥିଲା।

Advertisment

ଅଧିକ ଅର୍ଥ ଲୋଭରେ ବହୁ ନିବେଶକାରୀ ଏହି ଆପ୍‌ରେ ପୁଞ୍ଜିନିବେଶ କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ନିଲେଶ ସହ କାହାର ଯୋଗାଯୋଗ ସମ୍ଭବ ହୋଇନଥିଲା। କାର୍ଯ୍ୟାଳୟର ସାଇନ୍‌ବୋର୍ଡ ଉଭାନ ହୋଇଯିବା ପରେ ନିବେଶକମାନେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଗତ ୫ ତାରିଖରେ ନିଲେଶକୁ ବାଲେଶ୍ବରରୁ ଗିରଫ କରାଯାଇଥିଲା।